ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ : ପର ଓଳିରେ ରାତି କାଟୁଛନ୍ତି ୧୦ ପରିବାର

ଫନି ମାଡ଼ରେ ଓହଳିଛି କଂକ୍ରିଟ୍‌ ଛାତ, ପୌରପାଳିକା ଖେଳୁଛି ଲୁଚକାଳି

ପୁରୀ : ଉପରେ ଝୁଲି ରହିଛି ଏକ କଂକ୍ରିଟ୍‌ ଛାତ। ପଡ଼ୋଶୀ ଘରର ଏହି ଛାତ ପ୍ରଳୟଙ୍କରୀ ‘ଫନି’ ପବନରେ ଆଉ ଗୋଟିଏ ଘରର ଛାତକୁ ଫଟାଇ ତଳକୁ ପକାଇଦେବା ସ୍ଥିତିରେ ରଖିଛି। କେତେବେଳେ ଯେ, ଦୁଇଟି ଯାକ ଛାତ ଭଶୁଡ଼ି ପଡ଼ିବ ତାର କିଛି ଠିକଣା ନାହିଁ। ହେଲେ ତାହାରି ତଳେ ରହିଛନ୍ତି ପ୍ରାୟ ୧୦ଟି ପରିବାର। କୌଣସି ପ୍ରକାରେ ଦିନ ତ କଟି ଯାଉଛି, ରାତି କିନ୍ତୁ କାଟିବାକୁ ସାହସ ପାଉନି। ପର ଓଳିରେ ରାତି କଟୁଛି। ଛାତ ଭାଙ୍ଗି ଖସାଇବାକୁ ପୌରପାଳିକାକୁ କହିବାରୁ ପୌରପାଳିକା ଲୁଚକାଳି ଖେଳୁଛି। ଏଭଳି ବିପଦ ସମୟରେ ନା କୌଣସି ରାଜନେତା ନା ସ୍ବେଚ୍ଛାସେବୀଙ୍କୁ ଦେଖିବାକୁ ମିଳୁଛି। ମୃତ୍ୟୁକୁ ମୁଣ୍ଡ ଉପରେ ରଖି ବଞ୍ଚିଛନ୍ତି ଏହି ୧୦ଟି ପରିବାର।

ପୁରୀ ଟାଉନ୍‌ ଥାନା ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ରହୁଛନ୍ତି ରବିନା ପଣ୍ଡା। କୋଠା ଘର ତାଙ୍କର। ମେ ୩ ତାରିଖ ପ୍ରଳୟଙ୍କରୀ ବାତ୍ୟା ‘ଫନି’ କବଳରୁ ବର୍ତ୍ତି ପାରିଲାନି ତାଙ୍କ ଘର। ପବନ (ଫନି)ର ତୀବ୍ରତା ଏତେ ଥିଲା ଯେ, ରବିନାଙ୍କ ଘର ଉପର ଛାତକୁ ତାଡ଼ି ଉଡ଼ାଇ ନେଲା। ଛାତଟି ସେବେଠୁ ଓଲଟି ପଡ଼ି ଓହଳି ରହିଛି। ବିପଦ ଅବସ୍ଥାରେ ଝୁଲୁଥିବା ଛାତକୁ ପରିବାର ଲୋକେ ବି ଖସାଇ ପାରୁନାହାନ୍ତି। ଖାଲି ସେତିକି ନୁହେଁ, ରବିନାଙ୍କ ଘର ଛାତ ପଡ଼ିଶା ଘରର ଛାତ ଓ ଘରକୁ ମଧ୍ୟ ଫଟାଇ ଦେଇଛି। ସେହି ଘର ଓ ଛାତ କେତେବେଳେ ଖସିବ ତାହା କହିବା ମୁସ୍କିଲ। ବଡ଼ ବିପଦ୍‌ଜନକ ସ୍ଥିତିରେ ଘର ଦୁଇଟି ରହିଛି।

ଛାତ ତଳେ ଓ ଆଖପାଖରେ ପ୍ରାୟ ୧୦ଟି ପରିବାର ରହୁଛନ୍ତି। ଛାତ ଖସିଲେ, ଏକାଧିକ ଲୋକଙ୍କ ଜୀବନହାନି ହୋଇପାରେ। ତେଣୁ ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେପଟେ ଛାତ ନଖସିବା ପାଇଁ ଘର ମାଲିକ ରବିନା ବାଉଁଶ ଢ଼େରା ଦେଇଛନ୍ତି। କିଏ ଛାତକୁ ଖସାଇବ ଖୋଜି ବୁଲୁଛନ୍ତି। ବାତ୍ୟାର ୫ ଦିନ ଯାଏ କୁଆଡ଼େ ଯାଇ ପାରିଲେ ନାହିଁ। ଏବେ ପୌରପାଳିକାଠୁ ଓଡ୍ରାଫ୍‌ ଟିମ୍‌ ସମସ୍ତଙ୍କୁ ଗୁହାରି କରୁଛନ୍ତି। ହେଲେ କେହି ଶୁଣୁନାହାନ୍ତି। ଝୁଲନ୍ତା ଛାତ ତଳେ ଥିବା ପରିବାର ଦିନରେ ଯାହା ଯେମିତି ଚଳି ଯାଉଛନ୍ତି। ଦିନ ବେଳା ଛାତ ପଡ଼ିଲେ ଦୌଡ଼ି ପଳାଇବାର ବାଟ ହୁଏତ ମିଳିଯାଇପାରେ। କିନ୍ତୁ ରାତିରେ…? ରାତିରେ ‌ଶୋଇଥିବା ବେଳେ ଯଦି କିଛି ଅଘଟଣ ହୁଏ ତେବେ ତ କଥା ସରିଲା। ଏଭଳି ସ୍ଥିତିରେ କେହି ଘରେ ଶୋଉ ନାହାନ୍ତି। ବାନାବର ମହାପାତ୍ର ନାମକ ଜଣେ ବ୍ୟକ୍ତି ପରିବାର ସହ ସେଠାରେ ରହୁଥିବା ବେଳେ ରାତିରେ ଅନ୍ୟ ଜଣକ ଘରେ ଶୋଇବାକୁ ଯାଉଛନ୍ତି। ଅସହ୍ୟ ତାତି ମଧ୍ୟରେ ପିଲା ପରିବାର ଧରି ୧୦ଟି ପରିବାର ଭାରି କଲବଲ ହେଉଛନ୍ତି। ୧୦ ତାରିଖରେ ରବିନା ଯାଇଥିଲେ ପୌରପାଳିକା କାର୍ଯ୍ୟାଳୟକୁ। ଝୁଲି ରହିଥିବା ଛାତଟିକୁ ଭାଙ୍ଗି ତଳକୁ ଖସାଇ ଦେବାକୁ ଅନୁରୋଧ କରିଥିଲେ। ପୌରପାଳିକା ଏବେ ଶ୍ରୀହୀନ। ପରିଷଦ ନଥିବାରୁ ନେତାଙ୍କର ଦେଖାନାହିଁ, ବିଜୁଳି ନଥିବାରୁ ଅଫିସର ବି ତାଙ୍କ ବାଟରେ। ଯାହାକୁ କହିଲେ କେହି ଶୁଣି‌ଲେନି। ତାକୁ କୁହ, ୟାକୁ କୁହ ଏମିତି ବୋଲିବାଣୀରେ ଦିନ ଗଡ଼ିଯାଉଛି। ଏ ସଂପର୍କରେ ରବିନା ଓ ତାଙ୍କ ସାହି ଲୋକ ଜିଲ୍ଲା ପ୍ରଶାସନକୁ ବି ଜଣାଇଛନ୍ତି। ମାତ୍ର ଫଳଶୂନ। ଫଳସ୍ବରୂପ ୧୦ଟି ପରିବାର ଦୀର୍ଘ ୨୦ ଦିନ ଧରି ମୃତ୍ୟୁମୁହଁରେ ପଡ଼ି ରହିଛନ୍ତି।

ସମ୍ବନ୍ଧିତ ଖବର