ଦଳକୁ ମଜବୁତ କରିବାକୁ ଆରଏସ୍‌ସ୍ ଢାଞ୍ଚା ଆପଣାଇବ କଂଗ୍ରେସ : କଂଗ୍ରେସ ନୀତି ଆଦର୍ଶ ପ୍ରଚାର ପାଇଁ ନିଯୁକ୍ତ ହେବେ ପ୍ରେରକ

ଭୁବନେଶ୍ବର : ରାଷ୍ଟ୍ରୀୟ ସ୍ବୟଂ ସହାୟକ ସଂଘର ଆଦର୍ଶକୁ କଡ଼ା ବିରୋଧ କରୁଥିବା ଜାତୀୟ କଂଗ୍ରେସ ଏବେ ଆରଏସଏସ ଫର୍ମୁଲା ଆପାଣାଇବାକୁ ଯାଉଛି। ସଂଘ ପ୍ରଚାରକ ଭଳି ଦଳରେ ନିଯୁକ୍ତ ହେବେ ପ୍ରେରକ। ଦେଶରେ ଯେଉଁଠି କ୍ୟାଡରଭୁକ୍ତ କ୍ଷମତାରେ ଅଛନ୍ତି ସେସବୁ ସ୍ଥାନରେ ଏହି ପ୍ରେରକମାନେ କଂଗ୍ରେସର ନୀତି ଆଦର୍ଶ ପ୍ରଚାର କରିବେ। ଆଜି ଦଳର ଢାଞ୍ଚାଗତ ପରିବର୍ତ୍ତନ ନେଇ ଏପରି ସୂଚନା ଦେଇଛନ୍ତି ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ରାମ ଚନ୍ଦ୍ର ଖୁଣ୍ଟିଆ। ଏହାସହିତ ଦଳ ଆସନ୍ତା ୨୦୨୨ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି। ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଦିଲ୍ଲୀରେ ଆସନ୍ତା ୧୨ ଓ ୧୩ ତାରିଖରେ ହେବାକୁ ଥିବା ପ୍ରସ୍ତୁତି ବୈଠକରେ ଏ ନେଇ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

ସୋମବାର ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ କହିଥିଲେ, ଜାତୀୟ ସ୍ତରରେ ଆରଏସଏସର ପ୍ରଚାରକ ଓ ଓଡ଼ିଶାରେ ବିଜୁ ଯୁବ ବାହିନୀ କ୍ୟାଡରମାନେ କଂଗ୍ରେସ ବିରୋଧରେ ଲଗାତାର ଅପପ୍ରଚାର କରିଆସୁଛନ୍ତି। ଯାହାଯୋଗୁଁ ଦଳ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନି। କଂଗ୍ରେସକୁ ପୁଣି ଥରେ ଲୋକଙ୍କ ବିଶ୍ବାସ ଜିତିବାକୁ ହେଲେ କ୍ୟାଡର ଫର୍ମୁଲା ଆପଣାଇବାକୁ ପଡ଼ିବ। ଏଥିପାଇଁ ଦଳର ସାଂଗଠନିକ ଶକ୍ତିକୁ ମଜବୁତ କରିବା ପାଇଁ ‘ପ୍ରେରକ’ ନିଯୁକ୍ତ ହେବେ। ‌େପ୍ରରକମାନେ ଲୋକଙ୍କ ପାଖରେ କଂଗ୍ରେସର କାର୍ଯ୍ୟଧାରା, ନୀତି ଆଦର୍ଶ ଓ ଦେଶକୁ ବିକାଶ କରିବାରେ ଭୂମିକା ନେଇ ଅବଗତ କରାଇବେ। ଏଥିପାଇଁ ଜିଲ୍ଲା ସ୍ତରରେ ଲୋକେ ଯୁବକମାନଙ୍କୁ ବାଛିବେ। ପରେ ଦଳ ପକ୍ଷରୁ ସେମାନଙ୍କ ସାକ୍ଷାତକାର ନିଆଯାଇ ପ୍ରେରକ ଭାବେ ନିଯୁକ୍ତି ଦିଆଯିବ। ନିଯୁକ୍ତି ପାଇଥିବା ପ୍ରେରକମାନଙ୍କୁ ଅନ୍ୟ ଦଳର କ୍ୟାଡରମାନଙ୍କୁ କିପରି ମୁକାବିଲା କରି ଦଳର ନୀତି ଆଦର୍ଶ ସମ୍ପର୍କରେ ଲୋକଙ୍କୁ ବୁଝାଇପାରିବେ ସେ ନେଇ ତାଲିମ ପ୍ରଦାନ କରାଯିବ। ଏଥିପାଇଁ ଆସନ୍ତା ଦିଲ୍ଲୀ ବୈଠକରେ ବ୍ୟାପକ ଆଲୋଚନା କରିବା ନେଇ ଏଜେଣ୍ଡା ପ୍ରସ୍ତୁତ ହୋଇଥିବା ଶ୍ରୀ ଖୁଣ୍ଟିଆ କହିଥିଲେ।

କଂଗ୍ରେସର ଏପରି ପୁନର୍ଗଠନ ଫର୍ମୁଲାକୁ ବିଜେଡି ସ୍ବାଗତ କରିଛି। ଦଳର ରାଜ୍ୟ ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ, ଗାଣତନ୍ତ୍ରିକ ବ୍ୟବସ୍ଥାରେ ସମସ୍ତ ରାଜନୈତିକ ଦଳ ସାଂଗଠନିକ ଢାଞ୍ଚାକୁ ନବୀକରଣ କରିବାର ଅଧିକାର ଅଛି। ତେବେ କଂଗ୍ରେସର ଏପରି ଫର୍ମୁଲାକୁ କଟାକ୍ଷ କରିଛି ବିଜେପି। ଦଳ ମୁଖପାତ୍ର ଗୋଲକ ମହାପାତ୍ର ତାତ୍ସଲ୍ୟ କରି କହିଛନ୍ତି, ହନୁ ମଲାବେଳକୁ ସତ କହିଛି।

ସମ୍ବନ୍ଧିତ ଖବର