ଚିଟ୍‌ଫଣ୍ଡ ଓ କୋଇଲା କେଳେଙ୍କାରୀ : ବିଜେଡି,ବିଜେପିକୁ ଦାୟୀ କଲା କଂଗ୍ରେସ

ଭୁବନେଶ୍ବର : ଓଡ଼ିଶାରେ ଚିଟ୍‌ଫଣ୍ଡ କେଳେଙ୍କାରୀରେ ୨୨,୯୦୧ କୋଟିରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି। ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ୨.୪ ଲକ୍ଷରୁ ଅଧିକ ଜମାକାରୀ। ଏହି କେଳେଙ୍କାରୀରେ ବିଜେଡି ଓ ବିଜେପି ଦାୟୀ। ଏପରି କି ମୁଖ୍ୟମନ୍ତ୍ରୀ ଜଡ଼ିତ ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି। ଅନୁରୂପ ଭାବେ କୋଇଲା ଦୁର୍ନୀତିରେ ବିଜେପି-ବିଜେଡି ଦାୟୀ ବୋଲି ଅଭିଯୋଗ ହୋଇଛି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପ ସଭାପତି ଯଜ୍ଞେଶ୍ବର ବା‌ବୁ କହିଥିଲେ ଯେ ଚିଟ୍‌ଫଣ୍ଡ କେଳେଙ୍କାରୀରେ ବିଜେଡିର ସାଂସଦ ରାମଚନ୍ଦ୍ର ହାଁସଦା, ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଗିରଫ ହୋଇ ଜେଲ୍‌ ଯାଇସାରିଛନ୍ତି। ବାଲେଶ୍ବର ସାଂସଦ ରବିନ୍ଦ୍ର ଜେନା, ବିଧାୟକ ପ୍ରଣବ ବଳବନ୍ତରାୟ ଏଥିରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଛି। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମାଙ୍କୁ ବି‌ ଜେରା ପାଇଁ ସିବିଆଇ ସମନ୍‌ ପଠାଇଛି। ଏହି କେଳେଙ୍କାରୀରେ ବିଜେପି ବି ଦାୟୀ। ଏହାର ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତି ବି ନବଦିଗନ୍ତ ଚିଟ୍‌ଫଣ୍ଡ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ଚିଟ୍‌ଫଣ୍ଡ ଜମାକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ଆହୁରି ୨/୩ ବର୍ଷ ଲାଗିବ ବୋଲି ଶ୍ରୀ ଯଜ୍ଞେଶ୍ବର କହିଥିଲେ।

ସମ୍ବନ୍ଧିତ ଖବର