ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ

ନବରଙ୍ଗପୁର : ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ନବରଙ୍ଗପୁର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିଲା। ତେବେ ବନ୍ଦ ପାଳନ ନେଇ ପୂର୍ବରୁ ହିଁ ସୂଚନା ଦିଆଯାଇଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲା ରହିଥିଲା। କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଅଳ୍ପ କିଛି ଜଣ କର୍ମଚାରୀ ଭିତରେ ବସି କାମ କରୁଥିଲେ। ଏନେଇ ସୂଚନା ପାଇବା ପରେ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାପରେ ମୁଖ୍ୟ ଫାଟକକୁ ଧକ୍କା ଦେଇ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶି ଯାଇଥିଲେ। ସେହିପରି ଜିଲ୍ଲାପାଳଙ୍କ କୋଠରିର କବାଟକୁ ଧକ୍କା ଦେବାରୁ ତାହା ଖୋଲି ଯାଇଥିଲା। ସେତେବେଳକୁ ଏଡିଏମ ପରୀକ୍ଷିତ ସେଠୀଙ୍କ ସମେତ କିଛି କର୍ମଚାରୀ କାର୍ଯ୍ୟାଳୟ ଭିତରେ ରହିଥିଲେ। କାର୍ଯ୍ୟାଳୟକୁ ବନ୍ଦ କରି ଚାଲି ଯିବାକୁ କହିବାରୁ ଅଧିକାରୀ ଏବଂ କର୍ମଚାରୀ ବାହାରକୁ ଚାଲି ଆସିଥିଲେ।

ନବରଙ୍ଗପୁର ସହରରେ ସକାଳ ୭ଟାରୁ କଂଗ୍ରେସ କର୍ମୀ ରାସ୍ତା ଉପରେ ଟାୟର ଜାଳି ରାସ୍ତାରୋକ କରିଥିଲେ। ଅପରାହ୍ନ ୪ଟା ବେଳକୁ ଦୋକାନ ବଜାର ଖୋଲିବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର