ଚକଡ଼ାକୁ ନେଇ ଅସନ୍ତୋଷ ଝାଡ଼ିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଚକାଡ଼ ରୋଗ ମାଡ଼ିଚାଲିଛି। ଏ ନେଇ ଚାଷୀଙ୍କ ମଧ୍ୟରେ ହତାଶାଭାବ ସୃଷ୍ଟି ହୋଇଛି। ସେ ପଟେ ନକଲି କୀଟନାଶକ ବେପାରୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ରାଜ୍ୟ କୃଷି ବିଭାଗ। ବରଂ ନକଲି ବେପାରୀଙ୍କ ସହିତ କୃଷି ବିଭାଗ ହାତ ମିଳାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି ଏହି ପ୍ରସଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କ˚ଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତିି ଚକଡା ମାଟିଆ ଗୁଣ୍ତିପୋକ ଦ୍ବାରା ବ୍ୟାପୀ ଥାଏ। ଫସଲକୁ ଚକଡ଼ା ରୋଗରୁ ସୁରକ୍ଷିତ ରଖିବା ପାଇଁ ରୋଗ ପ୍ରତିରୋଧୀ ବିଭିନ୍ନ ପ୍ରକାରର କୀଟନାଶକ ଅଛି। କିନ୍ତୁ ସରକାର ଚାଷୀଙ୍କୁ ଏହି ଭେରାଇଟିର କୀଟନାଶକ ଯୋଗାଉନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ ପଚାରିଛନ୍ତିି। ସେ କହିଛନ୍ତି ଯେ ନୂତନ କୀଟନାଶକ ଫ୍ଲୋନିକାମିଡ, ପାଇମେଟ୍ରୋଜିନ୍‌, ଡାଇନୋଟିଫୁରନ ଗୁଣ୍ତି ପୋକ ପାଇଁ ଅତ୍ୟନ୍ତ ଉପଯୋଗୀ। ଦୁର୍ଭାଗ୍ୟର କଥା ଯେ ଏଗୁଡିକ ଓଡିଶା ବଜାରରେ ଉପଲବ୍‌ଧ ନାହିଁ। ଯଦି ବି କେଉଁଠି ମିଳୁଛି ତାହା ନକଲି କି ଅସଲି ତାହାର ଗୁଣବତ୍ତା ପରୀକ୍ଷା ହୋଇପାରୁନାହିଁ। ୨୦୦୦ରୁ ଏଯାବତ୍‌ କୃଷି ବିଭାଗ ପକ୍ଷରୁ ନକଲି କୀଟନାଶକ ବିକୁଥିବା ଗୋଟିଏ ବି ଔଷଧ କମ୍ପାନୀ ଓ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଥିରୁ ନକଲି କୀଟନାଶକ ବେପାରୀ ଓ କୃଷି ବିଭାଗ ମଧ୍ୟରେ ଅସାଧୁ ମେଣ୍ଟ ରହିଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ଓଡ଼ିଶାରେ ଫସଲ ରୋଗ ଓ କୀଟନାଶକ ପରୀକ୍ଷା ପାଇଁ ମାତ୍ର ଗୋଟିଏିକୀଟନାଶକ ପରୀକ୍ଷାଗାର ରହିଛି। ସେହି ପରୀକ୍ଷାଗାରରେ ଅଛନ୍ତି ମାତ୍ର ୩ ଜଣ କର୍ମଚାରୀ। ତିନିବର୍ଷ ତଳେ ସମ୍ବଲପୁରରେ ରାଜ୍ୟର ଦ୍ବିତୀୟ କୀଟନାଶକ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାନଯିବା ଫଳରେ କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ଖତ ଖାଉଛି। ଗୋଟିଏ ପଟେ ରାଜ୍ୟର ଲକ୍ଷାଧିକ ଚାଷୀ ଚକଡା ରୋଗ ଯୋଗୁଁ ହତାଶ ସ୍ଥିତିରେ ଥିବା ବେଳେ, କାହିଁକି ଓ କାହା ସ୍ବାର୍ଥରେ ସମ୍ବଲପୁର କୀଟନାଶକ ପରୀକ୍ଷାଗାରକୁ ସରକାର ତାଲା ପକାଇ ରଖିଛନ୍ତି ବୋଲି ସରକାରଙ୍କୁ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ୍‌ ସ˚ଯୋଜକ ଓମ୍‌ ପ୍ରକାଶ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର