ଆଜି କଂଗ୍ରେସର ସିଇସି ବୈଠକ : ସମସ୍ତ ପ୍ରାର୍ଥୀଙ୍କ ତାଲିକା ଘୋଷଣା ହେବ!

ନୂଆଦିଲ୍ଲୀ/ଭୁବନେଶ୍ବର : ଓଡ଼ିଶାରେ ପ୍ରାର୍ଥୀ ତାଲିକା ଘୋଷଣା କ୍ଷେତ୍ରରେ କଂଗ୍ରେସ ଦଳ ତୁଳନାରେ ବିଜେଡି ଓ ବିଜେପି ଢେର ଆଗରେ। ପରୋକ୍ଷରେ ଏହା ଦଳଡିଆଁ ଓ ଦଳୀୟ ଅସନ୍ତୋଷକୁ ପ୍ରୋତ୍ସାହିତ କରୁଥିବା ପରିଲକ୍ଷିତ ହେଉଛି। ସବୁଠାରୁ ବଡ଼ କଥା ହେଲା ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜଞ୍ଜାଳ ତୁଟି ନଥିବାରୁ ଦଳୀୟ ପ୍ରଚାର ଆଗେଇ ପାରୁନାହିଁ। ତେବେ ଆସନ୍ତାକାଲି ନୂଆଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ବସୁଛି। ବୈଠକରେ ଓଡ଼ିଶାରେ ହେବାକୁ ଥିବା ୩ୟ ଓ ୪ର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ଏପରି କି ଦଳୀୟ ହାଇକମାଣ୍ଡଙ୍କ ମୋହର ବାଜି ପ୍ରାର୍ଥୀ ତାଲିକା ଘୋଷଣା ହେବାର ବି ସମ୍ଭାବନା ରହିଛି। ସପ୍ତାହକ ପୂର୍ବରୁ ପ୍ରାର୍ଥୀମାନଙ୍କ ଉପରେ ସ୍କ୍ରିନିଂ କମିଟି ଆଲୋଚନା କରି ତା’ର ତାଲିକା ସିଇସିକୁ ପଠାଇସାରିଛି। ବର୍ତମାନ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ସରିଥିବାରୁ ପ୍ରଚାର ଅଭିଯାନ ଜୋରଦାର କରିବାର ଆବଶ୍ୟକତା ଅନୁଭବ କରୁଛି କଂଗ୍ରେସ। ଇତି ମଧ୍ୟରେ ତାରକା ପ୍ରଚାରକମାନଙ୍କ ତାଲିକା ଚୂଡ଼ାନ୍ତ ହୋଇସାରିଛି। ଏଣୁ, ପ୍ରାର୍ଥୀ ତାଲିକା ଘୋଷଣା କାର୍ଯ୍ୟ ଆଉ ବିଳମ୍ବ ହେବନାହିଁ ବୋଲି ଜଣେ ଏଆଇସିସି କର୍ମକର୍ତା କହିଛନ୍ତି। ସୂଚନାଯୋଗ୍ୟ, ବର୍ତମାନ ସୁଦ୍ଧା ଓଡ଼ିଶାର ୮ଟି ଲୋକସଭା ଓ ୯୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ ଦଳ।

ତେବେ ସିଇସି ବୈଠକରେ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ବେଳେ ମହିଳା ସମେତ ବିଭିନ୍ନ ବର୍ଗଙ୍କ ପ୍ରତିନିଧିତ୍ବ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯିବାର ଆବଶ୍ୟକତା ରହିଛି। କାରଣ ବର୍ତମାନ ସୁଦ୍ଧା କଂଗ୍ରେସ ଦଳରୁ ଆଶାନୁରୂପକ ମହିଳାଙ୍କୁ ପ୍ରାର୍ଥୀ କରାଯାଇପାରି ନାହିଁ। ଶେଷ ୨ଟି ପର୍ଯ୍ୟାୟର ନିର୍ବାଚନ ନିମନ୍ତେ କେତେସଂଖ୍ୟକ ମହିଳାଙ୍କୁ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳୁଛି, ତାହା ଦେଖିବାର କଥା। ସେହିପରି ଦଳରେ ପ୍ରାର୍ଥୀ ଚୟନ‌ ନେଇ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଉଥିବାରୁ ଏ ନେଇ ମଧ୍ୟ ସିଇସି ଗୁରୁତ୍ବ ଦେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର