ଲଗାତର ୫ ଦିନ ପ୍ରଶ୍ନକାଳ ହେଲାନି

ଶିଳ୍ପାୟନ ପ୍ରସଙ୍ଗ ଉଠାଇ ବିଜେପିର ହଟ୍ଟଗୋଳ, ଗୋଟିଏ ମିନିଟ୍‌ରେ ସୀମିତ ହେଲା ପ୍ରଶ୍ନକାଳ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନରେ ଗୋଟିଏ ବି ଦିନ ପ୍ରଶ୍ନକାଳ ହୋଇପାରି ନାହିଁ। ଲଗାତର ପଞ୍ଚମ ଦିନ ପାଇଁ ଆଜି ପ୍ରଶ୍ନକାଳରେ ହଟ୍ଟଗୋଳ ହୋଇଥିଲା। ବିଜେପି ସଭ୍ୟମାନେ ଶିଳ୍ପାୟନରେ ରାଜ୍ୟ ସରକାରଙ୍କ ଆତ୍ମପ୍ରଚାର କଥା ଉଠାଇ ନାରାବାଜି କରିଥିଲେ। ଫଳରେ ଗୋଟିଏ ମିନିଟ୍‌ରେ ପ୍ରଶ୍ନକାଳ ସୀମିତ ରହିଥିଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ସାର୍‌…ସାର୍‌… କହି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଆରୋପ ଲଗାଇଥିଲେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ। କିନ୍ତୁ କେନ୍ଦ୍ରୀୟ ଅର୍ଥରେ ହେଉଥିବା ଭିତ୍ତିଭୂମି ପ୍ରକଳ୍ପରେ ବାଧା ସୃଷ୍ଟି କରୁଛନ୍ତି। ବାଚସ୍ପତି ଅଭିଯୋଗକୁ ନ ଶୁଣି ଏକ ପ୍ରଶ୍ନର ଉତ୍ତର ଦେବାକୁ କୃଷି ମନ୍ତ୍ରୀଙ୍କୁ ଡାକିଲେ। ଏହା ପରେ ବିଜେପି ସଭ୍ୟଙ୍କ ସ୍ୱର ଆହୁରି ଶାଣିତ ହେଲା। ମୁଖ୍ୟମନ୍ତ୍ରୀ ହାଏ…ହାଏ…, ପୁଞ୍ଜିନିବେଶ ନାଁରେ ଆତ୍ମପ୍ରଚାର ଚଳିବ ନାହିଁ…. ସ୍ଲୋଗାନ୍‌ରେ ଗୃହ କମ୍ପିଲା। ସଭ୍ୟ ରବି ନାଏକ ଚେୟାର ଉପରେ ଚଢ଼ି ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଆଉ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ହୋଇ ନ ଥିଲା। ୧୦ଟା ୩୧ରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ। ଗୃହ ବାହାରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଲେ, ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି। କିନ୍ତୁ ଏନ୍‌ଟିପିସି ପ୍ରକଳ୍ପକୁ ମଞ୍ଜୁରୀ ଦେଉ ନାହାନ୍ତି। ଆହୁରି ଅନେକ କେନ୍ଦ୍ର ସରକାରଙ୍କ ଭିତ୍ତିଭୂମି ପ୍ରକଳ୍ପକୁ ଅଟକାଇଛନ୍ତି। କିନ୍ତୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ମାଧ୍ୟମରେ ପୁଞ୍ଜିନିବେଶ ନାଁରେ ନିଜର ଆତ୍ମପ୍ରଚାର କରୁଛନ୍ତି। ତେଣୁ ରାଜ୍ୟର ସ୍ୱାର୍ଥ ପାଇଁ ବିଜେପି ଏହି ପ୍ରସଙ୍ଗ ଗୃହରେ ଉଠାଇଲା। ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ପୁଞ୍ଜିନିବେଶ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚାର ସର୍ବସ୍ୱ ହୋଇଯାଇଛନ୍ତି। ଯାହା ପ୍ରଚାର କରୁଛନ୍ତି, ତାହା କାର୍ଯ୍ୟକାରୀ କରୁ ନାହାନ୍ତି। ତେଣୁ ଚାଲୁଣି କହୁଛି ଛୁଞ୍ଚିକୁ…ପରି ଅବସ୍ଥା ଆଜି ଗୃହରେ ହେଲା। କଂଗ୍ରେସ ଦଳ ପ୍ରଶ୍ନକାଳ ଚଳାଇବାକୁ ଚାହୁଁଥିଲା। କିନ୍ତୁ ତାହା ହୋଇପାରିଲାନି। ବିଜେଡି ମୁଖପାତ୍ର ତଥା ବିଧାୟକ ସମୀର ଦାଶ କହିିଥିଲେ, ବିଜେପିର ଏପରି ପ୍ରତିବାଦ ଅତ୍ୟନ୍ତ ହାସ୍ୟାସ୍ପଦ। ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ ମାଧ୍ୟମରେ ଓଡ଼ିଶାରେ ବହୁପରିମାଣରେ ପୁଞ୍ଜିନିବେଶ ହୋଇପାରିଛି। ନିଜେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରୁଛନ୍ତି। ତେଣୁ ବିଜେପିର ଏପରି ଅଭିଯୋଗ ବିକୃତ ମାନସିକତାର ପରିଚୟ।

ସମ୍ବନ୍ଧିତ ଖବର