ତିନି ରଥର ତୁମ୍ବ କଟା ଆରମ୍ଭ

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଅନୁକୂଳ ପରେ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ଆଜି ପ୍ରଥମ ଦିନରେ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥଚକର ତୁମ୍ବ କାମ ଆରମ୍ଭ ହୋଇଛି। କରତିମାନେ କାଠଗଣ୍ଡିକୁ ତୁମ୍ବ ମାପରେ କାଟିବା ପରେ ୧୦ ଜଣ ମହାରଣା, ୬ ଜଣ ଭୋଇ ଓ ୪ ଜଣ କରତିଙ୍କୁ ନେଇ ପ୍ରଥମ ଦିନର ରଥକାମ ଆରମ୍ଭ ହୋଇଛି। କାଠ ଗଣ୍ଡିରୁ ତୁମ୍ବ ପାଇଁ କାଠ କଟାଯିବା ପରେ ୧୦ ଇଞ୍ଚ ବ୍ୟାସାର୍ଦ୍ଧ ବିଶିଷ୍ଟ କୁଆଁର କାଠ ମଞ୍ଜରେ ଗୋଲାକାର ଦାଗ ଦିଆଯାଇଛି। ପରେ ନିହଣ, ମୁଗୁର ଓ ବାର୍ସି ସହାୟତାରେ ବିଶ୍ୱକର୍ମାମାନେ କାମରେ ଲାଗିଥିଲେ।

ରଥ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ, ରଥ ଅମୀନ ଲକ୍ଷ୍ମଣ ମହାପାତ୍ର ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବକମାନେ ରଥଖଳାକୁ କାଠ ବୋହିଥିଲେ। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ବଡଠାକୁରଙ୍କ ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଏବଂ ମା ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ନିର୍ଦ୍ଦେଶମତେ ବିଶ୍ୱକର୍ମାମାନେ ରଥକାମ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଖରା ଟିକେ ବେଶୀ ଥିଲେ ବି କାମ ସୁରୁଖୁରୁରେ ହୋଇଥିବା ବିଶ୍ୱକର୍ମାମାନେ କହିଛନ୍ତି।

ସମ୍ବନ୍ଧିତ ଖବର