ଏପଟେ ୪୪ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କଲା କଂଗ୍ରେସ ପିଇସି, ସେପଟେ ପିସିସି ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ

ଭୁବନେଶ୍ବର : ସୋମବାର କଂଗ୍ରେସ ଆପାତତଃ ୨୦୧୯ ନିର୍ବାଚନ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଛି। । ପ୍ରଦେଶ ଇଲେକସନ୍ କମିଟି (ପିଇସି) ବୈଠକରେ ଏହି ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି । ଚୂଡାନ୍ତ ହୋଇଥିବା ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ସ୍କ୍ରିନିଂ କମିଟିକୁ ପଠାଯିବ ଓ ସେଠାରେ ଏହି ପ୍ରାର୍ଥୀଙ୍କ ବାବଦରେ ଆଲୋଚନା କରାଯାଇ ଟିକେଟ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିବା କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ।

ପିଇସି ବୈଠକରେ ବିଭିନ୍ନ ଜିଲ୍ଲା ତଥା ବ୍ଲକ ସଭାପତି ଓ କର୍ମକର୍ତ୍ତାଙ୍କ ରିପୋର୍ଟ ଆଧାରରେ ୪୪ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରାଯାଇଛି । ଖାସକରି ଯେଉଁମାନଙ୍କର ଜିତିବା ସମ୍ଭାବନା ଅଧିକ ରହିଛି ସେମାନଙ୍କୁ ଦଳ ଗୁରୁତ୍ୱ ଦେଇଛି । ଏହାଛଡା ଯୁବକ ଓ ନୂଆ ମୁହଁକୁ ପ୍ରଥମେ ଅଗ୍ରାଧିକାର ଦିଆଯାଇଛି ବୋଲି ନିରଞ୍ଜନ କହିଛନ୍ତି ।

ପୂର୍ବରୁ ଅଗଷ୍ଟ ମାସରେ ୫୦ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ କହିଥିଲା କଂଗ୍ରେସ । କିନ୍ତୁ ଆଜି ମାତ୍ର ୪୪ ଜଣ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ସ୍କ୍ରିନିଂ କମିଟିକୁ ପଠାଇଛି । ତେଣୁ ଆଗାମୀ ମାସରେ ଆଉ କିଛି ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରାଯିବ ବୋଲି କହିଛନ୍ତି ନିରଞ୍ଜନ । ତେବେ ଚୂଡାନ୍ତ ତାଲିକାରେ କେଉଁ ପ୍ରାର୍ଥୀଙ୍କ ନାଁ ରହିଛି ତାହା ସସପେନ୍ସରେ ରହିଛି । ଆଉ ଏହି ଘୋଷଣା ସହ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଥିବା ବେଳେ କଂଗ୍ରେସ ଶିବିର ଏବେଠୁ ଚଳଚଞ୍ଚଳ ହୋଇ ଉଠିଛି ।

ସମ୍ବନ୍ଧିତ ଖବର