ନଦୀ ଭିତରେ କୋଠା ନିର୍ମାଣ ଘଟଣା : ନିର୍ମାଣକାରୀ ସଂସ୍ଥା ଓ ଫରେଷ୍ଟରଙ୍କୁ ନୋଟିସ୍‌

ରାଜନଗର : ଭିତରକନିକା ଅଭୟାରଣ୍ୟ ମଧ୍ୟରେ ପ୍ରବାହିତ ବୈତରଣୀ ନଦୀ ଭିତରେ ତିଆରି ଚାଲିଛି କୋଠା। ନଦୀର ଜୁଆରକୁ ଅଟକାଇ ନଦୀ ଭିତରେ ଖମ୍ବ ଉଠାଇ କୋଠା ନିର୍ମାଣ ହେଉଛି। ଏପରିକି ସେଠାରେ ଥିବା ବିରଳ ଲୁଣା ଜଙ୍ଗଲକୁ କାଟି ଦିଆଯାଇଛି। କୋଷ୍ଟାଲ ରିଜୋଲ୍ୟୁସନ ଜୋନ(ସିଆର୍‌ଜେଡ୍‌)ଆଇନକୁ ଖୋଲା ଉଲ୍ଲଂଘନ ଏହି କାମ ଚାଲିଛି। ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପାଇବା ପରେ ବନବିଭାଗ ଟିମ୍‌ ଘଟଣାର ତନାଘନା କରିଛି। ଏହି ବେଆଇନ ନିର୍ମାଣକାରୀ ସଂସ୍ଥା ଓ ସଂପୃକ୍ତ ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି। ୭ ଦିନ ମଧ୍ୟରେ ନିର୍ମାଣକାରୀ ସଂସ୍ଥା ଏହାକୁ ନ ଭାଙ୍ଗିଲେ ବନବିଭାଗ ପକ୍ଷରୁ ଏହାକୁ ଭଙ୍ଗାଯିବ ବୋଲି ଚେତାଇ ଦିଆଯାଇଛି।

ରାଜନଗର ବ୍ଲକର ତାଳଚୁଆ ନିକଟରେ ବୈତରଣୀ ନଦୀ ମଧ୍ୟରେ କୋଠା ନିର୍ମାଣ ଚାଲିଛି। ବୈତରଣୀ ନଦୀ କୂଳରେ ଦୀର୍ଘ ବର୍ଷ ଧରି ବିରଳ ଲୁଣା ଜଙ୍ଗଲ ରହିଥିଲା। ସେଠାରେ ଥିବା ବନୀ ଓ ଗୁଆଁଗଛକୁ କାଟି କୋଠା ନିର୍ମାଣ କରାଯାଉଛି। ନଦୀ ଭିତରେ ଖମ୍ବ ଉଠାଯାଇଛି। ତାହା ଉପରେ ଛାତ ପକାଯାଇ ଘର ନିର୍ମାଣ କରାଯାଉଛି। ନଦୀର ଜୁଆର ତିଆରି ଚାଲିଥିବା କୋଠା ତଳେ ଲହଡ଼ି ଭାଙ୍ଗୁଛି। ଏପରିକି ନଦୀର ଜୁଆରକୁ ଅଟକାଯାଇ ପାଚେରି ନିର୍ମାଣ କରାଯାଇଛି। ପାଚେରି ମଧ୍ୟରେ ମାଛ ଗଦି ନିର୍ମାଣ କରାଯାଇଛି। ଟ୍ରଲରଗୁଡିକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରୁ ମାଛ ଧରି ଆସି ସେଠାରେ ନିଲାମ କରିବେ। ଏହାବାଦ୍ ନଈ ଭିତରେ ଖମ୍ବ ଉଠାଯାଇ ଏକ ବିରାଟ ପାଣିଟାଙ୍କି ନିର୍ମାଣ କରାଯାଉଛି।

ସିଆର୍‌ଜେଡ୍‌ ଆଇନ ଉଲ୍ଲଂଘନ କରି ଓ ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଲୁଣା ଜଙ୍ଗଲ କାଟି ଏହି କାର୍ଯ୍ୟ ଚାଲିଥିଲେ ମଧ୍ୟ ବନବିଭାଗ ଆଖିବୁଜି ଚୁପ୍‌ ବସିଥିଲା। ତାଳଚୁଆ ଫରେଷ୍ଟରଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଶହେ ଦୁଇଶହ ମିଟର ଦୂରରେ ଏହି ବେଆଇନ ନିର୍ମାଣ ଦୀର୍ଘଦିନ ଧରି ଚାଲିଥିଲେ ମଧ୍ୟ ବନବିଭାଗ ଚୁପ ବସିଥିଲା। ଆଜି କନିକା ରେଂଜର ଏସିଏଫ୍‌ ସୁବ୍ରତ କୁମାର ପାତ୍ରଙ୍କ ନେତୃତ୍ବରେ ଏକ ଟିମ୍‌ ତାଳଚୁଆ ନିକଟ ବୈତରଣୀ ନଦୀ କୂଳରେ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରିଛନ୍ତି। କିପରି ଏହା ନିର୍ମାଣ କରାଗଲା ସେ ନେଇ ତାଜୁବ ହୋଇଛନ୍ତି। ଆଜି ଏହି ବେଆଇନ ନିର୍ମାଣ କରିଥିବା ‘ଗଙ୍ଗାମାତା ଫିସରୀ ଆସୋସିଏସନ’ର ସଂପାଦକ ମଦନ ଦେବନାଥଙ୍କୁ ନୋଟିସ ଦିଆଯାଇଛି। ୭ଦିନ ମଧ୍ୟରେ ନିର୍ମାଣ ହୋଇଥିବା ସମସ୍ତ କୋଠା, ପାଚେରି ଓ ମାଛଗାଦିକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍‌ ତାଳଚୁଆ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି। ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଓ ସିଆରଜେଡ ଆଇନ ଉଲ୍ଲଂଘନ କରି କିପରି ଏହି ନିର୍ମାଣ କରାଗଲା, ଏହାର ଉତ୍ତର ୪ଦିନ ମଧ୍ୟରେ ଦେବା ପାଇଁ ଚିଠିରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ନଦୀର ଜୁଆର ଅଟକାଯାଇ ନିର୍ମାଣ ହେଉଥିବା କୋଠାର ସ୍ଥାନଟି ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଯାଉଛି। ଏହାବାଦ ଭାରତ ସରକାରଙ୍କ ସିଆରଜେଡ୍‌-୨୦୧୧ ବିଜ୍ଞପ୍ତି ଅନୁଯାୟୀ ନଈ ବା ସମୁଦ୍ର ପଠାରେ କୌଣସି ସ୍ଥାୟୀ ନିର୍ମାଣ ହୋଇପାରିବ ନାହିଁ। ସ୍ଥାୟୀ ନିର୍ମାଣ ପୂର୍ବରୁ ଓଡିଶା କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟର ଅନୁମତି ଓ ଏନଓସି ବାଧ୍ୟତା ମୂଳକ।

ସମ୍ବନ୍ଧିତ ଖବର