ବୈଠକ ସରୁ ସରୁ ରାତି ପାହିଲା, ସିଇସିକୁ ଗଲା ୧୫ ଲୋକସଭା, ୧୦୭ ବିଧାନସଭା ପ୍ରାର୍ଥୀଙ୍କ ନାମ

୧୬ରେ ଚୂଡ଼ାନ୍ତ ତ‌ାଲିକା, ପ୍ରାର୍ଥୀ ଘୋଷଣା ୧୭ରେ

ନୂଆଦିଲ୍ଲୀ/ଭୁବନେଶ୍ବର: ଗତକାଲି ଦିନତମାମ ନୂଆଦିଲ୍ଲୀରେ ଚାଲିଥିବା କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ସରୁ ସରୁ ଆଜି ଭୋର ୪ଟା ବାଜିଯାଇଥିଲା। ବୈଠକରେ ଓଡ଼ିଶାର ୧୫ଟି ଲୋକସଭା ଓ ୧୦୭ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀମାନଙ୍କ ତାଲିକା ଆପାତତଃ ଚୂଡ଼ାନ୍ତ ହୋଇଛି। ସେହି ତାଲିକା ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ପଠାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଓଡ଼ିଶାରେ ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପୂର୍ବରୁ ଅର୍ଥାତ୍‌ ୧୭ ତାରିଖରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟା‌ୟରେ ନିର୍ବାଚନ ସାମ୍ନା କରୁଥିବା ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ପାଇଁ ସମ୍ଭବତଃ କଂଗ୍ରେସ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବ। ସ୍କ୍ରିନିଂ କମିଟିର ମାରାଥନ୍‌ ବୈଠକରୁ ଏଭଳି ଆଭାସ ମିଳିଛି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଅଧିକାଂଶ ଆସନ ପାଇଁ ଆଲୋଚନା ସରିଛି। ଅଳ୍ପ କିଛି ଆସନ ପାଇଁ ବିଚାର ବିମର୍ଶ ଜାରି ରହିଛି। ୧୬ ତାରିଖରେ ସ୍କ୍ରିନିଂ କମିଟି ପୁଣି ଥରେ ବସିବ। ସେଦିନ ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାକୁ ଅନ୍ତିମ ରୂପ ଦିଆଯାଇ ସିଇସିକୁ ପଠାଯିବ। ତେବେ କାହାରି ଟିକେଟ୍‌ ଫାଇନାଲ୍‌ ହୋଇନାହିଁ। ଏ ପର୍ଯ୍ୟନ୍ତ କୌଣସି ତାଲିକା ସିଇସିକୁ ପଠାଯାଇ ନାହିଁ ବୋଲି ସେ କହିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଅଧିକାଂଶ ଆସନ ପାଇଁ ସ୍କ୍ରିନିଂ କମିଟି ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମ ସୁପାରିସ କରିଛି। ଅଳ୍ପ କିଛି ଆସନ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାମ ବି ରହିଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ସିଇସି। ତା’ ଉପରେ ମୋହର ମାରିବେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ। ତେବେ ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ଓ ୬୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି। ଏଥିପାଇଁ ସ୍କ୍ରିନିଂ କମିଟିର କସରତ କରିସାରିଛି। ଏ ପଟେ ଅନେକ ଟିକେଟ୍‌ ଆଶାୟୀ ଦିଲ୍ଲୀରେ ଡେରା ପକାଇଛନ୍ତି। ଆଜି ପିସିସି ସଭାପତିଙ୍କ ନୂଆଦିଲ୍ଲୀ ବାସଭବନରେ ସେମାନଙ୍କର ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା। ବରିଷ୍ଠ ନେତାମାନଙ୍କ ମଧ୍ୟରେ ଜଗନ୍ନାଥ ପଟ୍ଟନାୟକ, ସୁଶୀଲା ତିରିଆ, ତାରାପ୍ରସାଦ ବାହିନୀପତି ପ୍ରମୁଖ ପିସିସି ସଭାପତିଙ୍କୁ ଭେଟି ଆଲୋଚନା କରିଥିଲେ।

ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଲା ଅନେକ ପ୍ରାର୍ଥୀଙ୍କ ନାମ
କାହାରି ଟିକେଟ୍‌ ଚୂଡ଼ାନ୍ତ ହୋଇନାହିଁ: ନିରଞ୍ଜନ

ସ୍କ୍ରିନିଂ କମିଟି ବୈଠକରେ ଯେଉଁ ଆଶାୟୀମାନଙ୍କ ନାମ ଚୂଡ଼ାନ୍ତ ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ନବରଙ୍ଗପୁର ଲୋକସଭା ଆସନରୁ ପ୍ରଦୀପ ମାଝୀ, କଳାହାଣ୍ଡିରୁ ଭକ୍ତଚରଣ ଦାସ, କୋରାପୁଟରୁ ସପ୍ତଗିରି ଉଲାକା, ବଲାଙ୍ଗୀରରୁ ସମରେନ୍ଦ୍ର ମିଶ୍ର, ସମ୍ବଲପୁରରୁ ଶରତ ପଟ୍ଟନାୟକ ଓ ଅମର ପ୍ରଧାନ, କଟକରୁ ପଞ୍ଚାନନ କାନୁନ୍‌ଗୋ ଓ ବିଜୟଲକ୍ଷ୍ମୀ ସାହୁ, ବାଲେଶ୍ବରରୁ ନବଜ୍ୟୋତି ପଟ୍ଟନାୟକ, କନ୍ଧମାଳରୁ ମନୋଜ ଆଚାର୍ଯ୍ୟ ଓ ଚନ୍ଦ୍ରଶେଖର ପରିଡ଼ା, ବ୍ରହ୍ମପୁରରୁ ଭି. ଚନ୍ଦ୍ରଶେଖର, ଢେଙ୍କାନାଳରୁ କେ.ପି. ସିଂହଦେଓ, କେନ୍ଦ୍ରାପଡ଼ାରୁ ଧରଣୀଧର ନା‌ୟକ, ଜଗତ୍‌ସିଂହପୁରରୁ ବିଭୁପ୍ରସାଦ ତରାଇ ଓ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ। ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଜର୍ଜ ତିର୍କୀଙ୍କ ନାମ ଆଗରେ ଥିବା ବେଳେ ଡା. ପ୍ରଫୁଲ୍ଲ ମାଝୀଙ୍କ ନାମକୁ ବି ତାଲିକାରେ ରଖାଯାଇଛି। କିନ୍ତୁ ଭଦ୍ରକ, ଯାଜପୁର, ପୁରୀ ଓ କେନ୍ଦୁଝର ଲୋକସଭା ଆସନ ପାଇଁ ଆଲୋଚନା ଆଗେଇ ପାରିନାହିଁ। ଯାଜପୁର ଲୋକସଭା ଆସନରେ କଂଗ୍ରେସ ଜଣେ ମହିଳା ପ୍ରାର୍ଥୀଙ୍କୁ ଛିଡ଼ା କରାଇପାରେ। ପୁରୀ ଲୋକସଭା ଆସନରେ ସୁଚରିତା ମହାନ୍ତିଙ୍କ ସ୍ଥାନରେ ନୂଆ ମୁହଁ ସନ୍ଧାନ କରୁଛି କଂଗ୍ରେସ। କେନ୍ଦୁଝର ଆସନରେ ସନାତନ ମହାକୁଡ଼ଙ୍କ ନାମ ବି ଚର୍ଚାକୁ ଆସିଛି। ଭଦ୍ରକ ଲୋକସଭା ଆସନ ପାଇଁ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ନାମ ପୂର୍ବରୁ ରହିଛି। କିନ୍ତୁ ସେଠାରେ ତାଙ୍କ ବଦଳରେ ଆଉ ଜଣେ ପ୍ରାର୍ଥୀଙ୍କ ନାମ ଆଗକୁ ଆସିଛି। କଂଗ୍ରେସ ସହଯୋଗୀ ଦଳ ଭାବେ ସିପିଆଇକୁ ଆସ୍କା ଲୋକସଭା ଆସନ, ସିପିଆଇ(ଏମ୍‌)କୁ ଭୁବନେଶ୍ବର ଆସନ ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚାକୁ ମୟୂରଭଞ୍ଜ ଲୋକସଭା ଆସନ ଛାଡ଼ିଦେବା ଆପାତତଃ ଚୂଡ଼ାନ୍ତ। ବରଗଡ଼ ଆସନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଅଟକି ରହିଛି। ସେଠାରେ ଚର୍ଚାରେ ରହିଛି ହେମାନନ୍ଦ ବିଶ୍ବାଳ ଓ ପ୍ରକାଶ ଦେବତାଙ୍କ ନାମ। ବିଧାନସଭା ଆସନ ପାଇଁ ଯେଉଁ ଆଶାୟୀମାନଙ୍କ ନାମ ଆଗରେ ରହିଛି ସେମାନେ ହେଉଛନ୍ତି ଝରିଗାଁ-ଉଲ୍ଲଧର ମାଝୀ, ଉମରକୋଟ-ଯତୀନ୍ଦ୍ର ଗଣ୍ଡ, ଡାବୁଗାଁ-ଭୂଜବଳ ମାଝୀ, ନବରଙ୍ଗପୁର-ସଦନ ନାୟକ, କୋଟପାଡ଼-ଚନ୍ଦ୍ରଶେଖର ମାଝୀ, ଚିତ୍ରକୋଣ୍ଡା-ଲକ୍ଷ୍ମୀପ୍ରିୟା ନାୟକ, ମାଲକାନଗିରି-ମାଲା ମାଡ଼ି ପ୍ରମୁଖ। ସେହିପରି ସ୍କ୍ରିନିଂ କମିଟିର ଆଲୋଚନାରେ ଜୁନାଗଡ଼ରୁ ଅନିଲ ସିଂହଦେଓ, ଲାଞ୍ଜିଗଡ଼ରୁ ଶିବାଜୀ ମାଝୀ, ଜୟପୁରରୁ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁରରୁ କୈଳାସ ଚନ୍ଦ୍ର କୁଲେସିକା, ପାରଳାଖେମୁଣ୍ଡିରୁ କେ. ସୂର୍ଯ୍ୟ ରାଓ, ବ୍ରହ୍ମପୁରରୁ ଲିଙ୍ଗରାଜ ଚୌଧୁରୀ, ତଲସରାରୁ ଡ. ପ୍ରଫୁଲ୍ଲ ମାଝୀ, ଜଗତ୍‌ସିଂହପୁରରୁ ଚିରଞ୍ଜୀବ ବିଶ୍ବାଳ, ତ‌ିର୍ତୋଲରୁ ପ୍ରତିମା ମଲ୍ଲିକ, ଆଳିରୁ ଦେବେନ୍ଦ୍ର ଶର୍ମା, କାକଟପୁରରୁ ବିଶ୍ବଭୂଷଣ ଦାସଙ୍କ ନାମଗୁଡ଼ିକ ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଛି। ସେହିପରି ନିମାପଡ଼ା, ଭୁବନେଶ୍ବର(ଏକାମ୍ର), କଟକ-ବାରବାଟୀ, କଟକ-ଚୌଦ୍ବାର, ଭଦ୍ରକ, ଭଣ୍ଡାରିପୋଖରୀ, ଆନନ୍ଦପୁର, ଛେଣ୍ଡିପଦା, ରାଜଗାଙ୍ଗପୁର, କାମାକ୍ଷାନଗର, କେନ୍ଦ୍ରାପଡ଼ା, ଚାନ୍ଦବାଲି, ଦେବଗଡ଼, ଭୋଗରାଇ, ଜଳେଶ୍ବର ଆଦି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ଏକପ୍ରକାର ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ସ୍କ୍ରିନିଂ କମିଟିର ପରବର୍ତୀ ତଥା ଚୂଡ଼ାନ୍ତ ବୈଠକରେ ଅବଶିଷ୍ଟ ଲୋକସଭା ଓ ବିଧାନସଭା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ମନୋନୟନ ଚୂଡ଼ାନ୍ତ କରାଯିବ।

ସମ୍ବନ୍ଧିତ ଖବର