ରଣଜିତ ଗୁରୁଙ୍କ ବିୟୋଗରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଶୋକ

ଯେଉଁ କେତେଜଣ ଯୁବ ସହଯୋଗୀ ମୋ ସହ ମିଶି ‘ସମ୍ବାଦ’ର ପ୍ରକାଶନ ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରୁ ରଣଜିତ ଗୁରୁ ଅନ୍ୟତମ। ସେ ଥିଲେ ସମ୍ବାଦର ସ୍ତମ୍ଭ। ତାଙ୍କ ବିୟୋଗରେ ସମ୍ବାଦ ପରିବାର ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ଏଥିଲାଗି ଈଶ୍ବର ଆମକୁ ଶକ୍ତି ଦିଅନ୍ତୁ। ସମ୍ବାଦର ସଫଳତାରେ ଶ୍ରୀ ଗୁରୁଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା। ସେ ସମ୍ବାଦ ସମ୍ପାଦକୀୟ ପୃ୍ଷ୍ଠା ଦାୟିତ୍ବରେ ଥିଲେ। ତାଙ୍କ ନିୟମିତ ସ୍ତମ୍ଭ ଅପ୍ରସଙ୍ଗ ସବୁ ମହଲରେ ଅତ୍ୟନ୍ତ ଗ୍ରହଣୀୟ ହୋଇଥିଲା। ବର୍ଷବର୍ଷ ଧରି ସଂପାଦକୀୟ ପୃଷ୍ଠାର ଯେଉଁ ଗୁରୁତ୍ବ ଓ ଗ୍ରହଣୀୟତା ତିଆରି ହୋଇଥିଲା, ରଣଜିତ ଗୁରୁଙ୍କୁ ତା’ର ଶ୍ରେୟ ଯିବ। ଜନ୍ମ ମୃତ୍ୟୁ ତ କାହା ନିୟନ୍ତ୍ରଣରେ ନାହିଁ, କିନ୍ତୁ ଯୋଉ ସାମ୍ବାଦିକ ବନ୍ଧୁମାନେ ନୂଆ କରି ଏଇ ବୃତ୍ତିରେ ପ୍ରବେଶ କରୁଛନ୍ତି ସେମାନେ କେବଳ ରଣଜିତ ଗୁରୁଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରନ୍ତୁ। ବୃତ୍ତିଗତ ଜୀବନରେ ଜଣେ ଭଲ ସାମ୍ବାଦିକ ହେବା ପାଇଁ କ’ଣ ଦରକାର ସେମାନେ ଏଥିରୁ ଜାଣିପାରିବେ। ସେ ଅଜାତଶତ୍ରୁ ଥିଲେ। ସାମ୍ବାଦିକତା ବୃତ୍ତିରେ ରହି ଏହି ଗ୍ରହଣୀୟତା ତିଆରି କରିବା ସବୁଠୁ ବଡ଼ ଉପଲବ୍ଧି। ଈଶ୍ବରଙ୍କ ଆଶୀର୍ବାଦ ନଥିଲେ ଏତେ କଥା ହୁଏ ନାହିଁ।

ରଣଜିତ ଗୁରୁଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶୋକସଭା
ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକରେ ସାମ୍ବାଦିକ ଜଗତରେ ଦୁଃଖର ଛାୟା ଖେଳି ଯାଇଛି। ସାମ୍ବାଦିକ ସଂଘ ଓୟୁଡବ୍ଲ୍ୟୁଜେ ଭୁବନେଶ୍ବର ଶାଖା ପକ୍ଷରୁ ଆଜି ଏକ ଶୋକସଭା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ହୋଇଥିଲା। ଶାଖାର ବମିଖାଲ କାର୍ଯ୍ୟାଳୟରେ ସାମ୍ବାଦିକମାନେ ଉପସ୍ଥିତ ରହି ତାଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ସ୍ମୃତିଚାରଣ କରିଥିଲେ। ସ୍ବର୍ଗତ ଗୁରୁଙ୍କ ପରଲୋକ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏଭଳି କ୍ଷତିକୁ ଭରଣା କରିବା କଷ୍ଟକର। ସେ ତାଙ୍କ ଲେଖନୀ ମୁନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ। ତାଙ୍କ ଦ୍ବାରା ଲେଖା ଯାଉଥିବା ‘ଅପ୍ରସଙ୍ଗ’ ଦେଶର ଓ ରାଜ୍ୟର ବିଭିନ୍ନ ସମ୍ଭକାରମାନଙ୍କ ପାଇଁ ମାର୍ଗଦର୍ଶକ ଥିଲା ବୋଲି ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ। ଶୋକସଭାରେ ବରିଷ୍ଠ ସାମ୍ବାଦିକ ଅର୍ଜୁନ ମୁଦୁଲି, ଓୟୁଡବ୍ଲ୍ୟୁଜେ ଭୁବନେଶ୍ବର ଶାଖା ସଭାପତି ସୁରେଶ କର, ଉପସଭାପତି ଅଭିମନ୍ୟୁ ମହାପାତ୍ର, ଲୋକନାଥ ମହାପାତ୍ର, ରଂଜନ ମଲ୍ଲ, ପ୍ରଦୀପ ମଙ୍ଗରାଜ, ନିରାକାର ଦଳେଇ, ପଦ୍ମଲୋଚନ ଜେନା, ବଂଶୀଧର ଭୋଳ, ସଂଗ୍ରାମ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ବିଜେପି
ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ସ୍ବର୍ଗତ ଗୁରୁଙ୍କ ଅବଦାନ ଅତୁଳନୀୟ। ସ୍ବର୍ଗତ ଗୁରୁ ଜଣେ ଉଚ୍ଚକୋଟୀର ରାଜନୈତିକ ବିଶ୍ଲେଷକ ମଧ୍ୟ ଥିଲେ ବୋଲି ଶ୍ରୀ ପଣ୍ଡା ଓ ଶ୍ରୀ ନାୟକ ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଏବିଭିପିର ଶୋକ
ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରଣଜିତ ଗୁରୁଙ୍କ ବିୟୋଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ଗଭୀର ଶୋକ ବ୍ୟକ୍ତ କରିଛି। ଶ୍ରୀ ଗୁରୁଙ୍କ ବିୟୋଗ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଅବସରରେ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମହାନ୍‌ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଂଗଠନ ପକ୍ଷରୁ ପ୍ରାର୍ଥନା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମ୍ବାଦିକତା ସହ ସ୍ବର୍ଗତ ଗୁରୁଙ୍କର ଓଡ଼ିଆ କଳା ଓ ସଂସ୍କୃତି କ୍ଷେତ୍ରରେ ଯଥେଷ୍ଟ ଅବଦାନ ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ
ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଲେଷକ ରଣଜିତ ଗୁରୁଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ରଣଜିତ ବାବୁ ଓଡ଼ିଆ ସାମ୍ବାଦିକତା ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ବଳିଷ୍ଠ ତଥ୍ୟ ସହିତ ନିଜର ମତକୁ ବେଶ ସୁନ୍ଦର ଭାବେ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିପାରୁଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଗଣମାଧ୍ୟମ ଜଗତର ବଡ଼ କ୍ଷତି ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ବନା ଜଣାଇବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି।

ରଘୁନନ୍ଦନ ଦାସ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ
ଜଣେ ନୀତିନିଷ୍ଠ ସାମ୍ବାଦିକ ଭାବେ ସ୍ବର୍ଗୀୟ ରଣଜିତ ଗୁରୁ ସବୁଦିନ ପାଇଁ ମନେ ରହିବେ। ୩୫ ବର୍ଷର ସାମ୍ବାଦିକତା କ୍ୟାରିୟର ମଧ୍ୟରେ ସେ ନୀତି ଓ ଆଦର୍ଶ ସହିତ କେବେ ସାଲିସ କରିନଥିଲେ। ତାଙ୍କ ବିୟୋଗ ରାଜ୍ୟର ସାମ୍ବାଦିକତା କ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ।

ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି
ବରିଷ୍ଠ ସାମ୍ବାଦିକ ରଣଜିତ୍ ଗୁରୁ ଓଡ଼ିଆ ସାମ୍ବାଦିକତାର ଜଣେ ଉଜ୍ଜ୍ବଳ ତାରକା ଥିଲେ। ସମ୍ବାଦର ସମ୍ପାଦକୀୟ ଦାୟିତ୍ବ ନିର୍ବାହ କରି ସେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ଲିଖିତ ସ୍ତମ୍ଭଗୁଡ଼ିକ ପାଠକମାନଙ୍କୁ ହୃଦୟକୁ ପ୍ରଭାବିତ କରୁଥିଲା। ଏବେ ତାଙ୍କ ଅବର୍ତ୍ତମାନରେ ଓଡ଼ିଆ ସାମ୍ବାଦିକତାର ଏକ ଅପୂରଣୀୟ କ୍ଷତି ଘଟିଛି।

‌ବୈଜୟନ୍ତ ପଣ୍ଡା
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପ୍ରବକ୍ତା ବୈଜୟନ୍ତ ପଣ୍ଡା ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରଣଜିତ ଗୁରୁଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ବିୟୋଗ ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଶ୍ରୀ ପଣ୍ଡା ସମବେଦନା ଜଣାଇଛନ୍ତି।

ଭଗବାନ ପ୍ରକାଶ
ବରିଷ୍ଠ ସାମ୍ବାଦିକ ରଣଜିତ୍‌ ଗୁରୁଙ୍କ ଅକାଳ ବିୟୋଗରେ ମୁଁ ଗଭୀର ମର୍ମାହତ। ‘ସମ୍ବାଦ’ ପାଇଁ ସେ ଏକ ଉଜ୍ଜ୍ବଳ ତାରକା ସଦୃଶ ଥିଲେ। ଜଣେ ଭଲ ମଣିଷ, ସୃଜନଶୀଳ ଲେଖକ ଏବଂ ସ୍ତମ୍ଭକାର ଭାବେ ସେ ଓଡ଼ିଶା ସାମ୍ବାଦିକତା ଜଗତରେ ସ୍ବତନ୍ତ୍ର ପରିଚୟ ଥିଲା। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।

ସମ୍ବନ୍ଧିତ ଖବର