କଂଗ୍ରେସ ପ୍ରଥମଥର ଭାଗନେଲା,ଏକକ ନିରଙ୍କୁଶ ଦଳ ବନିଲା

୧୯୩୦ ସେପ୍ଟେମ୍ବରରେ ବ୍ରିଟିସ ସରକାର ଚତୁର୍ଥ ସାଧାରଣ ନିର୍ବାଚନ କରନ୍ତି। କେବଳ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା ପାଇଁ ହୋଇଥିବା ଏହି ନିର୍ବାଚନକୁ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ ବର୍ଜନ କରିଥିଲା। ମୋଟ ୧୦୪ ଆସନ ବିଶିଷ୍ଟ ଏହି ସଦନରେ ହରି ସିଂହ ଗୋୖରଙ୍କ ନେତୃତ୍ବାଧୀନ ଜାତୀୟତାବାଦୀ ଦଳକୁ ସର୍ବାଧିକ ୪୦ ଆସନ ମିଳିଥିବା ବେଳେ ଅବ୍‌ଦୁଲ ରହିମ୍‌ଙ୍କ ସ୍ବାଧୀନ ପ୍ରାର୍ଥୀମାନେ ୩୦ ଆସନ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ସେହିପରି ଅସଂଲଗ୍ନ ସ୍ବାଧୀନ, କ୍ଷୁଦ୍ର ଦଳ ଓ ଅଜଣା ପ୍ରାର୍ଥୀମାନେ ୨୫ ଆସନ ହାତେଇଥିଲେ। ସାର୍ ଲେଓ୍‌ଲି ହଡ୍‌ସନ୍‌ଙ୍କ ନେତୃତ୍ବାଧୀନ ୟୁରୋପୀୟମାନେ ମୋଟ ୯ଟି ଆସନରେ ଜିତିଥିଲେ। ମୂଳତଃ ୟୁରୋପୀୟ(ବ୍ରିଟିସ ସିଭିଲ୍ ସଭାର୍ଣ୍ଟ)ମାନଙ୍କୁ ନେଇ ଗଠିତ କେନ୍ଦ୍ର ସରକାରରେ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ସାର୍ ନ୍ରିପେନ୍ଦ୍ରନାଥ ସିର୍‌କାର୍, ପି.ରାଘବେନ୍ଦ୍ର ରାଉ, ଗିରିଜା ଶଂକର ବାଜପେୟୀ, ପି.ବର୍ମା, କେ.ସଂଜୀଭା ରୋ’ ଓ ଏନ୍.ଆର୍.ପିଲ୍ଲେଇ ପ୍ରମୁଖ ସ୍ଥାନ ପାଇଥିଲେ। ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ଛାଡ଼ିଦେଲେ ପୂର୍ବଥର ବିଜୟୀ ଅନ୍ୟ ପ୍ରମୁଖ ଜାତୀୟତାବାଦୀ ନେତା ଏ ଥର ଲଢ଼ିନଥିଲେ କିମ୍ବା ହାରିଯାଇଥିଲେ। ଓଡ଼ିଶାରୁ ଏ ଥର ସୀତାକାନ୍ତ ମହାପାତ୍ର ଓ ଭୁବାନନ୍ଦ ଦାସ ବିହାର ଓ ଓଡ଼ିଶା ପ୍ରାଦେଶିକ ବିଧାନସଭାରୁ କେନ୍ଦ୍ରୀୟ ବ୍ୟବସ୍ଥାପିକାକୁ ନିର୍ବାଚିତ ହୋଇଥିଲେ। ୧୯୨୦ରେ ପ୍ରଥମ ଥର ପାଇଁ ଦେଶରେ ବ୍ରିଟିସ ସରକାର ନିର୍ବାଚନ କରାଇଥିଲେ ହେଁ ୧୪ ବର୍ଷ ପରେ ଅର୍ଥାତ ୧୯୩୪ରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାପିକାର ନିର୍ବାଚନରେ ଭାଗ ନେଇଥିଲା। ଏହି ପଞ୍ଚମ ସାଧାରଣ ନିର୍ବାଚନରେ କେନ୍ଦ୍ରୀୟ ବ୍ୟବସ୍ଥାପକର ମୋଟ ୧୪୭ ଆସନରୁ ଭୁଲାଭାଇ ଦେଶାଇଙ୍କ ନେତୃତ୍ବାଧୀନ ଭାରତୀୟ ଜାତୀୟ କଂଗ୍ରେସ ସବାର୍ଧିକ ୪୨ଟି ଆସନ ହାସଲ କରିଥି‌ଲା। ମହମ୍ମଦ ଅଲ୍ଲି ଜିନ୍ନାଙ୍କ ସମେତ ୪୧ ଜଣ ସ୍ବାଧୀନ ପ୍ରାର୍ଥୀ ଜିତିଥିବା ବେଳେ କଂଗ୍ରେସ ନ୍ୟାସନାଲିଷ୍ଟ ପାର୍ଟିକୁ ୧୨ ଓ ବିଚ୍ଛିନ୍ନତାବାଦୀ ପିପୁଲ୍ସ ପାର୍ଟିକୁ ୩ଟି ଆସନ ମିଳିଥିଲା। ପୂର୍ବଭଳି ହଡ୍‌ସନ୍ ଏଥର ମଧ୍ୟ ୟୁରୋପୀୟଙ୍କ ନେତୃତ୍ବ ନେଇଥିଲେ। ତେବେ ଆଗଥର ଅପେକ୍ଷା ସେମାନେ ଗୋଟିଏ କମ୍ ଅର୍ଥାତ ୮ଟି ଆସନ ହାତେଇପାରିଥିଲେ। ଅନ୍ୟ ପକ୍ଷରେ ୪୦ ଜଣଙ୍କୁ ସରକାରଙ୍କ ତରଫରୁ ନିଯୁକ୍ତ କରାଯାଇଥିଲା।

ମୋଟ ୧୪୭ ଆସନରୁ ୫୧ଟି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କଂଗ୍ରେସ ଜିଣିଥିବା ମୋଟ ୪୨ ଆସନରୁ ୩୭ ଜଣ ସାଧାରଣ ଆସନରୁ ଜିଣିଥିଲେ। କଂଗ୍ରେସରୁ ଅଲଗା ହୋଇ କଂଗ୍ରେସ ନ୍ୟାସନାଲିଷ୍ଟ ପାର୍ଟି କରିଥିବା ନେତାମାନେ ମାଧବ ଶ୍ରୀହରି ଆନେଙ୍କ ନେତୃତ୍ବରେ ୧୨ଟି ଆସନ ପାଇଥିଲେ। ସେତେବେଳ ମୁସ୍‌ଲିମ୍ ଲିଗ୍ ମୃତପ୍ରାୟ ଥିବାରୁ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ସମେତ ତୁଙ୍ଗ ମୁସ୍‌ଲିମ୍ ନେତାମାନେ ସ୍ବାଧୀନ ଭାବେ ଲଢ଼ିଥିଲେ। ତେଣୁ ୩୦ଟି ଯାକ ମୁସ୍‌ଲିମ୍ ଆସନରୁ ମୁଖ୍ୟତଃ ମୁସଲମାନ ପ୍ରାର୍ଥୀମାନେ ବହୁସଂଖ୍ୟାରେ ଜିଣିଥିଲେ। ସେମାନଙ୍କ ମଧ୍ୟରୁ ଏକ ବଡ଼ ଅନୁଗତ ଗୋଷ୍ଠୀକୁ ନେଇ ଜିନ୍ନା ପରବର୍ତ୍ତୀ ସମୟରେ ପୁଣି ମୁସ୍‌ଲିମ୍ ଲିଗ୍‌କୁ ସକ୍ରିୟ କରିଥିଲେ। କୋୖତୂହଳର କଥା, ସର୍ବମୋଟ ୩୨ଟି ଆସନରେ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ସେଥିରୁ ୧୨ଟି ମୁସ୍‌ଲିମ୍ ଆସନ ଥିଲା। ୟୁରୋପୀୟ ଓ ସାଧାରଣ ବର୍ଗର ଆଠଟି ଲେଖାଏଁ ଆସନରେ ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ବିନା ପ୍ରତିଦ୍ବନ୍ଦ୍ବିତାରେ ଫଳାଫଳ ନିର୍ଣ୍ଣୟ ହୋଇଥିବା ବେଳେ ଜମିଦାରଙ୍କ ପାଇଁ ଉଦ୍ଦିଷ୍ଟ ଆସନ ମଧ୍ୟରୁ ତିନୋଟିରେ ଓ ବଣିକମାନଙ୍କର ଗୋଟିଏ ଆସନରେ ମଧ୍ୟ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ମୋଟ ମାତ୍ର ୧୪ ଲକ୍ଷ ୧୫ ହଜାର ୮୯୨ ଜଣଙ୍କୁ ମନଦାନ ଅଧିକାର ଦିଆଯାଇଥିଲା। ତନ୍ମଧ୍ୟରୁ ୬ ଲକ୍ଷ ୮ ହଜାର ୧୯୮ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ନିର୍ବାଚନର ଆଉ ଏକ ବିଶେଷତ୍ବ ହେଲା, ପ୍ରଥମ ଥର ପାଇଁ ମହିଳାମାନଙ୍କୁ ସୀମିତ ମତଦାନ ଅଧିକାର ମିଳିଥିଲା। ମାତ୍ର ୮୧ ହଜାର ୬୦୨ ଜଣ ମହିଳାଙ୍କୁ କେବଳ ନିଜ ସ୍ଥାନୀୟ ନିର୍ବାଚନରେ ମତଦାନ ଅଧିକାର ଦିଆଯାଇଥିଲା। ତନ୍ମଧ୍ୟରୁ ୬୨ ହଜାର ୭୫୭ ଜଣ ମହିଳାଙ୍କ ନାମ ଭୋଟ ହେଉଥିବା ନିର୍ବାଚନମଣ୍ଡଳୀରେ ଥିବାରୁ ଅବଶିଷ୍ଟ କେବଳ ୧୪ ହଜାର ୫୦୫ ଜଣ ମହିଳା ଭୋଟର୍‌ଙ୍କୁ ନିରଙ୍କୁଶ ଭୋଟଦାନ ଅଧିକାର ମିଳିଥିଲା।

ସମ୍ବନ୍ଧିତ ଖବର