ଜମି ମାଫିଆଙ୍କ ପାଇଁ ଦଲାଲି ମହଙ୍ଗା ପଡ଼ିଲା: ଗିରଫ ପରେ କନେଷ୍ଟବଳ ନିଲମ୍ବିତ

ବଲାଙ୍ଗୀର : ଜମି ମାଫିଆଙ୍କ ପାଇଁ ଦଲାଲି କରୁଥିବା ଅଭିଯୋଗରେ ଗିରଫ କନେଷ୍ଟବଳ ଅଞ୍ଜନ ପ୍ରଧାନଙ୍କୁ ବଲାଙ୍ଗୀର ଏସ୍‌ପି ନିଲମ୍ବନ କରିଛନ୍ତି।।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଗାନ୍ଧୀ ନଗର ପଡ଼ାର ବିଧବା ମହିଳା ଭୁବନେଶ୍ୱରୀ ବେହେରା(୪୦)ଙ୍କ ଦେଡ଼ଶୁର କିଛି ଘର ଜମି ବିକ୍ରି କରିବାକୁ ଚାହୁଁଥିଲେ। ଜମିକୁ ମାଫିଆ ବିକାଶ ଜୈନ କିଣିବାକୁ ଯୋଜନା କରିଥିଲେ। ଉକ୍ତ ଜମି ବିକ୍ରି କାରବାରରେ କନେଷ୍ଟବଳ ଅଞ୍ଜନ ପ୍ରଧାନ ଦଲାଲ ସାଜିଥିଲେ। ଉକ୍ତ ଜମିର ଅଂଶୀଦାର ଭୁବନେଶ୍ୱରୀ ଥିବାରୁ ତାଙ୍କଠାରୁ ନୋ-ଅବଜେକ୍ସନ ସାର୍ଟିଫିକେଟର ଆବଶ୍ୟକତା ଥିଲା।

ପ୍ରଥମେ ଆଦିବାସୀ ବିଧବା ମହିଳାଙ୍କ ଦୁଇ ନାବାଳକ ପୁଅଙ୍କୁ ଚାନ୍ଦା ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ସେମାନଙ୍କୁ ଥାନାକୁ ଅଣାଯାଇଥିଲା। ଡକାୟତ ସଜାଇ ରାତିସାରା ଥାନାରେ ରଖା ଯାଇଥିଲା। ରାତିସାରା ଛୁଆମାନେ ଥାନାରେ ରହିବା ପରେ ମା’ ତାଙ୍କୁ ନେବାକୁ ଥାନାକୁ ଆସିଥିଲେ। ଏହା ପରେ ଜୋର ଜବରଦସ୍ତ ଷ୍ଟାମ୍ପ ପେପରରେ ଦସ୍ତଖତ କରାଇଥିଲେ ଅଞ୍ଜନ। ଭୁବନେଶ୍ୱରୀଙ୍କ ଅଭିଯୋଗ ପରେ ଅଞ୍ଜନଙ୍କୁ ଗିରଫ କରାଯାଇଥିଲା। ବିଭାଗୀୟ ତଦନ୍ତ ପରେ ଆଜି ତାଙ୍କୁ ନିଳମ୍ବନ କରାଯାଇଛି ବୋଲି ଅତିରିକ୍ତ ଏସ୍‌ପି ସୁବାସ ଚନ୍ଦ୍ର ଜମାଦାର କହିଛନ୍ତି। ଅନ୍ୟପକ୍ଷରେ, ଜମି ମାଫିଆଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ଯାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର