କଂଗ୍ରେସ କୃଷକ ସେଲ୍‌ର ରୋଡ଼ମ୍ୟାପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର : ରାଜ୍ୟରେ ଚାଷୀଙ୍କ ଦୁଃଖ ଓ ଦୁର୍ଦଶା ପାଇଁ ଉଭୟ ବିଜେଡି ଓ ବିଜେପି ସରକାର ଦାୟୀ। ଏହା ବିରୁଦ୍ଧରେ ଲଢ଼ିବାକୁ କଂଗ୍ରେସ କୃଷକ ସେଲ୍‌ ଚୂଡ଼ାନ୍ତ କରିଛି ରୋଡ୍‌ମ୍ୟାପ୍‌। ଚାଷୀଙ୍କ ହକ୍‌ ଆଦାୟ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। କଳାହାଣ୍ଡି ଜିଲ୍ଲାରୁ ଏହା ଆରମ୍ଭ ହେବ ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ପ୍ରଦେଶ କିଷାନ କ୍ଷେତ ମଜଦୁର କଂଗ୍ରେସର ସାଧାରଣ ଅଧିବେଶନରେ ନିଷ୍ପତ୍ତିି ନିଆଯାଇଛି।

ପିସିସି କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ଯୋଗ ଦେଇଥିଲେ। ସେମାନେ ରାଜ୍ୟରେ କୃଷି ଓ କୃଷକର ବିପର୍ଯ୍ୟୟ ପାଇଁ ବିଜେଡି ଓ ବିଜେପି ଉଭୟ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି। ରାଜ୍ୟର ୧୦ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି। ଅଭାବୀ ବିକ୍ରି, ଫସଲହାନି ଓ ଋଣ ବୋଝରେ ୬୮୯୪ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତିି। ଅନ୍ୟପକ୍ଷରେ ଚାଷ, ଚାଷୀର ବିକାଶ ପାଇଁ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯାହା ଘୋଷଣା କରିଥିଲେ, ସେଥିମଧ୍ୟରୁ ଗୋଟିଏ ବି ପ୍ରତିଶ୍ରୁତି ପାଳନ କରିନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭୋଟ ହାତେଇବା ନିମନ୍ତେ ଚାଷୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣା ଦେଇଚାଲିଥିବା ଶ୍ରୀ ପଟ୍ଟନାୟକ କହିଥିଲେ।

ଏଆଇସିସି ଯୁଗ୍ମ ସଂପାଦକ ଶ୍ରୀ ଶର୍ମା ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରାଯିବ ବୋଲି କହିଥିଲେ। ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ କଂଗ୍ରେସ କୃଷକ ସେଲ୍‌ ସାଧାରଣ ଚାଷୀଙ୍କ ନିକଟରେ ସେମାନଙ୍କ ଦାବି ହାସଲ ପାଇଁ ସଂଗ୍ରାମ କରିବ ବୋଲି କହିଥିଲେ।

ବୈଠକରେ ଉପାଧ୍ୟକ୍ଷ ଦେବୀପ୍ରସନ୍ନ ଚାନ୍ଦ, ଦେବୀପ୍ରସାଦ ପୃଷ୍ଟି, ଶଶିଭୂଷଣ ପାତ୍ର, ସଚ୍ଚିଦାନନ୍ଦ ମହାକୁଡ, ନିତ୍ୟାନନ୍ଦ ପଣ୍ଡା, ସେକ୍‌ ମୋବିନ୍‌, ବୃନ୍ଦାବନ ଖଟେଇ, କୃଷ୍ଣଚନ୍ଦ୍ର ନେପାକ, ଗୋବିନ୍ଦ ପଟେଲ, ଖଗେଶ୍ୱର ଜେନା, ଦେବେନ୍ଦ୍ର କୁମାର ରାଓ, ପ୍ରେମାନନ୍ଦ ସ୍ୱାଇଁ, ସୁକେଶ ପଟ୍ଟନାୟକ, ଅରବିନ୍ଦ ସାମଲ, ନିହାର ଧଳ, ନିରଞ୍ଜନ ବେହେରା, କାର୍ତ୍ତିକଚନ୍ଦ୍ର ଦାସ ପ୍ରମୁଖ ରୋଡମ୍ୟାପ ପ୍ରସ୍ତୁତି ନେଇ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର