କଂଗ୍ରେସର ମିଶନ ମୁକ୍ତିକାନ୍ତ : ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ୨୧ ହଜାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦେଲେ ୧୧ ହଜାର ଟଙ୍କା

ଭୁବନେଶ୍ୱର : ୨୦୧୫ ଏପ୍ରିଲ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲା ଆସିଥିବା ବେଳେ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜର ନିର୍ମାଣ ଓ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେସାଲିଷ୍ଟ ମେଡ଼ିକାଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ବେଶ୍‌ କିଛି ଦିନ ବିତିଯାଇଥିଲେ ହେଁ ମୋଦି ପ୍ରତିଶ୍ରୁତି ପାଳନ କରିନଥିଲେ। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି କଥା ମନେପକେଇ ଦେବା ପାଇଁ ରାଉରକେଲାରୁ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଥିଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ। ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିଲା ମୁକ୍ତିକାନ୍ତଙ୍କ ଦିଲ୍ଲୀ ଚଲୋ ଅଭିଯାନ। ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକେଇଦେବା।

ତେବେ ମୁକ୍ତିକାନ୍ତଙ୍କ ଦିଲ୍ଲୀ ଅଭିଯାନ ନେଇ ରାଜନୀତି ମଧ୍ୟ ବେଶ୍‌ କିଛି ଦିନ ସରଗରମ ରହିଥିଲା। ଆଉ ମୁକ୍ତିକାନ୍ତଙ୍କ ଏହି ଦିଲ୍ଲୀ ଚଲୋ ଅଭିଯାନକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଭାରତର ଜନସାଧାରଣ ଏବଂ କଂଗ୍ରେସ ଦଳ ପ୍ରତିଶ୍ରୁତି ପୂରଣ କରିବା ସହ ଫଣ୍ଡ ସଂଗ୍ରହ କରିବ ବୋଲି ରାହୁଲ ଗାନ୍ଧୀ ଟ୍ଵିଟ୍‌ କରିଥିଲେ। ଆଉ ତା’ପରେ ଆରମ୍ଭ ହୋଇଥିଲା କଂଗ୍ରେସର ମିଶନ ମୁକ୍ତିକାନ୍ତ। ଏକ ସପ୍ତାହ ଭିତରେ ୨୦ ଲକ୍ଷ ଟଙ୍କା ଆଦୟ କରି ଆଇଜିଏଚକୁ ଦେବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ।

ତେବେ ମିଶନ ମୁକ୍ତିକାନ୍ତ ନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁକ୍ତିକାନ୍ତ କେତେ ବାଟ ଯାଇଛନ୍ତି ମୋତେ ଜଣାନାହିଁ। କିଛି ଦିନ ତଳେ ସେ ଆଗ୍ରାରେ ଥିଲେ। ଆଉ ତା’ପରେ ସେ ଯାତ୍ରା ଆରମ୍ଭ କରିଛନ୍ତି । ଯଥାସମ୍ଭବ ତାଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏନେଇ ସେ ନିଜେ ଯେତେ ପାରିବେ ସାହାଯ୍ୟ କରିବ ବୋଲି ମଧ୍ୟ କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ଏହାସହ ପିସିସି ସଭାପତି ଗଣମାଧ୍ୟମ ମାଧ୍ୟମରେ ମୁକ୍ତିକାନ୍ତଙ୍କୁ ସାହାଯ୍ୟ କରିବା ଅପିଲ ମଧ୍ୟ କରିଥିଲେ। ସୂଚନା ଅନୁସାରେ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ୨୧ ହଜାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୧ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ଏହା ବ୍ୟତୀତ ମିଶନ ମୁକ୍ତିକାନ୍ତ ନେଇ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର ଅଧ୍ୟକ୍ଷ ଭକ୍ତ ଦାସ କହିଛନ୍ତି ବ୍ୟାପକ ଭାବରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ୨୦ ଲକ୍ଷ ଟଙ୍କା ଆଦାୟ ହେବା ନେଇ କହିଛନ୍ତି କେତେ ଟଙ୍କା ଆସିଛି ସେ ବିଷୟରେ ଅଧିକ ଜଣାନାହିଁ । ପିସିସି ସଭାପତିଙ୍କ ପାଖରେ ଅଧିକ ତଥ୍ୟ ଥିବ। ଏହାସହ ସେ ମଧ୍ୟ ମୁକ୍ତିକାନ୍ତଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ଆଇଜିଏଚ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ପରି କେତେକ ଦାବି ନେଇ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରାରେ ଥିବା ମୁକ୍ତିକାନ୍ତ ବିଶ୍ୱାଳ ଶନିବାର ହରିୟାଣାରେ ପ୍ରବେଶ କରିଥିଲେ। ଆସନ୍ତା ୨୭ରେ ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିପାରନ୍ତି ବୋଲି ଆଶା କରାଯାଉଛି। ଶନିବାର ସୁଦ୍ଧା ମୁକ୍ତିକାନ୍ତ ୧୪୬୦ କିମି ପଦଯାତ୍ରା କରିସାରିଛନ୍ତି। ଓଡିଶା ସୀମା ୫୨କିମିକୁ ୨ ଦିନ, ଝାଡ଼ଖଣ୍ଡର ୫ଟି ଜିଲାର ୩୫୩ କିମିକୁ ୧୪ଦିନ, ବିହାରର ୪ ଜିଲାର ୨୦୫କିମିକୁ ୧୨ଦିନ ଏବଂ ଉତ୍ତର ପ୍ରଦେଶର ୧୨ଟି ଜିଲାର ୮୫୦ କିମି ରାସ୍ତା ଅତିକ୍ରମ ପାଇଁ ମୁକ୍ତିକାନ୍ତଙ୍କୁ ୪୧ ଦିନ ସମୟ ଲାଗିଥିଲା। ତାଙ୍କ ମହତ ଉଦ୍ଦେଶ୍ୟ ପଛରେ ସହରବାସୀଙ୍କ ଅକୁଣ୍ଠ ଆଶୀର୍ବାଦ ଓ ଯୁବଜାଗୃତି ମଞ୍ଚର ଦୃଢ ସମର୍ଥନ ରହିଛି ବୋଲି ମଞ୍ଚର ଆବାହକ ଗୋପାଳ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର