ପ୍ରଥମ ପର୍ଯ୍ୟାୟ ନିର୍ବାଚନ : କଂଗ୍ରେସ ପ୍ରାର୍ଥୀଙ୍କ ନାମରେ ଅଧିକ ମାମଲା

୩୬ ବିଧାୟକ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା, ୫ ଲୋକସଭା ପ୍ରାର୍ଥୀଙ୍କ ନାମରେ ବି ଅପରାଧ ମାମଲା, ୧୦୧ଜଣ ବିଧାୟକ ପ୍ରାର୍ଥୀ ୫ମରୁ ଦ୍ବାଦଶ ପଢ଼ିଛନ୍ତି, ଲୋକସଭା ପ୍ରାର୍ଥୀ ରାଜେନ୍ଦ୍ରଙ୍କର ୫୬୫ଟଙ୍କାର ସମ୍ପତ୍ତିି

ଭୁବନେଶ୍ବର : ଆସନ୍ତା ୧୧ତାରିଖରେ ରାଜ୍ୟର ୪ଟି ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁରରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ୍‌ ୨୬ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୬ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ସେମାନେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେଥିରୁ ୫ଜଣଙ୍କ ନାମରେ ଘୃଣ୍ୟ ଅପରାଧିକ ମାମଲା ରହିଛି। ଯେଉଁଥିପାଇଁ ସେମାନଙ୍କୁ ୫ବର୍ଷରୁ ଅଧିକ ଦଣ୍ଡ ହୋଇପାରେ।

ଓଡ଼ିଶା ଇଲେକ୍ସନ ୱାଚ୍ ପକ୍ଷରୁ ଆଜି ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଞ୍ଜିନିୟର୍ସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ମୋଟ୍ ୪ଟି ଲୋକସଭା ଆ‌ସନରେ ୨ଜଣ ବିଜେପି ପ୍ରାର୍ଥୀ, ୩ଜଣ କଂଗ୍ରେସ ପ୍ରାର୍ଥୀ ଓ ଜଣେ ସିପିଆଇ (ଏମ୍‌ଏଲ୍‌) ରେଡଷ୍ଟାର ପ୍ରାର୍ଥୀଙ୍କ ନାମରେ ବି ଅପରାଧିକ ମାମଲା ରହିଛି।

ସେହିପରି ୨୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପି, ବିଜେଡି ଓ କଂଗ୍ରେସର ତିନି ଜଣ ଲେଖାଏଁ ପ୍ରାର୍ଥୀ ଏବଂ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କର ୧କୋଟିରୁ ଅଧିକ ସମ୍ପତ୍ତି ରହିଛି। ବ୍ରହ୍ମପୁରର କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁଙ୍କର ସବୁଠୁ ଅଧିକ ସମ୍ପତ୍ତି ୩୬କୋଟିର ଥିବାବେଳେ ବିଜେପିର ନବରଙ୍ଗପୁର ପ୍ରାର୍ଥୀ ବଳଭଦ୍ର ମାଝିଙ୍କର ୮.୭୪କୋଟି, ବିଜେପିର କୋରାପୁଟ ପ୍ରାର୍ଥୀ ଜୟରାମ ପାଙ୍ଗିଙ୍କର ୪.୧୯କୋଟି ଟଙ୍କାର ସମ୍ପତ୍ତି ରହିଛି। କୋରାପୁଟର ସିପିଆଇ(ଏମ୍‌ଏଲ୍‌) ରେଡଷ୍ଟାର ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦ୍ରୁକା ସବୁଠୁ ଗରିବ ପ୍ରାର୍ଥୀ (ମାତ୍ର ୫୬୫ଟଙ୍କାର ସମ୍ପତ୍ତି ଅଛି)। ସେହିପରି ବ୍ରହ୍ମପୁରର ସ୍ବାଧୀନ ପ୍ରାର୍ଥୀ କେ. ଶ୍ୟାମବନ୍ଧୁ ସୁବୁଦ୍ଧିଙ୍କର ୧୦ହଜାର ଟଙ୍କା ଏବଂ ସିପିଆଇ (ଏମ୍‌ଏଲ୍‌)(ଏଲ୍‌) ପ୍ରାର୍ଥୀ ଦାମୋଦର ସବରଙ୍କର ୧୫ହଜାର ଟଙ୍କାର ସମ୍ପତ୍ତି ଅଛି। କିନ୍ତୁ ୨୬ଜଣ ପ୍ରାର୍ଥୀଙ୍କର ହାରାହାରି ସମ୍ପତ୍ତି ୨.୬୭କୋଟି ପଡ଼ୁଛି। ଏଥିରେ କଂଗ୍ରେସ ପ୍ରାର୍ଥୀଙ୍କର ୧୦କୋଟି, ବିଜେପି ପ୍ରାର୍ଥୀଙ୍କର ୪କୋଟି, ବିଜେଡି ପ୍ରାର୍ଥୀଙ୍କର ହାରାହାରି ସମ୍ପତ୍ତିି ୨କୋଟି ରହିଛି।

ଋଣ କରିବାରେ ବି କଂଗ୍ରେସ ପ୍ରାର୍ଥୀ ଆଗରେ। କଂଗ୍ରେସର କଳାହାଣ୍ଡି ପ୍ରାର୍ଥୀ ଭକ୍ତ ଚରଣ ଦାସଙ୍କର ୮୦ଲକ୍ଷ ଟଙ୍କର ଋଣ ଥିବାବେଳେ ଜୟରାମ ପାଙ୍ଗିଙ୍କର ୪୨ଲକ୍ଷ ଟଙ୍କା, ବଳଭଦ୍ର ମାଝୀଙ୍କର ୨୬ଲକ୍ଷ ଟଙ୍କର ଋଣ ଅଛି।

ସବୁଠୁ ଅଧିକ ଆୟ କରୁଥିବା ପ୍ରାର୍ଥୀ ତାଲିକାରେ କଂଗ୍ରେସର କୋରାପୁଟ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ଅଛନ୍ତି। ତାଙ୍କର ବାର୍ଷିକ ଆୟ ୨୪ଲକ୍ଷ ୮୮ହଜାର ଟଙ୍କା ‌ରହିଛି। କଳାହାଣ୍ଡି ସାଂସଦ ପ୍ରାର୍ଥୀ ବସନ୍ତ କୁମାର ପଣ୍ଡାଙ୍କର ବାର୍ଷିକ ଆୟ ରହିଛି ୧୨ଲକ୍ଷ ୫୯ହଜାର, ବିଜେଡିର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀଙ୍କର ୧୯ଲକ୍ଷ ୧୫ହଜାର ଟଙ୍କା ରହିଛି। ଅପରପକ୍ଷେ ମୋଟ୍‌ ୧୦ଜଣ ପ୍ରାର୍ଥୀ ଆୟକର ଦାଖଲ କରିନଥିବାବେଳେ ଏଥିରେ ପ୍ରମୁଖ ଦଳରୁ କଂଗ୍ରେସର ନବରଙ୍ଗପୁର ପ୍ରାର୍ଥୀ ପ୍ରଦୀପ କୁମାର ମାଝୀ ଅଛନ୍ତି।

ଆସ୍କାର ବିଜେଡି ସାଂସଦ ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିଭିନ୍ନ ରାଜନୈତିକ ଦଳ ସମାଲୋଚନା କରୁଥିଲେ ହେଁ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ତାଲିକା ଦେଖିଲେ ବିରୋଧୀଙ୍କ ସମାଲୋଚନା ନେଇ ବି ପ୍ରଶ୍ନ ଉଠିଲାଣି। ମୋଟ୍ ୨୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ୫ମ ପାସ୍‌, ଦୁଇ ଜଣ ୮ମ ପାସ୍‌, ୪ଜଣ ୧୦ମ ପାସ୍‌, ୫ଜଣ ଦ୍ବାଦଶ ପାସ୍‌, ୬ଜଣ ସ୍ନାତକ, ୬ଜଣ ବୃତ୍ତିଗତ ସ୍ନାତକ ଏବଂ ୨ଜଣ ସ୍ନା‌ତକୋତ୍ତର ପଢ଼ିଛନ୍ତି। ସେହିପରି ୮୧ରୁ ୯୦ବର୍ଷ ମଧ୍ୟରେ ଜଣେ ପ୍ରାର୍ଥୀ ଥିବାବେଳେ ୨୫ରୁ ୩୦ବର୍ଷ ମଧ୍ୟରେ ଜଣେ, ୩୧ରୁ ୪୦ବର୍ଷ ମଧ୍ୟରେ ୫ଜଣ, ୪୧ରୁ ୫୦ଜଣ ମଧ୍ୟରେ ୬ଜଣ, ୫୧ରୁ ୬୦ବର୍ଷ ମଧ୍ୟରେ ୬ଜଣ, ୬୧ରୁ ୭୦ବର୍ଷ ମଧ୍ୟରେ ୭ଜଣ ପ୍ରାର୍ଥୀ ରହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ‌୮ଟି ଜିଲ୍ଲାର ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଏଥିରେ ୧୯୧ଜଣ ପ୍ରାର୍ଥୀ ହୋଇଛନ୍ତି। ଏଥିରୁ ୧୮୯ଜଣଙ୍କ ସତ୍ୟପାଠକୁ ସମୀକ୍ଷା କରିବା ପରେ ଜଣାପଡ଼ିଛି ଯେ, ୫୫ଜଣ ପ୍ରାର୍ଥୀଙ୍କ (୨୯%) ନାମରେ ଅପରାଧିକ ମାମଲା ରହିଛି। ଏଥିରୁ ୩୫ଜଣଙ୍କ (୧୯%)ନାମରେ ଗୁରୁତର ଅପରାଧିକ ମାମଲା ରହିଛି। ବିଜେପିର ୧୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ଜଣଙ୍କ (୩୯%) ନାମରେ ଅପରାଧିକ ମାମଲା ରହିଛି। ଏଥିରୁ ୮ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି। କଂଗ୍ରେସ ୨୭ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ୧୬ଜଣଙ୍କ (୫୯%) ନାମରେ ଅପରାଧିକ ମାମଲା ରହିଛି। ସେଥିରୁ ୧୬ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ଅଛି। ବିଜେଡିର ୯ଜଣଙ୍କ (୩୨%)ନାମରେ ଅପରାଧିକ ମାମଲା ଥିବାବେଳେ ୬ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି। ବିଏସ୍‌ପିର ୨୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣଙ୍କ ନାମରେ ଅପରାଧିକ ମାମଲା ଥିବାବେଳେ ଏଥିରୁ ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି।

ଏଥର ୪୯ଜଣ (୨୬%) କୋଟିପତି ପ୍ରାର୍ଥୀ ଥିବାବେଳେ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୧.୧୬କୋଟି ରହିଛି। ୭ଜଣ ପ୍ରାର୍ଥୀଙ୍କର ୫କୋଟିରୁ ଅଧିକ, ୨୧ଜଣଙ୍କର ୨କୋଟିରୁ ଅଧିକ, ୩୮ଜଣଙ୍କର ୫୦ଲକ୍ଷରୁ ୨ଲକ୍ଷ ମଧ୍ୟରେ ସମ୍ପତ୍ତି ରହିଛି। ସବୁଠୁ ଧନୀ ପ୍ରାର୍ଥୀ ଅଛନ୍ତି ଧର୍ମଗଡ଼ର ବିଜେପି ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓ। ତାଙ୍କର ମୋଟ୍ ୨୭କୋଟିର ସମ୍ପତ୍ତି ଅଛି। ବ୍ରହ୍ମପୁରରେ କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀଙ୍କର ୧୭.୭୧କୋଟିର ସମ୍ପତ୍ତି ଥିବାବେଳେ ବିଜେଡିର ଦିଗପହଣ୍ଡି ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ୧୬.୬୮କୋଟିର ସମ୍ପତ୍ତି ଅଛି। ଅପରପକ୍ଷେ ବିଜେଡିରେ ୧୭ଜଣ କୋଟିପତି, କଂଗ୍ରେସରେ ୧୪ଜଣ, ବିଜେପିରେ ୧୧ଜଣ, ବିଏସ୍‌ପିର ୨ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଦୁଇ ଜଣ ପ୍ରାର୍ଥୀଙ୍କର ଟଙ୍କାକର ବି ସମ୍ପତ୍ତି ନାହିଁ। ଏହି ଦୁଇ ଜଣ ହେଲେ ଗୋପାଳପୁରର ସ୍ବାଧୀନ ପ୍ରାର୍ଥୀ ବିଶ୍ବ ବିହାରି ‌ବିଶୋୟୀ ଏବଂ ନୂଆପଡ଼ାର ସ୍ବାଧୀନ ପ୍ରାର୍ଥୀ ଲୋଚନ ସିଂହ ମାଝୀ।

ସବୁଠୁ ଅଧିକ ଋଣ ଥିବା ତାଲିକାରେ ବିଜେଡିର ବ୍ରହ୍ମପୁର ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କ ନାମରେ ୪କୋଟି, ବ୍ରହ୍ମପୁରର ବିଜେପି ପ୍ରାର୍ଥୀ କାହ୍ନୁଚରଣ ପତିଙ୍କ ନାମରେ ୧.୮୩କୋଟି, କଂଗ୍ରେସର ପାରଳାଖେମୁଣ୍ଡି ପ୍ରାର୍ଥୀ କେ.ସୂର୍ଯ୍ୟରାଓଙ୍କର ୧.୫୬କୋଟି ଋଣ ଅଛି। ମୋଟ୍ ୮୮ଜଣ ପ୍ରାର୍ଥୀଙ୍କର ଋଣ ଅଛି ବୋଲି ଜଣାପଡ଼ିଛି।

ଆଶ୍ଚର୍ଯ୍ୟର ବିଷୟ ଏଥର ୧୦୧ ଜଣ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ବାଦଶ ଥିବାବେଳେ ୮୨ଜଣଙ୍କ ସ୍ନାତକ ଏବଂ ଏହାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଅଛି। ଜଣେ ପ୍ରାର୍ଥୀ ଲେଖା ପଢ଼ା ଜାଣିଥିବା କହିଥିବାବେଳେ ଜଣେ ଶିକ୍ଷାଗତ ଯୋଗ୍ୟତା ଦେଇନାହାନ୍ତି।

ଏଥର ୫୯ଜଣ ପ୍ରାର୍ଥୀଙ୍କ ବୟସ ୨୫ରୁ ୪୦ବର୍ଷ ମଧ୍ୟରେ ଥିବାବେଳେ ୧୧୦ଜଣଙ୍କର ୪୧ରୁ ୬୦ବର୍ଷ ମଧ୍ୟରେ, ୧୯ଜଣଙ୍କର ୬୧ରୁ ୭୦ବର୍ଷ, ଜଣେ ପ୍ରାର୍ଥୀ ତାଙ୍କର ବୟସ କେତେ କହିନାହାନ୍ତି। ଏଥର ୧୬ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଇଲେକ୍ସନ ୱାଚ୍‌ର ରାଜ୍ୟ ସଂଯୋଜକ ରଞ୍ଜନ ମହାନ୍ତି, କୋର୍‌ କମିଟି ସଦସ୍ୟ ସହଦେବ ସାହୁ, ସେବା ମହାପାତ୍ର, ବୈକୁଣ୍ଠ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର