ଅବଧି ସରିଲା, ଲୋକାୟୁକ୍ତ ନିଯୁକ୍ତି ହେଲାନାହିଁ: ନିରଞ୍ଜନ

ଭୁବନେଶ୍ୱର : ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ଇତିମଧ୍ୟରେ ଶେଷ ହୋଇଛି। କିନ୍ତୁ ରାଜ୍ୟ ସରକାର ସେହି ଆଦେଶକୁ କାର୍ଯ୍ୟକାରୀ କରିନାହାନ୍ତି। ଲୋକାୟୁକ୍ତ ନିଯୁକ୍ତିି ହୋଇଥିଲେ ବିଭିନ୍ନ ସ୍ତରରେ ହେଉଥିବା ଦୁର୍ନୀତି ସମ୍ପର୍କରେ ତଦନ୍ତ କରି ସମସ୍ତଙ୍କର ମୁଖା ଖୋଲିଥାନ୍ତେ। କିନ୍ତୁ ବିଜେଡ଼ି ସରକାର ତାହା କରିବାକୁ ଦେଲେନାହିଁ ବୋଲି  ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଦଳର ଜଣେ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ସରକାରଙ୍କ ଅସଲ ଚେହେରା ପଦାରେ ପକାଇ ଦେଇଛନ୍ତି। ଓମ୍‌ଫେଡ୍‌ ଦୁଗ୍ଧ ଜରି କିଣା, ସମବାୟ ସମିତିରେ ଦୁର୍ନୀତି ଆଦି ଉଠାଇଛନ୍ତି। ସରକାର ତା’ର ତଦନ୍ତାଦେଶ ଦେଉନାହାନ୍ତି। ଏଥିରୁ ରାଜ୍ୟ ସରକାର କେତେ ସ୍ୱଚ୍ଛ ତାହା ଜଣାଯାଉଛି। ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତ କରିବାକୁ ଭୟ କରୁଛନ୍ତି ବୋଲି ପିସିସି ସଭାପତି କହିଛନ୍ତି।

ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ମଧ୍ୟ ଏକାଧିକ ଦୁର୍ନୀତିରେ ଲିପ୍ତ। ଜାଲ ନୋଟ କାରବାରକୁ ରୋକିବା ପାଇଁ ବିମୁଦ୍ରାକରଣ କରାଗଲା।୯୯%ରୁ ଅଧିକ ପୁରୁଣା ନୋଟ୍‌ ରିଜର୍ଭ ବ୍ୟାଙ୍କ ନିକଟରୁ ଫେରିଆସିଲା। ରାଫେଲ ବିମାନ କିଣା ଚୁକ୍ତିରେ ସର୍ବବୃହତ ଦୁର୍ନୀତି କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି।

ରାଜ୍ୟରେ ବିଜେଡିର ଦୁର୍ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ କିନ୍ତୁ ଦକ୍ଷ ଲୋକାୟୁକ୍ତ ନିଯୁକ୍ତି ନେଇ ସରକାର କାଳ ବିଳମ୍ବ କରିଚାଲିଛନ୍ତି। ସୁପ୍ରିମକୋର୍ଟରେ ଏ ନେଇ ମାମଲା ବିଚାରାଧୀନ ରହିଛି। ଦୁଇମାସ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ କୋର୍ଟ କହିଥିଲେ। ସେହି ସମୟ ସରିଥିଲେ ମଧ୍ୟ ଲୋକାୟୁକ୍ତ ନିଯୁକ୍ତ କରାଯାଇନାହିଁ।

ସମ୍ବନ୍ଧିତ ଖବର