ଅଦାଲତ ଅବମାନନା ମାମଲା, ନିର୍ବାହୀ ଯନ୍ତ୍ରୀଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ/ସମ୍ବଲପୁର : ଅଦାଲତ ଅବମାନନା ମାମଲାରେ କଳାହାଣ୍ଡି ଆର୍‌ ଆଣ୍ଡ୍ ବି ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ବାବୁଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାହୀ ଯନ୍ତ୍ରୀ ଅକ୍ଟୋବର ୧୭ରେ ହାଜର ହୋଇ ଅଦାଲତଙ୍କ ଆଦେଶ ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ନାହିଁ ସେ ନେଇ କାରଣ ଦର୍ଶାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସୂର୍ଯ୍ୟପ୍ରକାଶ ଅଗ୍ରୱାଲଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ଞାନେନ୍ଦ୍ର ଚନ୍ଦ୍ର ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ଏକ ଏକରରୁ ଅଧିକ ଜମି ରହିଥିବା ବେଳେ ବିଜୁ ଏକ୍ସପ୍ରେସ୍ ହାଇୱେ ପାଇଁ ଏହା ଅଧିଗ୍ରହଣ କରାଯିବା ପାଇଁ ପ୍ରସ୍ତାବ ରହିଥିଲା। ଏହି ଜମି ବାବଦ ଉପଯୁକ୍ତ କ୍ଷତିପୂରଣ ପାଇଁ ଆବେଦନକାରୀ କଳାହାଣ୍ଡି ଆର୍ ଆଣ୍ଡ ବି ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଦରଖାସ୍ତ କରି ଏହି ମାମଲାକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ବିଚାର ପାଇଁ ପଠାଇବାକୁ ନିବେଦନ କରିଥିଲେ। ଏହି ପ୍ରସଂଗରେ ପ୍ରଶାସନିକ ସ୍ତରରେ କୌଣସି ନିଷ୍ପତ୍ତି ନିଆ ନ ଯିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯, ଏପ୍ରିଲ ୧୮ରେ ମାମଲାର ଶୁଣାଣି କରି ଦୁଇ ସପ୍ତାହ ଭିତରେ ଆବେଦନକାରୀଙ୍କ ଏ ସଂପର୍କିତ ଦରଖାସ୍ତ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବାକୁ ହାଇକୋର୍ଟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ଦରଖାସ୍ତକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ପଠାଇବା ବଦଳରେ ଜୁଲାଇ ୩୦ରେ ନିର୍ବାହୀ ଯନ୍ତ୍ରୀ ନିଜେ ଏହାକୁ ଖାରଜ କରିଥିଲେ। ଏହାପରେ ଅଦାଲତଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ନିର୍ବାହୀ ଯନ୍ତ୍ରୀଙ୍କ ନିଷ୍ପତ୍ତି ଅଦାଲତଙ୍କ ଆଦେଶର ଉଲ୍ଲଂଘନ କରୁଛି। ଏପରି ପରିସ୍ଥିତିରେ ନିର୍ବାହୀ ଯନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର