ମୋଦିଙ୍କ ଫଟୋ ତେଲଟାଙ୍କିରୁ ହଟାଇବା ଦାବିରେ ବିକ୍ଷୋଭ କରିବ ଯୁବ କଂଗ୍ରେସ

ଭୁବନେଶ୍ୱର : ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ଦର ବୃଦ୍ଧି ପ୍ରସଙ୍ଗରେ ଉଭୟ ଦଳ ପରସ୍ପର ଉପରେ କାଦୁଅଫିଙ୍ଗାରେ ବ୍ୟସ୍ତ। କିନ୍ତୁ ଟିକସ କମାଇବାର ନାଁ କେହି ଧରୁନାହାନ୍ତି। ପେଟ୍ରୋଲ୍‌, ଡିଜେଲ୍‌ ଦର ହୁ ହୁ ବଢ଼ିଚାଲିଥିବା ବେଳେ ତେଲଟାଙ୍କିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପ୍ରଦର୍ଶିତ ହେବା ସାଧାରଣ ଜନତାଙ୍କ ପାଇଁ ଉପହାସ। ଏଣୁ ସବୁ ତେଲଟାଙ୍କିରୁ ମୋଦିଙ୍କ ଫଟୋ ହଟାଇବା ପାଇଁ ପ୍ରଦେଶ ଯୁବ କଂଗ୍ରେସ ଦାବି କରିଛି। ଏ ନେଇ ଭୁବନେଶ୍ୱରର ସମସ୍ତ ତେଲଟାଙ୍କି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ସୂଚନା ଦେଇଛନ୍ତି।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାରଥୀ ୨୦୧୪ରୁ ତୈଳ ଦର କିପରି ଏବଂ କେତେ ବୃଦ୍ଧି ପାଇଛି ସେ ସଂପର୍କରେ ବିସ୍ତତ ତଥ୍ୟ ପ୍ରଦାନ କରିଥିଲେ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର କମ୍‌ ଥିବା ସତ୍ତ୍ୱେ ଏନ୍‌ଡିଏ ସରକାର ସେହି ଅନୁପାତରେ ଦର କମାଇନାହାନ୍ତି। ରାଜ୍ୟ ସରକାର ମଧ୍ୟ ତୈଳ ଉପରୁ ୨୬ ପ୍ରତିଶତ ଭାଟ୍‌ ଆଦାୟ କରୁଛନ୍ତି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ସାହୁ, ଅଙ୍କିତ ସିଂଘାଲ୍‌, ୟାସିର ନଓ୍ଵାଜ୍‌, ଅଭିଷେକ ସେଠ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର