ଖୋର୍ଦ୍ଧା: ୮ରୁ ୭ଟି ପୋଛିନେଲା ବିଜେଡି, କଂଗ୍ରେସ ହାତକୁ ଗଲା ଜଟଣୀ, ୧୫ ବର୍ଷ ପରେ ଫେରିଲେ ସୁର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ୮ଟି ବିଧାନସଭା ଆସନ ମଧ୍ୟରୁ ଶାସକ ବିଜେଡି ୭ଟିରେ ବାଜିମାତ କରିଛି। ଅନ୍ୟପକ୍ଷରେ ଜଟଣୀ ବିଧାନସଭା ଆସନରୁ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦୀର୍ଘ ୧୫ ବର୍ଷ ପ‌େର ପୁଣି ଥରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ବିଜେପି ଶିବିର ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଜ୍ୟୋତିରିନ୍ଦ୍ରନାଥ ମିତ୍ର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ କାଳୁଚରଣ ଖଣ୍ଡାୟତରାୟଙ୍କୁ ପରାସ୍ତ କରିଛନ୍ତି। ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ସ୍ବାଗତିକା ପଟ୍ଟନାୟକ ଅମାନତ ହରାଇଛନ୍ତି। ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ତଥା ପୂର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ପ୍ରଦୀପ କୁମାର ସାହୁଙ୍କୁ ପରାସ୍ତ କରି ବିଜୟୀ ହୋଇଥିବା ବେଳେ ଏହି ବିଧାନସଭା ଆସନରୁ ବିଜେପି ଟିକେଟରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ତୃତୀୟ ସ୍ଥାନରେ ରହିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ତଥା ବେଗୁନିଆର ପୂର୍ବତନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ହାତରୁ ଏହି ଆସନକୁ ଛଡ଼ାଇ ନେଇଛନ୍ତି। ଏଠାରେ ଶ୍ରୀ ଜଗଦ୍ଦେବ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପୃଥ୍ବୀରାଜ ହରିଚନ୍ଦନଙ୍କୁ ହରାଇଛନ୍ତି। ଜଟଣୀ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ ବିଜେଡିର ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ହରାଇ ୧୫ ବର୍ଷ ପରେ ବିଧାନସଭାକୁ ଫେରିଛନ୍ତି।

ଏକାମ୍ର ଭୁବନେଶ୍ବରରେ ବିଜେଡ଼ି ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ପଣ୍ଡା ବିଜେପିର ବାବୁ ସିଂଙ୍କୁ ହରାଇଛନ୍ତି। ସେହିପରି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ବିଜେଡିର ଅନନ୍ତ ନାରାୟଣ ଜେନା ବିଜେପିର ଜଗନ୍ନାଥ ପ୍ରଧାନଙ୍କୁ ହରାଇଥିବା ବେଳେ ଭୁବନେଶ୍ବର ଉତ୍ତରରେ ବିଜେଡ଼ି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ବିଜେପିର ଅପରାଜିତା ମହାନ୍ତିଙ୍କୁ ପରାସ୍ତ କରିଛନ୍ତି। ଜୟଦେବ ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ସ୍ବାଧୀନ ପ୍ରାର୍ଥୀ ନବକିଶୋର ମଲ୍ଲିକଙ୍କୁ ହରାଇଛନ୍ତି।

ସମ୍ବନ୍ଧିତ ଖବର