ଜୟପୁର : ନିର୍ବାଚନ ଶେଷ ହେବାପରେ ବି ଜୟପୁର ନିର୍ବାଚନ ମଣ୍ଡଳୀରେ କମିନି ତାତି। ଜୟପୁର ବ୍ଲକ ମୁଖୁଖୁଡୁପି ବୁଥ ରିଗିଂ ଅଭିଯୋଗକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଗତକାଲି ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହାପରେ ଆଜି କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ଗୋଟିଏ ପାଦ ଆଗକୁ ଯାଇ ଗ୍ରାମବାସୀଙ୍କ ସହ ଥାନା ଘେରାଉ କରିଛନ୍ତି। ଘଟଣାର ପ୍ରାୟ ୩ଦିନ ପରେ ଏହି ଅଭିଯୋଗକୁ କେନ୍ଦ୍ର କରି ଆଜି ଜୟପୁର ସଦର ଥାନାରେ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନିର୍ବାଚନ ପରେ ଏମିତି ଉଷ୍ମତା ଜୟପୁର ରାଜନୀତିକୁ ରୋଚକ ସ୍ଥିତିକୁ ଆଣି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ଦିନ ମୁଖୁଖୁଡୁପି (୨୩୪ନମ୍ବର) ବୁଥରେ ମତଦାନ ଚାଲିଥିବା ବେଳେ କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ହଠାତ୍ ବୁଥ୍ ନିକଟରେ ପହଞ୍ଚିଥିଲେ। ମାଉଜର ଏବଂ ମାରଣାସ୍ତ୍ର ଦେଖାଇ ଭୋଟରଙ୍କୁ ଭୟଭୀତ କରିଥିବା ଅଭିଯୋଗ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ କେହି ଏତଲା ଦେଇ ନଥିଲେ। ଅପରପକ୍ଷରେ ସୋସିଆଲ ମିଡିଆରେ ଘଟଣା ସମୟର କିଛି ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା। ଯାହାକୁ ନେଇ ବର୍ତମାନ ରାଜନୀତି ଜୋର ଧରିଛି।
ଆଜି କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ବହୁ ଗ୍ରାମବାସୀଙ୍କୁ ନେଇ ଥାନା ଘେରାଉ କରିଥିଲେ। ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦଙ୍କ ତତ୍ତ୍ବାବଧାନରେ ଏହି ବୁଥକୁ ଅକ୍ତିଆର କରାଯାଇଥିଲା। ବିଜେଡି ଓ ପୁଲିସ ମିଳି ମିଶି ତୃତୀୟ ମହଲାର ନିର୍ଦ୍ଦେଶରେ ଏହି କାର୍ଯ୍ୟ କରିଥିଲେ। ହରିବା ଭୟରେ ଅପରାଧୀଙ୍କୁ ଦ୍ବାରା ଗ୍ରାମବାସୀଙ୍କୁ ଧମକାଇବା ସହ ମାଉଜର ମୁନରେ ନିର୍ବାଚନ ବୈତରଣୀ ପାର ହେବାକୁ ସେ ଚାହୁଁଥିଲେ। କିନ୍ତୁ ଗ୍ରାମବାସୀଙ୍କ ଏକତା ଆଗରେ ଗୁଣ୍ଡାରାଜ ହାର ମାନି ଯାଇଥିବା ତାରା କହିଛନ୍ତି। ଯଦି ଆସନ୍ତା ୮ ଦିନ ମଧ୍ୟରେ ପୁଲିସ ଅପରାଧୀଙ୍କୁ ନ’ଧରେ ତେବେ ରାଜରାସ୍ତାକୁ ଓହ୍ଲାଇବା ସହ ଜୟପୁର ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଥାନା ଅଧିକାରୀ ଧିରେନ କୁମାର ବେହେରାଙ୍କ ଉପସ୍ଥିତିରେ ଏଏସପି ଉତ୍ପଳ ଚନ୍ଦ୍ର ଦାଶ ମାମଲା ଗ୍ରହଣ କରିଥିଲେ।
ଅନ୍ୟପକ୍ଷରେ ଘଟଣା ଦିନ ପୁଲିସ ୬ଜଣକୁ ଅଟକ ରଖିଥିବା ବେଳେ ସେମାନଙ୍କୁ ପରବର୍ତୀ ସମୟରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା। ସେହିପରି ଅନ୍ୟ ୪ଜଣ ଫେରାର ହୋଇଯାଇଛନ୍ତି। ଏମାନେ ରାଜ୍ୟ ବାହାରକୁ ଚାଲି ଯାଇଥିବା ପୁଲିସ କହିଛି।