ଚନ୍ଦ୍ରଭାନୁ ଓ ରାଧାନାଥଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର : ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକ ଓ ରାଧାନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଚନ୍ଦ୍ରଭାନୁ ପଟ୍ଟନାୟକ ଆଧୁନିକ ସାମ୍ବାଦିକତା କ୍ଷେତ୍ରରେ ଏକ ଉଜ୍ଜ୍ୱଳ ତାରକା ଥିଲେ। ଜଣେ ଉଚ୍ଚକୋଟୀର ସାମ୍ବାଦିକ ତଥା ସ୍ତମ୍ଭାକାର ଭାବେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ। ଅନେକ ଯୁବ ସାମ୍ବାଦିକଙ୍କ ପାଇଁ ସେ ପ୍ରେରଣା ସୃଷ୍ଟି କରିଥିଲେ। ତାଙ୍କ ବିୟୋଗ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି। ରାଧାନାଥ ମହାପାତ୍ର ଚଳଚ୍ଚିତ୍ର ସାମ୍ବାଦିକତା କ୍ଷେତ୍ରରେ ଜଣେ ଅଗ୍ରଣୀ ନାୟକ ଥିଲେ। ଜଣେ ସୁଲେଖକ, ଅନୁବାଦକ ଓ ଗୀତିକାର ଭାବେ ସେ ସୁନାମ ଅର୍ଜନ କରିଥିଲେ। ଚଳଚ୍ଚିତ୍ରଗୁଡ଼ିକର ଉଚ୍ଚକୋଟୀର ସମୀକ୍ଷା ପାଇଁ ସେ ବେଶ୍‌ ପରିଚିତ ଥିଲେ। ତାଙ୍କ ବିୟୋଗ ସିନେ ସାମ୍ବାଦିକତା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଉଭୟଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସମ୍ପାଦକ ଓ ସ୍ତମ୍ଭ ଲେଖକ ଭାବେ ସ୍ୱର୍ଗତ ପଟ୍ଟନାୟକଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ସେହିପରି ସ୍ୱର୍ଗତ ମହାପାତ୍ର ଚଳଚ୍ଚିତ୍ର ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ଉଭୟଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ର ପାଇଁ ବଡ଼ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ଶ୍ରୀ ପ୍ରଧାନ ସମବେଦନା ଜଣାଇଛନ୍ତି।

ଇତିମଧ୍ୟରେ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କର ଆଜି ପୁରୀ ସ୍ୱର୍ଗଦ୍ଵାରଠାରେ ଶେଷକୃତ୍ୟ ସଂପନ୍ନ ହୋଇଛି। ସ୍ୱର୍ଗତ ପଟ୍ଟନାୟକଙ୍କ ପୁତ୍ର ମୁଖାଗ୍ନି ଦେଇଥିଲେ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର