ଲକଡାଉନ୍ ବଢିବା ପରେ ରଥଯାତ୍ରାକୁ ନେଇ ବଢ଼ିଲା ଚିନ୍ତା; ଶ୍ରୀମନ୍ଦିର ପରିଚାଳନା ସମିତି ଓ ସରକାରଙ୍କ ପଦକ୍ଷେପ ଉପରେ ନଜର

ଭୁବନେଶ୍ୱର: ରଥଯାତ୍ରା ହେବ କି ନାହିଁ, ଏହା ପୂର୍ବରୁ ହେବାକୁ ଥିବା ଅନ୍ୟାନ୍ୟ ନୀତି କିପରି ପାଳନ କରାଯିବ, ଏ ନେଇ ଅକ୍ଷୟ ତୃତୀୟା ପୂର୍ବରୁ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକ ପରେ ବିଧି କିପରି ପାଳନ ହେବ ସେ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡାଯାଇଥିଲା । ତାଙ୍କରି ପରାମର୍ଶ ପରେ ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୁଳ ରୀତିନୀତି ପାଳନ କରାଯାଇଥିଲା । ଏହାପରେ  ଗଜପତି ମହାରାଜ କହିଥିଲେ, ମେ’ ୩ ତାରିଖ ଲକ୍ଡାଉନ୍ ପରେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନିଆଯିବ ।

ଏବେ ଲକ୍ଡାଉନ୍ ଦୁଇ ସପ୍ତାହ ବଢ଼ିବା ପରେ ପୁଣିଥରେ ଆଶଙ୍କା ଭିତରକୁ ଠେଲି ହୋଇଯାଇଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କାରଣ ନୂଆ ଗାଇଡଲାଇନ୍ ଅନୁସାରେ ତିନିଟି ଯାକ ଜୋନରେ ଅର୍ଥାତ୍ ରେଡ୍, ଅରେଂଜ ଓ ଗ୍ରୀନ ଜୋନରେ ଧାର୍ମିକ ସ୍ଥଳ ଓ ଧାର୍ମିକ ସମାବେଶ ଉପରେ ଲାଗିଥିବା କଟକଣା ଜାରି ରହିଛି । ତେଣୁ ଲକ୍ଡାଉନ୍ ଅବଧି ମଧ୍ୟରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବନାହିଁ । ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ, କଟକଣା ଯୋଗୁଁ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ମେ’ ୧୭ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ରହିବ, ସେପର୍ଯ୍ୟନ୍ତ ଅପେକ୍ଷା କଲେ ରଥକାମ ପ୍ରାୟ ୨୧ ଦିନ ବିଳମ୍ବ ହୋଇସାରିଥିବ । ବିଳମ୍ବରେ କାମ ଆରମ୍ଭ ହେଲେ ରଥନିର୍ମାଣ ସମ୍ଭବ ନୁହେଁ ବୋଲି କହିଛନ୍ତି ବିଶ୍ୱକର୍ମା ସେବାୟତ ।

Ratha Yatra,Puri. | Puri Police
Puri Police

କେନ୍ଦ୍ର ସରକାରଙ୍କ ତାଲିକାରେ ଗ୍ରୀନ ଜୋନରେ ରହିଛି ପୁରୀ । ତେଣୁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଯୁକ୍ତି ବାଢିଛନ୍ତି ପରିଚଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ସେହିପରି ସରକାର ତୁରନ୍ତ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ ସେବାୟତ । ଜୁନ୍ ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଦିନ ଗଡ଼ି ଗଡ଼ି ଚାଲିଥିବାରୁ ସଂଦେହ ବଢ଼ି ବଢ଼ି ଚାଲିଛି । ରଥଯାତ୍ରା ନେଇ ପରିଚାଳନା କମିଟି ଓ ସରକାର କି ନିଷ୍ପତ୍ତି ନେଉଛନ୍ତି, ତା’ ଉପରେ ରହିଛି ସମସ୍ତଙ୍କ ନଜର ।

ସମ୍ବନ୍ଧିତ ଖବର