‘ଆପଣଙ୍କ ମତ ହିଁ ହେବ କଂଗ୍ରେସର ଇସ୍ତାହାର’ କାର୍ଯ୍ୟକ୍ରମର ଶୁଭାରମ୍ଭ

‘ଉଭୟ ରାଜ୍ୟ ଓ କେନ୍ଦ୍ରରେ ଲୋକେ ପରିବର୍ତ୍ତନ ଚାହୁଛନ୍ତି’, ରାଜ୍ୟର କଣ ଅବସ୍ଥା ହୋଇଛି ସମସ୍ତେ ଜାଣୁଛନ୍ତି

ସମ୍ବଲପୁର : ରାଜ୍ୟର ବହୁତ ବିକାଶ ହୋଇଛି ବୋଲି ଡିଣ୍ଡିମି ପିଟା ଯାଉଛି। କିନ୍ତୁ ପ୍ରକୃତରେ କିଛି ବିକାଶ ହୋଇ ନାହିଁ। ବରଂ ରାଜ୍ୟ ଦିନକୁ ଦିନ ରସାତଳକୁ ଯାଉଛି। ତେଣୁ ଏହି ସରକାରକୁ ବଦଳାଇବାର ବେଳ ଆସି ଯାଇଛି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି। ରବିବାର ସମ୍ବଲପୁରରେ ଦଳ ପକ୍ଷରୁ ‘ଆପଣଙ୍କ ମତ ହିଁ ହେବ କଂଗ୍ରେସର ଇସ୍ତାହାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ପଟ୍ଟନାୟକ କହିଲେ, ଯଦି ରାଜ୍ୟରେ ୬୫% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି ତାହେଲେ କି ବିକାଶ ହେଲା? ୧୮ ବର୍ଷ ତଳେ ଦାରିଦ୍ର୍ୟରେ ୬ଟି ରାଜ୍ୟ ଓଡ଼ିଶାର ତଳେ ଥିଲେ। ଏବେ ଓଡ଼ିଶା ସବୁଠୁ ତଳକୁ ଖସି ଯାଇଛି। ଯଦି ବିକାଶ ହୋଇଛି ତାହେଲେ ଚାଷୀ ଆତ୍ମହତ୍ୟା କରୁଛନ୍ତି କାହିଁକି। ଗାଁଗାଁରୁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ କାହିଁକି ଯାଉଛନ୍ତି? ସବୁ ରାଜ୍ୟ ଚାଷୀଙ୍କୁ ବୋନସ ଦେଉଥିଲାବେଳେ ଓଡ଼ିଶା କ‌ାହିଁକି ଦେଉ ନାହିଁ? ରାଜ୍ୟର ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପ୍ରତି ଦିନ ୧୫ରୁ ୧୮ ଜଣ ମାଆଭଉଣୀଙ୍କ ସୁରକ୍ଷା ବିପନ୍ନ ହେଉଛି। ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ଗଲାଣି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ପ୍ରତି ବର୍ଷ ଗ୍ରାମାଞ୍ଚଳରେ ୮୫% ଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ୁଛନ୍ତି। ତେଣୁ ରାଜ୍ୟରେ କିଭଳି ବିକାଶ ହୋଇଛି ସମସ୍ତେ ଅନୁଭବ କରି ପାରୁଥିବେ। କଂଗ୍ରେସ କ୍ଷମତାକୁ ଆସିଲେ ଆପଣଙ୍କ ମତ ହିଁ ଓଡ଼ିଶାର ଭବିଷ୍ୟତ ନିର୍ଧାରଣ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଏଆଇସିସି ପର୍ଯ୍ୟବେକ୍ଷକ ମସ୍ତାନ ଅଲୀ କହିଥିଲେ ଏଥର ରାଜ୍ୟରେ ଓ ଦେଶରେ ପରିବର୍ତ୍ତନ ଆସିବ। ଲୋକେ କଂଗ୍ରେସ୍‌କୁ ଚାହୁଁଛନ୍ତି।

ଜିଲ୍ଲା କଂଗ୍ରେସ୍‌ ସଭାପତି ତଥା ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାମାନେ ‌ଉପସ୍ଥିତ ଲୋକଙ୍କଠାରୁ ବିଭିନ୍ନ ପ୍ରସ୍ତାବ ଶୁଣି ଲିପିବଦ୍ଧ କରିଥିଲେ। ଇସ୍ତାହାର କମିଟି ଆବାହକ ବିସ୍ମୟ ମହାପାତ୍ର, ସୋସିଆଲ ମିଡିଆ କମିଟି ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ଇସ୍ତାହାର କମିଟି ସଦସ୍ୟ ସୁଦର୍ଶନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବତନ ମନ୍ତ୍ରୀ କିଶୋର ପଟେଲ, ରିପୁନାଥ ସେଠ, ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା, ସତ୍ୟ ଭୂଷଣ ସାହୁ, ବୀରେନ୍ଦ୍ର ପାଣ୍ଡେ, ରାଜେନ୍ଦ୍ର ଛତ୍ରିଆ, ଦୁର୍ଯୋଧନ ଗର୍ଡିଆ, ନିହାର ମହାନନ୍ଦଙ୍କ ସମେତ ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଆସଫ ଅଲୀ ଖାନ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ସାଧାରଣ ଲୋକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଠାରେ ଉଦ୍‌ଘାଟିତ ହୋଇଥିବା ‘ଆପଣଙ୍କ ମତ ହିଁ ହେବ କଂଗ୍ରେସର ଇସ୍ତାହାର’ କାର୍ଯ୍ୟକ୍ରମ ରାଜ୍ୟର ୨୧ଟି ସ୍ଥାନରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରା ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ସମଲେଶ୍ବରୀ ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର