ବ୍ରହ୍ମପୁର : ମଣିଷ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ପ୍ରଥମେ ଭଗବାନଙ୍କୁ ସ୍ମରଣ କରୁଛି। ସେହିପରି ଶରୀରରେ ଯଦି କିଛି ବ୍ୟତିକ୍ରମ ଦେଖାଦିଏ ଆମେ ଡାକ୍ତରଙ୍କୁ ଖୋଜିଥାଉ। ଭଗବାନ ଯେପରି ଆମର ସମସ୍ତ ସମସ୍ୟା ଦୂର କରିଥାନ୍ତି ଡାକ୍ତର ମଧ୍ୟ ଆମର ମାନସିକ ସ୍ଥିତିକୁ ବୁଝି ଆବଶ୍ୟକ ପରାମର୍ଶ ଦେଇ ଜୀବନ ରକ୍ଷା କରିଥାନ୍ତି। ପୃଥିବୀରେ ଡାକ୍ତର ହେଉଛନ୍ତି ଭଗବାନଙ୍କ ସ୍ବରୂପ ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି।

Advertisment

ଓଡ଼ିଶା ଏଣ୍ତୋକ୍ରାଇନ୍‌ ସୋସାଇଟିର ୮ମ ବାର୍ଷିକ ସମ୍ମିଳନୀ ବ୍ରହ୍ମପୁରରେ ଉଦ୍‌ଘାଟିତ ହୋଇଯାଇଛି। ଏମ୍‌କେସିଜି ମେଡିକାଲ କଲେଜ ଏକାଡେମିକ୍‌ ବ୍ଲକ୍‌ରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପ୍ରାରମ୍ଭରେ ସୋସାଇଟିର ସାଙ୍ଗଠନିକ ସମ୍ପାଦକ ଡା. ପି. ରବି କୁମାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ଡାକ୍ତର ଓ ରୋଗୀର ସମ୍ପର୍କ ଉପରେ ସୂଚନା ଦେଇଥିଲେ। ବିଭିନ୍ନ ଉପାଦାନକୁ ନେଇ ଗଠିତ ଶରୀରରେ ଯଦି ହଠାତ୍‌ କିଛି ବ୍ୟତିକ୍ରମ ଦେଖାଦିଏ ତାହା ଆମେ ଗ୍ରହଣ କରିବାକୁ ଅସାମର୍ଥ ପ୍ରକାଶ କରିଥାଉ। ଏହାପରେ ଆମେ ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥାଉ। ଡାକ୍ତର ଆମର ମାନସିକ ସ୍ଥିତିକୁ ବୁଝି ଚିକିତ୍ସା କରିଥାନ୍ତି। ଡାକ୍ତର ଜଣେ ରୋଗୀକୁ ମାନସିକ ସ୍ଥିତିରେ ସୁଦୃଢ଼ କରିବା ପରେ ରୋଗୀର ଅଧା ରୋଗ ଭଲ ହୋଇଯାଇଥାଏ। ଭଗବାନଙ୍କୁ ଯେଭଳି ଆମେ ବିଶ୍ବାସ କରିଥାଉ ଡାକ୍ତରଙ୍କ ଉପରେ ମଧ୍ୟ ଆମର ସେଭଳି ଭରସା ରହିଛି। ଏହି ବିଶ୍ବାସ ଓ ଭରସା ହିଁ ଆମକୁ ବଞ୍ଚିବା ପାଇଁ ନୂଆ ରାହା ଦେଖାଇଥାଏ ବୋଲି ରାଜ୍ୟପାଳ କହିଥିଲେ।

୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ବିଶେଷଜ୍ଞ ଯୋଗ ଦେଇଛନ୍ତି। ସମ୍ମିଳନୀରେ ବିଭିନ୍ନ ହରମୋନ୍‌ ଜନିତ ରୋଗ ଡାଇବେଟିସ୍‌, ଥାଇରଏଡ୍‌ ଏବ˚ ମେଦବହୁଳତାର କାରଣ ଓ ନିରାକରଣ ସହିତ ନୂତନ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା କରାଯିବ। ଆଜିର ଉଦ୍‌ଘାଟନୀ ଉତ୍ସବରେ ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ରାଧାମାଧବ ତ୍ରିପାଠୀ, ସୋସାଇଟିର ସଭାପତି ପ୍ରଫେସର ଏ.କେ ବଳିଆରସିଂ, ସାଙ୍ଗଠନିକ ଅଧ୍ୟକ୍ଷ ଡା. ଏସ୍‌.ଆର୍‌ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାପତି ପ୍ରଫେସର ବଳିଆରସିଂ ସୋସାଇଟିର ବିଭିନ୍ନ କାର୍ଯ୍ୟ ଏବଂ ସମ୍ମିଳନୀ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ସୋସାଇଟି ତରଫରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପ୍ରଫେସର ଡା. ଏସ୍‌.ସି ମହାନ୍ତି ଓ ପ୍ରଫେସର ଡା. ଏଲ୍‌.କେ ମେହେରଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ।