ବିଜେପି ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ବିରୋଧୀ: କଂଗ୍ରେସ

ବିଜେପିର ଜବାବ, କଂଗ୍ରେସ ନିଜ ହତାଶଭାବକୁ ପ୍ରଦର୍ଶନ କରୁଛି

ଭୁବନେଶ୍ବର : ବିଜେପି ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ବିରୋଧୀ। ବି‌େଜପି, କେନ୍ଦ୍ର ସରକାର ଓ ଉତ୍ତରାଖଣ୍ଡ ସରକାର ମିଳିମିଶି ଏହ‌ି ବର୍ଗର ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଥିବା ମୌଳିକ ତଥା ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଏଆଇସିସି ମୁଖପାତ୍ର ରାଜୀବ ତ୍ୟାଗୀ ଅଭିଯୋଗ କରିଛନ୍ତି। ଆଜି କଂଗ୍ରେସ ଭବନରେ ଉଭୟ ନେତା ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଖଣ୍ଡ ସରକାରଙ୍କ ଏକ ସତ୍ୟପାଠର ଉଦାହରଣ ଦେଇ ବିଜେପିକୁ ଟାର୍ଗେଟ୍‌ କରିଥିଲେ। ବି‌େଜପି ତତ୍‌କାଳ ଏହାର ଜବାବ ଦେଇ କଂଗ୍ରେସ ହତାଶ ଭାବକୁ ପ୍ରଦର୍ଶନ କରୁଛି ବୋଲି କହିଛି।

ଶ୍ରୀ ସିଂହ ଓ ଶ୍ରୀ ତ୍ୟାଗୀ କହିଲେ, ଉତ୍ତରାଖଣ୍ଡର ବିଜେପି ସରକାର ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଛନ୍ତି ଯେ ଅନୁସୂଚିତ ଜାତି/ଜନଜାତି ବର୍ଗଙ୍କର ସରକାରୀ ଚାକିରିରେ ସଂରକ୍ଷଣ ଆଶା କରିବା ସେମାନଙ୍କର ମୌଳିକ ଅଧିକାର ନୁହେଁ। ସେମାନଙ୍କୁ ଚାକିରି‌େର ସଂରକ୍ଷଣ ଦେବା ସରକାରଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ନୁହେଁ। ଦୁର୍ଭାଗ୍ୟଜନକ ଭାବେ ସୁପ୍ରିମକୋର୍ଟ ମଧ୍ୟ ବିଜେପି ସରକାରର ଏହି ସମ୍ବିଧାନ ବିରୋଧୀ ତଥ୍ୟକୁ ଗ୍ରହଣ କରି ନେଇଛନ୍ତି। ସରକାରୀ ଚାକିରିରେ ସଂରକ୍ଷଣ ଦେବା ନ ଦେବା ସରକାରଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି ରାୟରେ କହିଛନ୍ତି। ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିବାକୁ ବିଜେପି ଚାହୁଁଥିବା ସ୍ପଷ୍ଟ ହୋଇଯାଇଛି। ଦେଶର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏହାକୁ କଂଗ୍ରେସ-ବିଜେପି ବିବାଦର ରୂପ ଦେବାକୁ ବିଜେପି ନେତୃବୃନ୍ଦ ଉଦ୍ୟମ କରୁଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ମୋଦୀ ସରକାର ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସମ୍ପର୍କରେ ସଂସଦକୁ ବିଭ୍ରାନ୍ତ କରୁଛନ୍ତି। ଏଥି ପାଇଁ ସେମାନେ ସଂସଦରେ କ୍ଷମା ମାଗିବା କଥା। ବିଜେପିର ଏପରି ଆଭିମୁଖ୍ୟ ବିରୋଧରେ ଦେଶବ୍ୟାପୀ ନିର୍ଣ୍ଣାୟକ ଆନ୍ଦୋଳନ ହେବ। ଓଡ଼ିଶାରେ ମଧ୍ୟ ଆନ୍ଦୋଳନକୁ ବ୍ୟାପକ କରାଯିବ। ଏହି ବର୍ଗ ଯେପରି ସାମ୍ବିଧାନିକ ମୌଳିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ସେ ସମ୍ପର୍କରେ ଦେଶବାସୀଙ୍କ ସଚେତନ କରାଇବାର ସମୟ ଆସିଛି। ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ମାଝୀ, ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଶରତ ରାଉତ, ପଞ୍ଚାନନ କାନୁନ୍‌ଗୋ ଓ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।

କଂଗ୍ରେସର ଅଭିଯୋଗର ଜବାବ ଦେଇ ବିଜେପି ମୁଖପାତ୍ର ‌େଗାଲକ ମହାପାତ୍ର କହିଛନ୍ତି, ବିଜେପି ସର୍ବଦା ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ହିତ ପାଇଁ ଲଢ଼ୁଛି। ସେମାନଙ୍କୁ ସେମାନଙ୍କ ମୌଳିକ ଓ ସାମ୍ବିଧାନିକ ଅଧିକାର ପ୍ରଦାନ ପାଇଁ ଦଳ ସବୁବେଳେ କାର୍ଯ୍ୟ କରୁଛି। କଂଗ୍ରେସ ଦୀର୍ଘ ବର୍ଷର ଶାସନରେ ପଛୁଆ ବର୍ଗର ଲୋକଙ୍କୁ ଅଣଦେଖା କରୁଥିଲା। ମୋଦୀ ସରକାରରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଛି। କଂଗ୍ରେସର ଏପରି ରାଜନୀତିର ଜବାବ ଏହି ବର୍ଗର ଲୋକମାନେ ହିଁ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର