ଝାରସୁଗୁଡ଼ା ଲଜିଷ୍ଟିକ୍‌ ପାର୍କରେ କଣ୍ଟେନର୍‌ ଟ୍ରେନ୍‌

ବିଦେଶରୁ ନେଇ ଆସିଲା ଆମଦାନୀ ସାମଗ୍ରୀ, ବାଣିଜ୍ୟ କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ରାଜ୍ୟର ପ୍ରଥମ ମଲ୍‌ଟିମୋଡାଲ ଲଜିଷ୍ଟିକ୍‌ ପାର୍କ ଉଦ୍‌ଘାଟନ ହେବା ପରେ ଆଜି ପ୍ରଥମ କରି ବିଦେଶରୁ ଆମଦାନୀ ହୋଇ ଆସିଥିବା ସାମଗ୍ରୀ ନେଇ ଏକ କଣ୍ଟେନର ଟ୍ରେନ୍‌ ଝାରସୁଗୁଡ଼ା ଦେବାଡିହି ସ୍ଥିତ କନ୍‌କର କର୍‌ପୋରେସନ୍‌ ଅଫ୍‌ ଇଣ୍ଡିଆର ମଲ୍‌ଟିମୋଡାଲ୍‌ ଲଜିଷ୍ଟିକ୍‌ ପାର୍କରେ ପହଞ୍ଚିଛି।

ଗତ ଜାନୁଆରି ୧୫ ତାରିଖ ଦିନ ବଲାଙ୍ଗୀର ଗସ୍ତରେ ଆସିଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାଠାରେ ଥିବା କନ୍‌କର କରପୋରେସନ୍‌ ଅଫ୍‌ ଇଣ୍ଡିଆରେ ରାଜ୍ୟର ପ୍ରଥମ ମଲଟିମୋଡାଲ୍‌ ଲଜିଷ୍ଟିକ୍‌ ପାର୍କର ଉଦ୍‌ଘାଟନ କରି ଜନସାଧାରଣଙ୍କ ସେବାରେ ଏହାକୁ ଉତ୍ସର୍ଗ କରିଥିଲେ।

ବିଦେଶରୁ ଆମଦାନୀ ହୋଇ ଆସିଥିବା ସ୍କ୍ରାପ୍‌ ଆଇରନ୍‌କୁ ବିଶାଖାପାଟଣା ବନ୍ଦରଠାରୁ ୮୦ ଗୋଟି କଣ୍ଟେନର୍‌ରେ ନେଇ ଏହି ଟ୍ରେନ୍‌ ସିଧାସଳଖ ଝାରସୁଗୁଡ଼ାରେ ପହଞ୍ଚିଛି। ଏହି ସାମଗ୍ରୀ ରେଙ୍ଗାଲି ସ୍ଥିତ ଶ୍ୟାମ କେମିକାଲ୍‌ସକୁ ଆମଦାନୀ ହୋଇଛି। ମଲ୍‌ଟିମୋଡାଲ ସୁବିଧା ହେବାପରେ ବିଦେଶରୁ ଆମଦାନି ବିଭିନ୍ନ ସାମଗ୍ରୀ କଣ୍ଟେନର୍‌ ଯୋଗେ ସିଧାସଳଖ ଝାରସୁଗୁଡ଼ାକୁ ଆସି ପାରୁଥିବା କହିଛନ୍ତି କନ୍‌କର କପୋର୍ରେସନ୍‌ ଅଫ୍‌ ଇଣ୍ଡିଆର ଆସିଷ୍ଟାଣ୍ଟ ମ୍ୟାନେଜର ଅମୋଲ ନାରାୟଣ।

ପୂର୍ବରୁ ବିଭିନ୍ନ ସଂସ୍ଥାର ସାମଗ୍ରୀ ବିଦେଶରୁ ଆମଦାନୀ ହୋଇ ପୋର୍ଟରେ ପହଞ୍ଚିବା ପ‌ରେ ସଂପୃକ୍ତ ସଂସ୍ଥାର ଅଧିକାରୀ ପୋର୍ଟକୁ ଯାଇ କଷ୍ଟମ୍‌ସ ଓ ଅନ୍ୟାନ୍ୟ କଥା ବୁଝିବାକୁ ପଡ଼ୁଥିବା ବେଳେ ମଲଟିମୋଡାଲ ସୁବିଧା ହେବାଫଳରେ ସିଧାସଳଖ ବିଦେଶରୁ ଆମଦାନୀ ସାମଗ୍ରୀ ଝାରସୁଗୁଡ଼ାରେ ପହଞ୍ଚି ପାରିବ ଓ ଏଠାରୁ ବିଭିନ୍ନ ଦେଶକୁ ମଧ୍ୟ ରତ୍ପାନୀ ହେବ। ଆସନ୍ତା ୩/୪ ସପ୍ତାହ ମଧ୍ୟରେ ଏଠାରୁ ପ୍ରଥମ ରତ୍ପାନୀ ସାମଗ୍ରୀ କଣ୍ଟେନର୍‌ ଟ୍ରେନ୍‌ ଯୋଗେ ବିଶାଖାପାଟଣା ବନ୍ଦରକୁ ଯାତ୍ରା କରିବ ବୋଲି ଶ୍ରୀ ନାରାୟଣ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର