ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ବର : ପିପିଲି ଘଟଣାରେ ବିବାଦୀୟ ବୟାନ ଦେଇ ମନ୍ତ୍ରୀ ପଦ ହରାଇଲେ ପ୍ରଦୀପ ମହାରଥୀ। ଇସ୍ତଫା ଦେବା ପରେ ବି ବିରୋଧୀଙ୍କ ସ୍ବର ନରମିନି। ମହାରଥୀଙ୍କ ଇସ୍ତଫା ପରେ କଂଗ୍ରେସ ବେବିନା ଗଣଦୁଷ୍କର୍ମ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି।

ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ପିପିଲି ମାମଲାରେ ପ୍ରଦୀପ ମହାରଥୀଙ୍କ ଘନିଷ୍ଠ ସହଯୋଗୀମାନେ କ୍ରାଇମ ବ୍ରାଞ୍ଚ ଓ କୋର୍ଟରେ ମତ ପରିବର୍ତ୍ତନ କରି ଭିନ୍ନଭିନ୍ନ ସାକ୍ଷ୍ୟ ଦେଇ ପୁରା ବିଚାର ପ୍ରକ୍ରିୟାକୁ ବିଭ୍ରାନ୍ତ କରିଛନ୍ତି। ମିଡିଆ ସେଲ ଅଧ୍ୟକ୍ଷଙ୍କ କହିବା କଥା, କ୍ରାଇମବ୍ରାଞ୍ଚ୍ ତତ୍କାଳୀନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ଉପାଧ୍ୟକ୍ଷ ଥିବା ଯୁଧିଷ୍ଠିର ସ୍ବାଇଁ ଏବଂ ସମିତିସଭ୍ୟ ତଥା ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁଙ୍କୁ ସାକ୍ଷୀଭାବେ ନ୍ୟାୟାଳୟରେ ହାଜର କରିଥିଲେ। ଆଉ ସେମାନେ ପୁଲିସ ଆଗରେ ପୂର୍ବରୁ ଦେଇଥିବା ବୟାନକୁ ବଦଳାଇ କୋର୍ଟରେ ସାକ୍ଷୀ ଦେଇଥିଲେ। ଏହି ଉଭୟ ବ୍ୟକ୍ତି ବିଜେଡିର ପ୍ରମୁଖ କର୍ମୀ ଏବଂ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଅତି ଘନିଷ୍ଠ ସହଯୋଗୀ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ମହାରଥୀଙ୍କ ପ୍ରରୋଚନାରେ ଘଟଣାର ସାକ୍ଷୀ ଓ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ହୋଇଥିଲା। ଖାଲି ସେତିକି ନୁହେଁ, ପୀଡ଼ିତାଙ୍କ ପରିବାର ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ନିଯୁକ୍ତି କରିବା ପାଇଁ ବିଧିବଦ୍ଧ ଭାବରେ ଆବଦେନ କରିବା ସତ୍ତ୍ବେ ରାଜ୍ୟ ସରକାର ଏହାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛନ୍ତି। ଏବେ ଘଟଣାର ସାନି ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା କରିବାକୁ ଦାବି କରିଛି କଂଗ୍ରେସ।

ଏହି ଘଟଣାରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି, ପିପିଲି ଘଟଣାରେ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଯଥେଷ୍ଟ ନୁହେଁ, ଏହାଦ୍ବାରା ପୀଡ଼ିତା ପରିବାରକୁ ନ୍ୟାୟ ମିଳିନି। ତୁରନ୍ତ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ସରକାର ତ୍ବରିତ୍ ପଦକ୍ଷେପ ନେବା ଦରକାର।

ସମ୍ବନ୍ଧିତ ଖବର