ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସବୁ ଖାଉଟି ଅଦାଲତ

କଟକ : ‘କରୋନା’ ଭୂତାଣୁର ବିପଦକୁ ଦୃଷ୍ଟିରେ ରଖି କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ଫୋରମ (ଖାଉଟି ଅଦାଲତ) ଗୁଡିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ଆଜି କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସାନି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖାଉଟି କମିସନ୍‌ରେ ସ୍ବାଭାବିକ୍ କାର୍ଯ୍ୟ ହେବ ନାହିଁ। କିନ୍ତୁ କମିସନଙ୍କ କାର୍ଯ୍ୟାଳୟ ଯଥା ସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। କେବଳ ଅତି ଜରୁରୀ ମାମଲାଗୁଡିକ କମିସନ ସଭାପତିଙ୍କ ନିକଟରେ ଉପସ୍ଥାପନ (ପ୍ଲେସ୍) କରାଯିବ। ଆଇନଜୀବୀ ଓ ପକ୍ଷମାନେ ମୁଖ୍ୟ ମାମଲା ନମ୍ବର, ଅନ୍ତରୀଣ ପିଟିସନ୍, ମେମୋ, ମିସ୍ କେସ୍ ପିଟିସନ୍, ଜରୁରୀ ମାମଲାର କାରଣ ଓ ମୋକଦ୍ଦମାର ସଂକ୍ଷିପ୍ତ ସୂଚନା ଓ କମିସନଙ୍କ ମାଧ୍ୟମରେ ମାମଲାରେ ଦାବି କରାଯାଉଥିବା ପ୍ରତିକାର (ପ୍ରାର୍ଥନା) ସଂପର୍କରେ ଇ-ମେଲ୍ ମାଧ୍ୟମରେ କମିସନଙ୍କୁ ଅବଗତ କରିବେ। କମିସନଙ୍କ ଇ-ମେଲ୍ ଆଇଡି ([email protected])ରେ ଏହି ସବୁ ତଥ୍ୟ କାର୍ଯ୍ୟ ଦିବସର ସକାଳ ୧୦ ସୁଦ୍ଧା ପହଞ୍ଚିବା ଆବଶ୍ୟକ। ଏହି ଲକ୍ ଡାଉନ୍ ସମୟରେ କମିସନଙ୍କ ଅଧିକାରୀ, ସଦସ୍ୟ ଓ କର୍ମଚାରୀ ନିଜ ଘରେ ରହିବେ ଓ ମୁଖ୍ୟାଳୟ ଛାଡିବେ ନାହିଁ। ଆବଶ୍ୟକ ସ୍ଥଳେ କାର୍ଯ୍ୟରେ ଯୋଗ ଦେବା ପାଇଁ ସବୁ କର୍ମଚାରୀ ପ୍ରସ୍ତୁତ ହୋଇ ରହିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଯଦି ମାମଲାର ଶୁଣାଣି ସମୟରେ କୌଣସି ଆଇନଜୀବୀ ବା ପକ୍ଷ ଅନୁପସ୍ଥିତ ରୁହନ୍ତି ତେବେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ। ଜନସାଧାରଣଙ୍କୁ କମିସନଙ୍କ ନିକଟକୁ ଆସିବାକୁ ଅନୁମତି ଦିଆଯିବ ନାହିଁ।

ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ରାଜସ୍ବ ଜିଲ୍ଲା ସଂପୂର୍ଣ୍ଣ ଭାବେ ଲକ୍ ଡାଉନ୍ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ସହିତ କରୋନା ସଂକ୍ରମଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନ୍‌ଙ୍କ ମାର୍ଚ୍ଚ ୨୧ର ନିର୍ଦ୍ଦେଶନାମାରେ ସଂଶୋଧନ କରାଯାଇ ଆଜି ସାନି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

କମିସନ୍ ସଭାପତି ଡକ୍ଟର ଜଷ୍ଟିସ ଡି.ପି. ଚୌଧୁରୀଙ୍କ ନିର୍ଦ୍ଦେଶରେ ପ୍ରକାଶିତ ଖାଉଟି କମିସନଙ୍କ ସାନି ବିଜ୍ଞପ୍ତିରେ ଏଭଳି ବ୍ୟବସ୍ଥା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି। ଏଥିସହିତ ଖାଉଟି କମିସନ୍ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଫୋରମଗୁଡିକ ପାଇଁ ମଧ୍ୟ ଆଜି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲା ଫୋରମଗୁଡିକରେ ସ୍ବାଭାବିକ କାର୍ଯ୍ୟ ବନ୍ଦ ରହିବ। ଯଥା ସମ୍ଭବ କମ୍ କର୍ମଚାରୀଙ୍କୁ ନେଇ ଜିଲ୍ଲା ଫୋରମଗୁଡିକର କାର୍ଯ୍ୟାଳୟ କାର୍ଯ୍ୟ କରିବ। ଅତି ଜରୁରୀ ମାମଲାଗୁଡିକ ଜିଲ୍ଲା ଫୋରମ ସଭାପତିଙ୍କ ନିକଟରେ ଉପସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର