ଯାଜପୁରରେ କଂଗ୍ରେସର ତୋଫାନୀ ନିର୍ବାଚନୀ ପ୍ରଚାର : କ୍ଷମତାକୁ ଆସିଲେ ୫ ଘଣ୍ଟାରେ କୃଷି ଋଣ ଛାଡ଼

ଶ୍ରୀକାନ୍ତଙ୍କ ମାଟିରେ ନିରଞ୍ଜନ ଟିମର ଦମଦାର୍ ପ୍ରଦର୍ଶନ, ଇସ୍ପାତ ରାଜଧାନୀରେ ପିସିସି ସଭାପତି ଖେଳିଲେ ବେକାରୀ କାର୍ଡ଼

ଯାଜପୁର/ବରୀ : କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର କୃଷକମାନଙ୍କୁ ୫ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କରିବ। ଶିଳ୍ପାନୁଷ୍ଠାନ ଗୁଡ଼ିକରେ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତିକୁ କଂଗ୍ରେସ ସରକାର କାର୍ଯ୍ୟକାରୀ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି।

ବିଜେଡିର ଗଡ଼ କୁହାଯାଉଥିବା ଯାଜପୁର ଜିଲ୍ଲାରେ କଂଗ୍ରେସ ଦଳର ତୁଙ୍ଗନେତାମାନେ ଆଜି ତୋଫାନୀ ଗସ୍ତ କରି ଦୁଇ ଦୁଇଟି ବିଶାଳ ଦଳୀୟ ସମାବେଶ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନୟକ ଜିଲ୍ଲାର ସବୁଠାରୁ ସଂବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବେକାରୀ କାର୍ଡ ଖେଳିଛନ୍ତି। ହଜାର ହଜାର ବେକାରୀ ଯୁବକଙ୍କ ସମାବେଶ କରି କଂଗ୍ରେସ ପ୍ରତି ଯୁବ ସମାଜ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶା ସୃଷ୍ଟି କରିଛନ୍ତି। ସେହିପରି ବରୀ ମାଟିରେ ଦୀର୍ଘ ୧୮ବର୍ଷ ଧରି କଂଗ୍ରେସ କର୍ମୀ ଓ ସଂଗଠକଙ୍କୁ ଅନ୍ୟ ଦଳ ନିକଟରେ ବନ୍ଧା ପକାଇଥିବା ଶ୍ରୀକାନ୍ତ ଜେନାଙ୍କ ଅନୁପସ୍ଥିତିରେ ନିରଞ୍ଜନଙ୍କ ଟିମ୍ ‌ହଜାର ହଜାର ଲୋକଙ୍କ ସମାବେଶ କରି ଦଳର ଶକ୍ତି ପ୍ରଦର୍ଶନ କରିଛନ୍ତି।

ସୁକିନ୍ଦା ଓ ବରୀ ନିର୍ବାଚନ ମଣ୍ଡଳୀରେ ଆଜି ହଜାର ହଜାର ଦଳୀୟ କର୍ମୀ, ସଂଗଠକ ଓ ଶୁଭେଚ୍ଛୁଙ୍କୁ ନେଇ ବିଜେଡି ଓ ବିଜେପି ସରକାରଙ୍କ ବିରୋଧରେ ଶ୍ରୀ ପଟ୍ଟନାୟକଙ୍କ ଟମ୍ ଯୁଦ୍ଧଂଦେହି ଡ‌ାକରା ଦେଇଛନ୍ତି। ସ୍ଥାନୀୟ ସମସ୍ୟା ଠାରୁ ଆରମ୍ଭ କରି ରାଜ୍ୟର ବିକାଶକୁ ଦିଗହରା କରିଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଶାସନକୁ କଡ଼ା‌ ସମାଲୋଚନା କରିଛନ୍ତି କଂଗ୍ରେସ ନେତାମାନେ।
ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ପିସିସି ସଭାପତି ଜୟଦେବ ଯେନା, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ଏଆଇସିସିର ସଂପାଦକ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଏଆଇସିସିର ସଂପାଦକ ଓ ଓଡ଼ିଶା ପ୍ରଭାରୀ ରୁଦ୍ର ରାଜୁ ପ୍ରମୁଖ କଳିଙ୍ଗନଗରରେ ଆଜି ବିବେକାନନ୍ଦଙ୍କ ଜନ୍ମ ଦିବସରେ ସ୍ଥାନୀୟ ବେକାର ଯୁବକମାନଙ୍କ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କରିଥିବା ବୈମାତୃକ କାର୍ଯ୍ୟକଳାପର କଡ଼ା ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ସତର୍କବାଣୀ ଶୁଣାଇ ଦେଇଛନ୍ତି।

ଐତିହାସିକ ବରୀ ମାଟିରେ ହଜାର ହଜାର କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ ସଂଗଠକଙ୍କୁ ଏକାଠି କରିଥିବା ଉମେଶ ଜେନାଙ୍କ ନେତୃତ୍ବରେ ବରୀରେ ପରିବର୍ତ୍ତନ ହାୱା ବହୁଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ବିରୋଧୀ ଦଳ ଉପମୁଖ୍ୟ ନେତା ଶ୍ରୀ ବିଶ୍ବାଳ ଓ ପୂର୍ବତନ ପିସିସି ସଭାପତି ଶ୍ରୀ ଯେନା କହିବା ସହିତ ବିକାଶ ନାମରେ ଓଡ଼ିଶାବାସୀଙ୍କୁ ଭିକାରୀ କରିଦିଆଯାଇଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ବିଶେଷ କରି ବରୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଦଳୀୟ ନେତା ଶ୍ରୀକାନ୍ତ ଜେନା ଶାସକ ଦଳ ବିଜେଡି ନିକଟରେ ଦୀର୍ଘ ଦିନ ହେଲା ବନ୍ଧା ପକାଇ ରଖିଥିଲେ। ଆଜି ଶ୍ରୀ ଜେନାଙ୍କ ଅନୁପସ୍ଥିତିରେ ଉମେଶ ଜେନାଙ୍କ ନେତୃତ୍ବରେ କଂଗ୍ରେସର ଅଭୂତପୂର୍ବ ସମାବେଶ ଉଭୟ ଶାସକ ବିଜେଡି ଓ ବିଜେପି ଶିବିରରେ ହୃତକମ୍ପନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର