ବେଡ୍‌ରେ ଖେଳୁଛନ୍ତି ଗଙ୍ଗା-ଯମୁନା

କଟକ : ଶିଶୁଭବନରେ ଗଙ୍ଗା-ଯମୁନାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆଜି ସାମାନ୍ୟ ଉନ୍ନତି ଦେଖାଦେଇଛି। ଉଭୟ କାନ୍ଦିବା ସହିତ ଆଜି ବେଡ୍‌ରେ ଗୋଡ଼ ହାତ ହଲାଇ ଖେଳୁଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ପାଖ ଓ୍ଵାର୍ଡର ରୋଗୀ ସମ୍ପର୍କୀୟଙ୍କ ଭିଡ଼ ଜମିଥିଲା । ପରିବାର ଲୋକେ ମଧ୍ୟ ଆସ୍ୱସ୍ତ ହୋଇଥିଲେ। ଏଭଳି ପରିବର୍ତ୍ତନକୁ ଦୃଷ୍ଟିରେ ରଖାଯାଇ ଉଭୟଙ୍କୁ ପିଇବାକୁ ଦିଆଯାଉଥିବା ଡବା କ୍ଷୀରର ପରିମାଣ ବୃଦ୍ଧି କରାଯାଇଥିଲା । ଡାକ୍ତରୀ ଟିମ୍‌ର ପରାମର୍ଶ ମୁତାବକ ସେମାନଙ୍କୁ ୨ ଏମ୍‌ଲରୁ ୫ ଏମ୍‌ଏଲ୍‌ କ୍ଷୀର ପିଇବାକୁ ଦିଆଯାଇଥିଲା ।

ଶିଶୁଭବନରେ ଗତ ୧ ତାରିଖରେ ଉଭୟ ଗଙ୍ଗା-ଯମୁନା ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଥିବା ବେଳେ ୪ ତାରିଖରେ ଆସିଥିବା ସିଟି ସ୍କାନ୍‌ ଏବଂ କାର୍ଡିଓଗ୍ରାଫି ପରୀକ୍ଷାରୁ ହୃତ୍‌ପିଣ୍ଡ ଏବଂ ଯକୃତ ଗୋଟିଏ ଥିବା ତଥ୍ୟ ଡାକ୍ତରୀ ଟିମ୍‌ର ମନୋବଳକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲା। କିନ୍ତୁ ୫ ତାରିଖଠାରୁ ଡାକ୍ତରୀ ଦଳ ଉଭୟଙ୍କୁ ଡବା କ୍ଷୀର ପିଇବାକୁ ଦେଇଥିଲେ । ଗଙ୍ଗା କ୍ଷୀର ପିଇ ନଥିବା ବେଳେ ଯମୁନା ପିଇଥିଲା । କିନ୍ତୁ ଉଭୟ କ୍ଷୀର ପିଇବାରୁ ଆଜି କ୍ଷୀର ପରିମାଣ ବୃଦ୍ଧି କରାଯାଇଛିା ଅନ୍ୟପକ୍ଷରେ ୭ ତାରିଖରେ ହୋଇଥିବା ଏମ୍‌ଆର୍‌ଆଇ ସ୍କାନ୍‌ର ପ୍ରାଥମିକ ରିପୋର୍ଟ ଶୁକ୍ରବାର ଶିଶୁଭବନ କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଥିବା ବେଳେ ଆସନ୍ତାକାଲି ପୂର୍ଣ୍ଣାଂଗ ରିପୋର୍ଟ ଆସିବ । ଡାକ୍ତରୀ ଟିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଏମ୍‌ଆର୍‌ଆଇର ଫିଲ୍ମ ଦେଖିବା ପରେ ହୃତ୍‌ପିଣ୍ଡରେ ନିର୍ଦ୍ଦିଷ୍ଟ ଭାବେ କି ପ୍ରକାର ତ୍ରୁଟି ରହିଛି, ସେ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇପାରିବ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସମସ୍ତ ରିପୋର୍ଟକୁ ଏକାଠି କରାଯାଇ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରାଯିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ ହେବ ବୋଲି ଶିଶୁଭବନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଉଭୟ ଶିଶୁଙ୍କ ଚିକିତ୍ସା ପାଇଁ ଦେଶର ଏମ୍‌ସ୍‌ ସମେତ ବିଭିନ୍ନ ଚିକିତ୍ସାନୁଷ୍ଠାନର ଶିଶୁରୋଗ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରାଯାଉଛି । ସେମାନଙ୍କ ପରାମର୍ଶ ମଧ୍ୟ ଶିଶୁଭବନ ଡାକ୍ତର ଗ୍ରହଣ କରୁଛନ୍ତି । ଏହାବାଦ୍‌ ଦେଶ ବାହାରେ ଥିବା ଶିଶୁ ରୋଗ ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯିବା ସମ୍ପର୍କରେ ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର