ବିଜେପି ଉପରେ ଭାରି ପଡ଼ିଲେ ବିଜେଡି, କଂଗ୍ରେସ

ଅତିରିକ୍ତ ବଜେଟ ଉପରେ ସରଗରମ ଆଲୋଚନା

ଭୁବନେଶ୍ୱର: ଆଜି ଗୃହରେ ଅତିରିକ୍ତ ବଜେଟ ଉପରେ ପାଖାପାଖି ୪ ଘଣ୍ଟା ଧରି ସରଗରମ ଆଲୋଚନା ହୋଇଥିଲା। ଆଲୋଚନା କାଳରେ ଉଭୟ କଂଗ୍ରେସ, ବିଜେଡି ସଦସ୍ୟମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଗର୍ଜିଥିଲେ। ଏପରି କି ସେମାନେ ମହାନଦୀ, ପୋଲାଭରମ୍‌, ଗୁଜରାଟ୍‌ ମଡେଲ୍‌ ପ୍ରସଙ୍ଗ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟକୁ କଟୁ ସମାଲୋଚନା କରିବାକୁ ପଛେଇ ନଥିଲେ। ସେମାନଙ୍କ ସଣ୍ଡୁଆଶି ଆକ୍ରମଣରେ ବିଜେପି ସଦସ୍ୟମାନେ ଅସହାୟ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ। ସେ କହିଲେ ଯେ ନବୀନ ପଟ୍ଟନାୟକ ସରକାର ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତିନାହିଁ। ପ୍ରତିଶ୍ରୁତି ପୂରଣ ପାଇଁ ସରକାରଙ୍କୁ ୫ ବର୍ଷ ନା ୫୦ ବର୍ଷ ଦରକାର ସେ ନେଇ କୌଣସି ସମୟ ଧାର୍ଯ୍ୟ କରିନାହାନ୍ତି। ନୋବେଲ୍‌ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍‌ଙ୍କ ଉଧୃତି ଜରିଆରେ ସେ କହିଥିଲେ ଶିକ୍ଷା ମୌଳିକ ଅଧିକାର। ବିଶେଷ କରି ଗୁଣାତ୍ମକ ଶିକ୍ଷା। ଏଥିପାଇଁ ଆବଶ୍ୟକ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ପଦବି ପୂରଣ କରିବା ସହିତ ସେମାନଙ୍କୁ ଭଲ ଦରମା ପ୍ରଦାନ କରାଯିବା ଦରକାର। ଫଳରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହୋଇପାରିବ। ସେହିପରି ରାଜ୍ୟରେ ଉଚ୍ଚଶିକ୍ଷାର ଅବସ୍ଥା ଦୟନୀୟ। ଶିକ୍ଷା ସହିତ ସ୍ୱାସ୍ଥ୍ୟ, କୃଷି, ଜଳସେଚନ ଆଦି ମୌଳିକ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଥିଲେ ଶ୍ରୀ ମିଶ୍ର। ବିରୋଧୀ ଦଳ ନେତା ବିଜେପିର ନିର୍ବାଚନ ଇସ୍ତାହାର ଜୁମ୍‌ଲାରେ ଭରପୂର ଅଭିହିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାପୁ ପ୍ରସଙ୍ଗରେ କଟାକ୍ଷ କରିଥିଲେ। ମହାତ୍ମା ଗାନ୍ଧୀଙ୍କୁ ବିଜେପି ଅପମାନିତ କରିଥିବା ସେ କହିଥିଲେ। ଏଭଳି ବିଜେପି ନେତାଙ୍କଠାରୁ କି ଦେଶପ୍ରେମ ଆଶା କରାଯିବ? ମହାନଦୀ ପ୍ରସଙ୍ଗରେ ମଧ୍ୟ ସେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରିଥିଲେ। ବିଜେଡିର ୫ଜଣ ନେତା ଭର୍ତ୍ତୃହରି ମହତାବ, ତଥାଗତ ସତପଥୀ, ଅନଙ୍ଗ ଉଦୟ ସିଂହଦେଓ, ବିଜୟଶ୍ରୀ ରାଉତରାୟ ଏବଂ ଖୋଦ୍‌ ନବୀନ ପଟ୍ଟନାୟକଙ୍କୁ ବ୍ୟଙ୍ଗୋକ୍ତି କରି ସେ କହିଲେ ଯେ ସେମାନେ ୨୦୦୦ ପୂର୍ବରୁ ରାଜ୍ୟରେ କିଛି ହୋଇନାହିଁ ବୋଲି କହୁଛନ୍ତିି। ଏହାର ଅର୍ଥ ହେଉଛି ପୁଅମାନେ ନିଜ ବାପାମା’ଙ୍କୁ ଗାଳିଦେବା ସହିତ ସମାନ ବୋଲି ଶ୍ରୀ ମିଶ୍ର କହିଥିଲେ। ଶେଷରେ ସେ ୨୭ ଦଫା ଦାବି ସମ୍ବଳିତ ତାଲିକା ଗୃହରେ ଉପସ୍ଥାପନ କରି ସେଗୁଡ଼ିକୁ ପୂରଣ କରିବାକୁ ସରକାରଙ୍କୁ କହିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ମଧ୍ୟ ବିଜେପି ସରକାରଙ୍କ ଯୋଗୁଁ ଦେଶରେ ସଂଘୀୟ ବ୍ୟବସ୍ଥା ବିପନ୍ନ ହୋଇଥିବା କହିଥିଲେ।

ବିଜେଡି ବିଧାୟକ ଡ. ଅରୁଣ ସାହୁ କହିଲେ ଯେ ଦେଶରେ ସ୍ୱାଧୀନ ଭାବେ କଥା କହିବା ଅଧିକାରର କଣ୍ଠରୋଧ କରାଯାଉଛି। ଏ ନେଇ ହିଂସା, ଅସହିଷ୍ଣୁତାର ବାତାବରଣ ସୃଷ୍ଟି ହୋଇଛି। ବର୍ତମାନ ଗୁଜରାଟ୍‌ ମଡେଲ୍‌ କ’ଣ, ଜିଏସ୍‌ଟି, ବିମୁଦ୍ରାକରଣର ପରିପ୍ରକାଶ ଘଟୁଛି। ସେହିପରି ଦେଶ ବିଦେଶରେ ମାନ୍ଦାବସ୍ଥା ଦେଖାଦେଇଛି। ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ରାଜସ୍ଥାନ ଭଳି ତଥାକଥିତ ବିକଶିତ ରାଜ୍ୟଗୁଡ଼ିକ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣରେ ବୁଡ଼ିଛନ୍ତି। ଏହା ସତ୍ତ୍ୱେ ଆର୍ଥିକ, ସାମାଜିକ, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଓଡ଼ିଶା ଯେଉଁଭଳି ବିକାଶ କରିଛି, ତାହା ସମଗ୍ର ଦେଶ ପାଇଁ ମଡେଲ୍‌ରେ ପରିଣତ ହୋଇଛି। ଏଣୁ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରକୁ ଦେଉଛି କେତେ ଏବଂ କେନ୍ଦ୍ରଠାରୁ ନେଉଛି କେତେ ସେ ନେଇ ଆକଳନ କରିବାକୁ ଡ. ସାହୁ ଅର୍ଥ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ବିଜେପି ସଦସ୍ୟ ଡା. ବିଭୂତି ଭୂଷଣ ହରିଚନ୍ଦନ କହିଲେ ଯେ ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବା ପରିବର୍ତେ ଗୃହ ନିର୍ବାଚନ ମଞ୍ଚ ପାଲଟିଯାଇଛି। ଗୁଜରାଟ୍‌, ବିଜେପି, ପ୍ରଧାନମନ୍ତ୍ରୀ ଆଦି କଥା ଅଯଥାରେ ଆଲୋଚନା ହେଉଛି ବୋଲି ସେ କହିଥିଲେ। ବିଧାୟକ ପ୍ରଦୀପ ପୁରୋହିତ କହିଲେ ଯେ ନିଜ ଦାୟିତ୍ୱକୁ ବିଜେଡି ସରକାର ଭୁଲି ଯାଇଛନ୍ତି। ଚିଟ୍‌ଫଣ୍ଡ କେଳେଙ୍କାରୀରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଲୁଟ୍‌ ହୋଇଥିବା ସେ ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସଚ୍ଚା ଦେଶଭକ୍ତ ବୋଲି ରାଧାରାଣୀ ପଣ୍ଡା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଡା. ପ୍ରଫୁଲ ମାଝୀ, ସରୋଜ ସାମଲ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସନାତନ ମହାକୁଡ଼, ଦିବ୍ୟଶଙ୍କର ମିଶ୍ର, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର