ପୁଣି ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ସମ୍ବଲପୁର ଲୋକସଭା, ୯ ବିଧାନସଭା ପ୍ରାର୍ଥୀଙ୍କ ନାମ ଆସିଲା, ବଦଳିଲେ ତିନି ପ୍ରାର୍ଥୀ

ଭୁବନେଶ୍ବର : ଆଜି ଓଡ଼ିଶାର ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ଦଳ। ଗତକାଲି ବିଳମ୍ବିତ ରାତିରେ ଦଳ ଯେଉଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା, ଆଜି ସେହି ତାଲିକାରେ ତିନିଟି ଆସନରେ ପ୍ରାର୍ଥୀଙ୍କୁ ବଦଳା ଯାଇଛି। ବେଗୁନିଆ ଆସନ ପାଇଁ ପ୍ରାର୍ଥୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଥିଲା। କିନ୍ତୁ ଆଜି ଘୋଷିତ ତାଲିକାରେ ତାଙ୍କ ସ୍ଥାନରେ ପ୍ରଦୀପ ସାହୁଙ୍କ ନାମ ‌ସ୍ଥାନ ପାଇଛି। ପୃଥ୍ବୀବଲ୍ଲଭ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନୁହଁନ୍ତିି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ସେହିପରି ସମ୍ବଲପୁର ବିଧାନସଭା ଆସନରେ କଂଗ୍ରେସ ଅଶ୍ବିନୀ ଗୁରୁଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରାଇଥିଲା। କିନ୍ତୁ ସେଠାରେ ପ୍ରାର୍ଥୀଙ୍କ ବଦଳାଇ ନୂଆ ମୁହଁ ଭାବେ ଭିମ୍‌ସାର ପୂର୍ବତନ ନିର୍ଦେଶକ ଡା. ଅଶ୍ବିନୀ ପୂଜାହାରୀଙ୍କୁ ପ୍ରାର୍ଥୀ କରାଯାଇଛି। କଟକ ସଦର ଆସନରେ ରତ୍ନାକର ବେହେରାଙ୍କ ନାମ ଘୋଷଣା ହୋଇଥିଲା। ତାଙ୍କ ସ୍ଥାନରେ ଅଭିଷେକ ମହାନନ୍ଦ ପ୍ରାର୍ଥୀ ହୋଇଛନ୍ତିି।

ଆଜି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ଦ୍ବାରା ଓଡ଼ିଶା ପାଇଁ ଚୟନ ହୋଇଥିବା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଏହି ତାଲିକା ଅନୁଯାୟୀ ସମ୍ବଲପୁର ଲୋକସଭା ଆସନ ପାଇଁ ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ଘଷିପୁରା ବିଧାନସଭା ଆସନ ପାଇଁ ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ କଟକ-ଚୌଦ୍ବାର ଆସନ ପାଇଁ ଜଗଦୀଶ ମହାନ୍ତି, ଜୟଦେବ ଆସନ ନିମନ୍ତେ ସୁକାନ୍ତ ତିଆଡ଼ି ଭୋଇ, ଭୁବନେଶ୍ବର ମଧ୍ୟ ପାଇଁ ରାଜୀବ ପଟ୍ଟନାୟକ, ଭୁବନେଶ୍ବର ଉତ୍ତର ପାଇଁ ଇତିଶ୍‌ ପ୍ରଧାନ, ଚିଲିକା ପାଇଁ ପ୍ରଦୀପ ସ୍ବାଇଁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ଦଳ। ଏଥିମଧ୍ୟରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଘଷିପୁରା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତିି। ତେବେ ଗତକାଲି ପିପିଲି ବିଧାନସଭା ଆସନ ପାଇଁ ବରିଷ୍ଠ ଦଳୀୟ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ନାମ ଘୋଷଣା ହୋଇଥିଲା। ବିଳମ୍ବରେ ତାଙ୍କୁ ଟିକେଟ୍‌ ମିଳିଥିବା ‌ଦର୍ଶାଇ ସେ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର