କନେଷ୍ଟବଳ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ!

ପ୍ରଥମ ୨ଟି ତାଲିକାରେ କୃତକାର୍ଯ୍ୟ ପ୍ରାର୍ଥୀ ୩ୟ ତାଲିକାରେ ଫେଲ୍‌

ସମ୍ବଲପୁର : ସମ୍ବଲପୁରରେ ଗତମାସରେ ଅନୁଷ୍ଠିତ କନେଷ୍ଟବଳ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ତାଲିକାରେ କୃତକାର୍ଯ୍ୟ ବୋଲି ଦର୍ଶାଯାଇଥିବା କିଛି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ତାଲିକାରୁ ଉଭେଇ ଯାଇଛି। କଂପ୍ୟୁଟର ଓ ବୈଷୟିକ ତ୍ରୁଟି ପାଇଁ ଏପରି ହୋଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସଞ୍ଜୀବ ଆରୋରା କହିଛନ୍ତି।

ଅନ୍ୟ ପକ୍ଷରେ ଏହି ପରୀକ୍ଷାରେ ଅର୍ଥ କାରବାର ହୋଇଥିବା ଓ ଜାଣିଶୁଣି ସେମାନଙ୍କ ନାମ ଚୂଡ଼ାନ୍ତ ତାଲିକାରୁ ବାଦ୍‌ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଏହି ପରୀକ୍ଷା ଦେଇଥିବା ୮ ଜଣ ପ୍ରାର୍ଥୀ। ଆଜି ଉକ୍ତ ପ୍ରାର୍ଥୀମାନେ ସ୍ଥାନୀୟ ନେଲସନ ମାଣ୍ଡେଲା ଛକରେ ଧାରଣା ଦେବା ସହ ରାସ୍ତାରୋକ କରିଥିଲେ। ପ୍ରଥମେ ପ୍ରକାଶିତ ଦୁଇଟି ଫଳ ତାଲିକାରେ ସେମାନଙ୍କର ନାମ ଥିଲା ଓ ତୃତୀୟ ତଥା ଚୂଡ଼ାନ୍ତ ତାଲିକା ବେଳକୁ ସେମାନଙ୍କର ନାମ ଉଭେଇ ଯାଇଥିବା ସେମାନେ ଦର୍ଶାଇଛନ୍ତ। ଏ ନେଇ ସେମାନେ ଏସ୍‌ପିଙ୍କୁ ଭେଟି ସମସ୍ତ ବିଷୟ ଜଣାଇଥିଲେ ମଧ୍ୟ ଏସ୍‌ପି ଏହା ଯାନ୍ତ୍ରିକ ତ୍ରୁଟି ବୋଲି କହି ସେମାନଙ୍କୁ ଫେରାଇ ଦେଇଥିବା ଏହି ପ୍ରାର୍ଥୀମାନେ ଗଣମାଧ୍ୟମ ସମ୍ମୁଖରେ ବିବୃତି ଦେଇଛନ୍ତି। ପୂର୍ବ ପ୍ରକାଶିତ ତାଲିକା ଅନୁଯାୟୀ ସେମାନଙ୍କୁ ନିଯୁକ୍ତି ଦିଆଯାଉ ନଚେତ୍‌ ଆଉଥରେ ପରୀକ୍ଷା କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହା ନହେଲେ ସେମାନେ ସେମାନେ ନ୍ୟାୟପାଳିକାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ତେବେ ଏସ୍‌ପି ସଞ୍ଜୀବ ଆରୋରା ଏନେଇ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କମ୍ପ୍ୟୁଟର ତ୍ରୁଟି କାରଣରୁ ପରୀକ୍ଷାର୍ଥୀଙ୍କ ରୋଲ୍‌ ନମ୍ବର ଏବଂ ମାର୍କ ଏପଟ ସେପଟ ହୋଇଯାଇଥିଲା। ଏ କଥା ଜଣାପଡ଼ିବା ପରେ ପରୀକ୍ଷା ଖାତା ପୁନଃ ଯାଞ୍ଚ କରାଯାଇ ଠିକ ତାଲିକା ଗତକାଲି ପ୍ରକାଶ କରାଯାଇଥିଲା।

ସୂଚନାଯୋଗ୍ୟ, ଓଡ଼ିଶା ପୁଲିସର ୬୧ଟି କନେଷ୍ଟବଳ ପଦବି ପାଇଁ ଗତ ଜୁଲାଇ ୬ ତାରିଖରୁ ସେପ୍ଟେମ୍ବର ୯ ତାରିଖ ଯାଏଁ ବିଭିନ୍ନ ପର୍ଯ୍ୟାୟରେ ଶାରୀରିକ ଓ ମାନସିକ ଦକ୍ଷତା ପରୀକ୍ଷା ହୋଇଥିଲା। ଗତ ୧୩ ତାରିଖରେ ଏହି ପରୀକ୍ଷାର ଫଳାଫଳ ତାଲିକା ପ୍ରକାଶ ପାଇଥିଲା। ଏହାର ପରଦିନ ସଂଶୋଧିତ ତାଲିକା ପ୍ରକାଶ ପାଇଲା। ପୁଣି ଗତକାଲି ୧୬ ତାରିଖରେ ଆଉ ଏକ ସଂଶୋଧିତ ତାଲିକା ପ୍ରକାଶ କରାଗଲା। ପ୍ରଥମ ଦୁଇଟି ତାଲିକାରେ ଥିବା କିଛି ପ୍ରାର୍ଥୀଙ୍କ ନାମ ତୃତୀୟ ତାଲିକାରେ ନଥିଲା।

ପ୍ରଥମ ଦୁଇଟି ତାଲିକାରେ ନାମ ରହିଥିବାରୁ ନିଶ୍ଚିତ ଚାକିରି ପାଇଯାଇଥିବା ଭାବି ଏହି ପ୍ରାର୍ଥମାନେ ଭୋଜିଭାତ କରି ଖୁସି ମନାଇଥିଲେ। କିନ୍ତୁ ତୃତୀୟ ତାଲିକା ପ୍ରକାଶ ପରେ ସେମାନଙ୍କ ମନରେ ଦୁଃଖର କଳା ବାଦଲ ଛାଇ ଯାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରୁ ପରୀକ୍ଷିତ କିଷାନ୍‌, ରୋହିତ ନାଏକ, ନଳୀନ କିଷାନ, ବୀନତା ପ୍ରଧାନ, ସାରଥୀ କଲେଟ ପ୍ରମୁଖ ପରୀକ୍ଷାର୍ଥୀ ଆଜି ରାସ୍ତାରୋକ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଯଦି କମ୍ପ୍ୟୁଟରର ତ୍ରୁଟି ହେଲା ତେବେ ବାଦ୍‌ ପଡ଼ିଥିବା ପ୍ରାୟ ସମସ୍ତ ପିଲାଙ୍କ ସଂଶୋଧିତ ମାର୍କ ସମାନ (୧୧) କିଭଳି ରହିଲା?

ସମ୍ବନ୍ଧିତ ଖବର