ପୂର୍ତ ବିଭାଗରେ ପିସି, ଥଇଥାନ ନିଯୁକ୍ତି କଥା ଉଠାଇଲା କ˚ଗ୍ରେସ

ଭୁବନେଶ୍ବର : ପୂର୍ତ ବିଭାଗରେ ପର୍ସଣ୍ଟେଜ୍‌ ବା ପିସି କାରବାର ଏବଂ ସ୍ଥାୟୀ ନିଯୁକ୍ତି ବଦଳରେ ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ଥଇଥାନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଶାଣିତ ଆକ୍ରମଣ କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ରେ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତିର ଗୋଲାପି ଚିତ୍ର ଦେଖାଉଛନ୍ତି। କିନ୍ତୁ ଲକ୍ଷ ଲକ୍ଷ ଇଞ୍ଜିନିୟରି˚ ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଥିବା ବେଳେ ଦୁର୍ନୀତି ଅଭିଯୋଗରେ ଜଡ଼ିତ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଅବସର ପରେ ପୁନର୍ବାର ଥଇଥାନ କରାଯାଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କ˚ଗ୍ରେସ ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟପ୍ରକାଶ ନାୟକ ଏହି ପ୍ରସଙ୍ଗରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ପୂର୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ବିରୁଦ୍ଧରେ ବ୍ୟାପକ ଅନିୟମିତତାର ଅଭିଯୋଗ ଆସିବା ସତ୍ତ୍ବେ ତାଙ୍କୁ ଅବସର ପରେ ପୁଣି ବର୍ଷିକିଆ ଥଇଥାନ କରିବାର ଉଦ୍ଦେଶ୍ୟ କ’ଣ ସ୍ପଷ୍ଟ ବାରି ହୋଇପଡୁଛି। ଶ୍ରୀ ପ୍ରଧାନଙ୍କ ସମୟରେ ଓଡିଶାରେ ସର୍ବାଧିକ ପୋଲ ଭୁଶୁଡ଼ିବା ପୂର୍ତ ବିଭାଗ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଏ ସଂକ୍ରାନ୍ତରେ ସେ ବିବରଣୀ ଉପସ୍ଥାପନ କରିଥିଲେ। ସରକାର ଏଥିପ୍ରତି ଆଖିବୁଜି ଦେଇ ଗତ ଅଗଷ୍ଟ ୨୮ ତାରିଖରେ ସରକାର ପୁନର୍ବାର ୩୩ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଓଏସ୍‌ଡି ଭାବେ ପୁନଃ ନିଯୁକ୍ତି ଦେଇଛନ୍ତି। ଅନୁରୂପ ଭାବେ ପୂର୍ତ ବିଭାଗରେ ଚିଫ୍‌ ଇଞ୍ଜିନିୟର ଓମ୍‌ ପ୍ରକାଶ ପଟେଲଙ୍କ ଅବସର ପରେ ଥଇଥାନ କରାଯାଇଛି ବୋଲି ସେ ଦର୍ଶାଇଥିଲେ। ଏହି ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର, ସୋନାଲି ସାହୁ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର