ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଚଳିତ ବର୍ଷଠାରୁ ସାରା ଦେଶରେ ଜନ ସମର୍ଥନ ହାସଲ କରିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଆସନ୍ତା ୧୨ ତାରିଖରେ ଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସବୁ ରାଜ୍ୟର ପିସିସି ସଭାପତି, ବିଧାୟକ ଦଳ ନେତା, କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ସମେତ ଏଆଇସିସିର ପଦାଧିକାରୀ ଯୋଗଦେବେ।
ଗାନ୍ଧୀ ଜୟନ୍ତୀ ପାଳନ ନେଇ ଅନୁଷ୍ଠିତ ହେବାକୁ ଥିବା ବୈଠକ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, କଂଗ୍ରେସ ସବୁବେଳେ ଗାନ୍ଧୀଙ୍କ ଆଦର୍ଶରେ କାର୍ଯ୍ୟ କରି ଆସିଛି। ଗାନ୍ଧୀଙ୍କ ପ୍ରଦର୍ଶିତ ରାସ୍ତାରୁ କିଛିଟା ବିଚ୍ୟୁତ ହେବାରୁ ରାଜ୍ୟବାସୀ କଂଗ୍ରେସକୁ କ୍ଷମତାରୁ ଦୂରେଇ ଦେଇଛନ୍ତି। ଏବେ ପୁଣି ଥରେ ଓଡ଼ିଶା ଲୋକଙ୍କ ବିଶ୍ବାସ ଜିତିବା ପାଇଁ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା କରି ଲୋକଙ୍କ ସହ ଦଳର ସମ୍ପର୍କକୁ ମଜବୁତ କରାଯିବ। ଏଥିପାଇଁ ଦଳ ପକ୍ଷରୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ରାଉତରାୟ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/congress-1.jpg)