ଜୋର୍‌ ଧରିଲା ବଦ୍ରି ପୁଅଙ୍କ ଗିରଫ ଦାବି : କେନ୍ଦୁଝରରେ ଥାନା ଘେରିଲା କଂଗ୍ରେସ

ଆନନ୍ଦପୁର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣର ୨୪ ଘଣ୍ଟା ପରେ ବି ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ। ସମସ୍ତ ଘଟଣା ପୁଲିସ୍‌ ସମ୍ମୁଖରେ ଘଟିଛି। ହେଲେ ଚିରାଚରିତ ଢଙ୍ଗରେ ଏକ ପାଲଟା ମାମଲା ରୁଜୁ କରି ପୁଲିସ ଉଭୟ ପକ୍ଷରୁ ୮ ଜଣକୁ ଗିରଫ କରିବା ସହ ମାମଲାକୁ ହାଲୁକା କରିଦେବାକୁ ଉଦ୍ୟମ କରୁଛି। ପୁଲିସ୍‌ର ଏଭଳି କାର୍ଯ୍ୟକୁ ନେଇ କଂଗ୍ରେସ ସମର୍ଥକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅମାନଙ୍କୁ ତୁରନ୍ତ ଗିରଫ ଦାବିରେ ସେମାନେ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଗତକାଲି ପିସିସି ସଭାପତି ପ୍ରଚାର ସାରି ଫେରୁଥିବା ବେଳେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ଓ ସେମାନଙ୍କ ସମର୍ଥକମାନେ ତାଙ୍କୁ ପ୍ରଥମେ ଭଣ୍ତାରିପଡ଼ା ଛକ ଓ ପରେ ନହଙ୍ଗି ଛକରେ ରାସ୍ତା ଅବରୋଧ କରି ଆକ୍ରମଣ କରିଥିଲେ। ଆକ୍ରମଣରେ ନିର୍ବାଚନମଣ୍ତଳୀର କଂଗ୍ରେସ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ପୂର୍ବତନ ବିଧାୟକ ରମେଶ ଜେନା ଓ ୨୦ରୁ ଊର୍ଦ୍ଧ୍ବ କ˚ଗ୍ରେସ ସମର୍ଥକ ଗୁରୁତର ଆହତ ହୋଇଥିଲେ। ଆକ୍ରମଣକାରୀମାନେ ନିରଞ୍ଜନଙ୍କୁ ମଧୢ ଆକ୍ରମଣ କରିବା ସହ ୧୦ଟି ଚାରିଚକିଆ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। କ˚ଗ୍ରେସ କର୍ମୀଙ୍କ ମୋବାଇଲ ଓ ପର୍ସ ନେଇଯାଇଥିବା ଅଭିଯୋଗ ହୋଇଛି।

ଆକ୍ରମଣରେ ଆହତ ହୋଇଥିବା ଦରଡ଼ିପାଳ ଗ୍ରାମର ସଦାନନ୍ଦ ନାୟକ ରାମଚନ୍ଦ୍ରପୁର ଥାନାରେ ଏତଲା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପାଞ୍ଚପୁଅ ଦେବାଶିଷ, ଦେବପ୍ରିୟ, ପ୍ରିୟଦର୍ଶୀ, ବୁବୁ, ଲୁଲୁଙ୍କ ସମେତ ଅକ୍ଷୟ ସାହୁ, ଟିଲୁଆ ବିଶ୍ବାଳ, ଦୀପକ ବେହେରା, ସୌମ୍ୟଶଙ୍କର ଚକ୍ର, ସିଲୁ ପାତ୍ର, ସ˚ଜୟ ରାଉତ ଓ ୧୫୦ରୁ ଊର୍ଦ୍ଧ୍ବ ଲୋକ ଆକ୍ରମଣ କରିଥିବା ନେଇ ସେ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଗଡ଼ବାନ୍ଧଗୋଡ଼ା ଗ୍ରାମର ଅନୀଲ ମହାକୁଡ଼, ଦୀପକ ବିଶ୍ବାଳ, ରାଜେଶ କୁମାର ମୁଖୀ, ହରମେନ୍‌ ସେଠୀକୁ ଗିରଫ କରିଛି। ହେଲେ ମୁଖ୍ୟ ଆକ୍ରମଣକାରୀଙ୍କୁ ଗିରଫ ଏପର୍ଯ୍ୟନ୍ତ କରାଯାଇନଥିବାରୁ ପୁଲିସର ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଗଡ଼ବାନ୍ଧଗୋଡ଼ା ଗ୍ରାମର ବିମଳ କୁମାର ନାୟକ (୫୫)ଙ୍କ ଏତଲା ଅନୁସାରେ ଏକ ପାଲଟା ମାମଲା ରୁଜୁ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଆନନ୍ଦପୁର ବ୍ରିଜ ଛକର ଅରୁଣ କୁମାର ସି˚ହ, ତ୍ରିନାଥ ରଣା, ସେକ୍‌ ସୁରଜ, ଅରୁପ୍ରିତମ ରଣାଙ୍କୁ ପୁଲିସ ଗତକାଲି ଉଦ୍ଧାର କରି ଥାନାରେ ଅଟକ ରଖିଥିଲା। ଏହି ମାମଲାରେ ଆଜି ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କ˚ଗ୍ରେସ ପକ୍ଷରୁ ଏଭଳି ବେଆଇନ ଗିରଫଦାରୀର ଦୃଢ଼ ପ୍ରତିବାଦ କରାଯାଇଛି।

କ˚ଗ୍ରେସ ସମର୍ଥକଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର, ମନ୍ତ୍ରୀଙ୍କ ପାଞ୍ଚପୁଅ ସମେତ ଅନ୍ୟ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଓ ଅବାଧ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦାବିରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳଙ୍କ ନେତୃତ୍ବରେ ଆଜି ପାଞ୍ଚଶହରୁ ଊର୍ଦ୍ଧ୍ବ କ˚ଗ୍ରେସ କର୍ମୀ ଆନନ୍ଦପୁର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳ ପକ୍ଷରୁ ଏ ସମ୍ପର୍କିତ ଏକ ଦାବିପତ୍ର ମଧୢ ଏସ୍‌ଡିପିଓଙ୍କୁ ପ୍ରଦାନ କରାଯାଇଛି।

ଆକ୍ରମଣକାରୀମାନେ ଏହି ଅଞ୍ଚଳରେ ରହିଲେ ଆଇନଶୃଙ୍ଖଳା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ସେହିପରି ନିର୍ବାଚନରେ ହାରିବା ନିଶ୍ଚିତ ଜାଣିପାରି ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଇଙ୍ଗିତରେ ଏଭଳି କାଣ୍ଡ ଭିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଅନ୍ୟପକ୍ଷରେ, ପ୍ରଚାର ସାରି ଶାନ୍ତିଶୃଙ୍ଖଳାର ସହ ଫେରୁଥିବା ବେଳେ ପିସିସି ସଭାପତି ଓ କ˚ଗ୍ରେସ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସବୁଆଡ଼ୁ ବିରୋଧର ସମ୍ମୁଖୀନ ହେବା ପରେ ଲୋକଙ୍କୁ ଭୟଭୀତ କରି ଭୋଟ ହାତେଇବାକୁ ମନ୍ତ୍ରୀଙ୍କ ସମର୍ଥକମାନେ ଉଦ୍ୟମ କରୁଛନ୍ତି ବୋଲି କ˚ଗ୍ରେସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର