ବେକାରି ସମସ୍ୟାକୁ ନେଇ ଗର୍ଜିଲା କଂଗ୍ରେସ

ଭୁବନେଶ୍ବର : ବେକାରି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ସମ୍ବେଦନହୀନତାକୁ ସମାଲୋଚନା କରିଛି କ˚ଗ୍ରେସ। ଯେତେବେଳେ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକଯୁବତୀ ନିଯୁକ୍ତିକୁ ନେଇ ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଥିବାବେଳେ ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ୪ଟି ନୂଆ ସପ୍ଟୱୟାର ଟେକ୍‌ନୋଲୋଜି ପାର୍କ(ଏସ୍‌ଟିପିଆଇ) ପ୍ରତିଷ୍ଠା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଲେ, କେନ୍ଦ୍ର ସରକାରଙ୍କ ଏସ୍‌ଟିପିଆଇ ମହାନିର୍ଦେଶକ ୨୦୧୬ରେ ୪ଟି ନୂଆ ଏସ୍‌ଟିପିଆଇ ପ୍ରତିଷ୍ଠା ପାଇଁ ମଞ୍ଜୁରି ପ୍ରଦାନ କରିଥିଲେ। ରାଜ୍ୟର ଅନୁଗୁଳ, ଯାଜପୁର, ସମ୍ବଲପୁର ଓ କୋରାପୁଟରେ ଏସବୁ ପାର୍କ ପ୍ରତିଷ୍ଠା ହେବା କଥା। ନିୟମ ମୁତାବକ ରାଜ୍ୟ ସରକାର ଜାଗା ଚିହ୍ନଟ ପ୍ରକ୍ରିୟା ସଂପାଦନା କଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ଜାଗାର ଉନ୍ନତୀକରଣ କି ଏସ୍‌ଟିପିଆଇକୁ ହସ୍ତାନ୍ତର କଲେ ନାହିଁ। ଇତି ମଧ୍ୟରେ ତିନିବର୍ଷ ବିତିଗଲାଣି। ଏହି ପାର୍କଗୁଡ଼ିକ କାର୍ଯ୍ୟ ଆରମ୍ଭ କରିପାରୁ ନାହିଁ। ଯଦି ଏହି ୪ଟି ଏସ୍‌ଟିପିଆଇ କେନ୍ଦ୍ର ନିର୍ଧାରିତ ସମୟ ଭିତରେ କାର୍ଯ୍ୟ ଆରମ୍ଭ କରିଥାନ୍ତା, ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଥାନ୍ତା।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତ୍‌ପଥୀ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତ, ଓମ୍‌ପ୍ରକାଶ ସାହୁ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର