କଂ‌ଗ୍ରେସ ପୁଣି ଖୋଲିଲା ବିଭ୍ରାନ୍ତିକର ବିଜ୍ଞାପନ ଗୁମର : ୭୫ ହଜାର ଲାପ୍‌ଟପ୍‌ ଦେଇ ସଶକ୍ତୀକରଣ!

ଭୁବନେଶ୍ୱର : ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୧୩-୧୪ରୁ ଦୀର୍ଘ ୫ବର୍ଷ ମଧ୍ୟରେ ମେଧାବୀ ଛାତ୍ରମାନଙ୍କୁ ୭୫ ହଜାର ଲାପଟପ୍‌ ପ୍ରଦାନ କରାଯାଇଛି। କେବଳ ଏହି ସୂଚନାଟିକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ସଶକ୍ତୀକରଣ କରାଯାଇଥିବା ଦାବି କରିଛନ୍ତି ସରକାର। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାବା ନେବାରେ ଲାଗିଛନ୍ତି। ଅସଲରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାର କିଭଳି ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସହ ବିଗତ ୧୮ ବର୍ଷ ହେଲା କ୍ରମାଗତ ଭାବରେ ବିଶ୍ବାସଘାତକତା କରିଚାଲିଛନ୍ତି ସେ ନେଇ ବଳିଷ୍ଠ ତଥ୍ୟ ପ୍ରମାଣ ଉପସ୍ଥାପନ କରିଛି କ˚ଗ୍ରେସ।
ଏ‌ ନେଇ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ମଞ୍ଜୁରୀପ୍ରାପ୍ତ ମହାବିଦ୍ୟାଳୟ ୪୧.୬ ପ୍ରତିଶତ ଶିକ୍ଷକ ପଦବି ଖାଲିପଡ଼ିଛି। ସରକାରୀ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ୯୮୬ ଗୋଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକଙ୍କ ମଧ୍ୟରୁ ୪୦ଟି ପଦବି ଓ ୨୫୪୧ଟି ଅଣଶିକ୍ଷକ ପଦବି ବି ଖାଲି। ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜରେ ମୋଟି ୧୯୮୬ ମଞ୍ଜୁରୀପ୍ରାପ୍ତ ଶିକ୍ଷକରୁ ୭୨୦ ଶିକ୍ଷକ ପଦବି ଖାଲି ପଡ଼ିଥିବା ସେ ସୂଚନା ଦେଇଛନ୍ତି।

୨୦୧୫-୧୬ରେ +୨ ଓ +୩ କଲେଜରେ ସମୁଦାୟ ୧ଲକ୍ଷ ୫୬ ହଜାର ୧୮୬ଟି ସିଟ୍‌ ବୃଦ୍ଧି କରାଗଲା। କିନ୍ତୁ ଜଣେ ହେଲେବି ନୂଆ ବା ଅତିରିକ୍ତ ଅଧ୍ୟାପକ ନିଯୁକ୍ତି କରାଗଲା ନାହିଁ। ରାଜ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୫ଲକ୍ଷ ୪୭ହଜାର ୭୨୨ ଛାତ୍ରଛାତ୍ରୀଙ୍କ ପାଇଁ ୟୁଜିସି ନିୟମ ଅନୁଯାୟୀ ୧:୧୫ ଅନୁପାତରେ ୩୬ ହଜାର ୫୧୫ଜଣ ଅଧ୍ୟାପକ ରହିବା କଥା। କିନ୍ତୁ ଅଛନ୍ତି ମାତ୍ର ୬୬୪୩। ଉଚ୍ଚଶିକ୍ଷା ବିଭାଗରେ ବିଫଳତାର ଉପରୋକ୍ତ ଲମ୍ବା ଚିଠା ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କର ବିଶ୍ବାସଘାତକତାକୁ ଦର୍ଶାଉଛି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର