୧୦ରେ ଭାରତ ବନ୍ଦ ପାଇଁ କଂଗ୍ରେସର ପ୍ରସ୍ତୁତି

ଆମ୍ବୁଲାନ୍ସ, କ୍ଷୀରଗାଡ଼ି, ଔଷଧ ଦୋକାନ ଆଦି ବନ୍ଦରୁ ବାଦ୍‌

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରେ ମୋଦୀ ସରକାରଙ୍କ ନେତୃତ୍ୱରେ ପେଟ୍ରୋଲ୍‌, ଡିଜେଲ୍‌ର ଆକାଶଛୁଆଁ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦକୁ ସମଗ୍ର ରାଜ୍ୟରେ ସଫଳ କରିବା ଉଦ୍ଦେଶ୍ୟରେ ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରି ବନ୍ଦ ସପକ୍ଷରେ ଜନ ସଚେତନତା ସୃଷ୍ଟି କରିବାକୁ ସେ ଦଳୀୟ କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟତଃ ଉପକୂଳ ଜିଲ୍ଲାଗୁଡ଼ିକର ଦଳୀୟ ସଭାପତି ଓ କର୍ମକର୍ତାମାନେ ଓ କିଛି ବିଧାୟକ ଯୋଗ ଦେଇଥିଲେ। ଜାତୀୟ ସ୍ତରରେ କଂଗ୍ରେସ ସମେତ ୧୭ଟି ରାଜନୈତିକ ଦଳଗୁଡ଼ିକଙ୍କ ବନ୍ଦ ପାଳନ ଆହ୍ଵାନକୁ ସମାଜବାଦ୍‌ ପାର୍ଟିର ଓଡ଼ିଶା ସଭାପତି ରବି ବେହେରା ସମର୍ଥନ ଜଣାଇଛନ୍ତିି।

ଭାରତ ବନ୍ଦ ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ଧନଜୀବନର ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ପୁଲିସ ଡିଜି ଓ ଅନ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି। ବନ୍ଦ ପାଳନ ସମୟରେ ସଚିବାଳୟର ପଛ ଫାଟକ ବ୍ୟତୀତ ଅନ୍ୟ ସମସ୍ତ ଫାଟକ ବନ୍ଦ ରହିବ। ସଚିବାଳୟର ସୁରକ୍ଷା ବ୍ୟବସ୍ଥା ପାଇଁ ଗୃହ ବିଭାଗ ଜାରି କରିଛି ମାର୍ଗଦର୍ଶିକା। ବନ୍ଦ ପାଳନ ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଫିସ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏଥିପାଇଁ ପୁଲିସ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

ଆମ୍ବୁଲାନ୍ସ, କ୍ଷୀରଗାଡ଼ି, ଔଷଧ ଦୋକାନ ଆଦି ବନ୍ଦରୁ ବାଦ୍‌

ଭୁବନେଶ୍ୱର : ଆସନ୍ତା ୧୦ ତାରିଖ ସୋମବାର ଦିନ ଭାରତ ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ଯଥା: ଆମ୍ବୁଲାନ୍ସ ସେବା, କ୍ଷୀରଗାଡ଼ି ଚଳାଚଳ, ପରୀକ୍ଷାର୍ଥୀମାନଙ୍କୁ କୌଣସି ପ୍ରକାର ବାଧା ନ ଦେବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଔଷଧ ଦୋକାନଗୁଡ଼ିକୁ ମଧ୍ୟ ବନ୍ଦରୁ ବାଦ୍‌ ଦିଆଯିବ। ବନ୍ଦ ପାଳନ ସମୟରେ ଯେପରି କୌଣସି ବିଶୃଙ୍ଖଳା, ଗଣ୍ଡଗୋଳ ଯେପରି ସଂଗଠିତ ନ ହୁଏ ସେଥିପ୍ରତି ନଜର ରଖିବାକୁ ପିସିସି ସଭାପତି ସେ ଦଳୀୟ କର୍ମକର୍ତମାନଙ୍କୁ ପରାମର୍ଶ ଦେଇଛନ୍ତିି।

ସମ୍ବନ୍ଧିତ ଖବର