ବିଜୟଙ୍କ ପିଛା ଛାଡୁନି ବିଜେପି

ମହାକାଳପଡ଼ାରେ ସମାନ୍ତରାଳ କାର୍ଯ୍ୟାଳୟ ଉଦ୍‌ଘାଟନ

ମହାକାଳପଡା/କଟକ: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିରୁଦ୍ଧରେ ମାନସିକ ଯୁଦ୍ଧ ଆରମ୍ଭ କରିଛି ଜିଲ୍ଲା ବିଜେପି। ମହାକାଳପଡ଼ାଠାରେ ତାଙ୍କ ସମର୍ଥକଙ୍କ ଦଖଲରେ ଥିବା ଦଳୀୟ କାର୍ଯ୍ୟାଳୟର ଠିକ୍‌ ପାଖାପାଖି ଆଜି ଆଉ ଏକ କାର୍ଯ୍ୟାଳୟ ଖୋଲିଛି। ଜିଲ୍ଲା କମିଟିର କର୍ମକର୍ତ୍ତାମାନେ ଏକ ମୋଟର୍‌ ସାଇକେଲ୍‌ ଶୋଭାଯାତ୍ରାରେ ଆସି ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହିଭଳି ଏକ ନିଷ୍ପତ୍ତି ନେଇଥିବାବେଳେ ମହାକାଳପଡ଼ା ଅଞ୍ଚଳର ବିଷ୍ଣୁ ଦାସ, ବିଜୟ ପ୍ରଧାନଙ୍କ ଭଳି ଛାମୁଆଁ ନେତାଙ୍କୁ ଜିଲ୍ଲା ବିଜେପି ଅନ୍ଧାରରେ ରଖଛି। ଆଜିର ଘଟଣା ପରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଖାଲି ପଦାରେ ପଡ଼ିନି, ମହାକାଳପଡା ଅଞ୍ଚଳରେ ଦଳ ଏକପ୍ରକାର ଦୁଇଭାଗ ହୋଇଯାଇଛି।

ଗତ ୨୧ ତାରିଖ ଦିନ ବିଜେପି ମିଶ୍ରଣ ପର୍ବରେ ଗଣ୍ଡଗୋଳ ପରଠାରୁ ବିଜେପି ରାଜନୀତି ସରଗରମ ହୋଇଉଠିଛି। ମହାନଦୀ ପ୍ରସଙ୍ଗରେ ବିଜୟଙ୍କ ବିବୃତି ପରେ ବିଜୟଙ୍କୁ ହଟାଇବା ପାଇଁ ଯେଉଁ ଅଭିଯାନ ଆରମ୍ଭ କରିଥିଲା, ମିଶ୍ରଣ ପର୍ବ ଗଣ୍ଡଗୋଳଠାରୁ ତାକୁ ବାସ୍ତବ ରୂପ ଦେବା ଚେଷ୍ଟାରେ ଅଛି ଜିଲ୍ଲା ବିଜେପି। ପ୍ରଥମେ ୨୨ ତାରିଖ ଦିନ ବିଜୟଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ହଟାଇଥିଲା। ଗତ ଦୁଇଦିନ ଧରି କୁଶପୁତ୍ତଳିକା ଦାହରେ ମାତିଥିଲା। ଆଜି ଜିଲ୍ଲା ବିଜେପି ଆଉ ପାଦେ ଆଗକୁ ଯାଇ ବିଜୟଙ୍କ ନିର୍ବାଚନମଣ୍ଡଳୀରେ ଏକ ସମାନ୍ତରାଳ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛି। ଗତ ୨୦୧୪ ମସିହାରେ ବିଜୟ ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ୫୮,୦୦୦ରୁ ଅଧିକ ଭୋଟ୍‌ ପାଇଥିଲେ। ଏଠାରେ ୧୦ ବର୍ଷ ହେବ ଏକ ଦଳୀୟ କାର୍ଯ୍ୟାଳୟ ଥିଲେ ମଧ୍ୟ ବିଜୟ ପ୍ରତିନ୍ଦ୍ୱନ୍ଦ୍ୱିତା କରିବା ପରଠାରୁ ଏହି କାର୍ଯ୍ୟାଳୟ ସବୁବେଳେ ଚଳଚଞ୍ଚଳ ଥିଲା। ମାତ୍ର, ବିଜୟଙ୍କ ସମର୍ଥକମାନେ ଏହାକୁ ଅକ୍ତିଆର କରି ରଖିଥିବାରୁ ଆଜି ଜିଲ୍ଲା ବିଜେପି ସେଠାରୁ ୧୦୦ ଫୁଟ ଦୂରରେ ଆଉ ଏକ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ , ପାରାଦ୍ୱୀପ୍‌ ପୋର୍ଟ ଟ୍ରଷ୍ଟି ତଥା ବିଜେପି ନେତା ଭୁବନ ମୋହନ ଜେନା , ଜ୍ଞାନଦେବ ବେଉରା , ଉତ୍କଳ କେଶରୀ ପରିଡ଼ାଙ୍କ ସମେତ ଶତାଧିକ ବିଜେପି କର୍ମୀ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଆସି ନୂତନ କାର୍ଯ୍ୟାଳୟ ଉଦ୍ଘାଟନୀ ସଭାରେ ଯୋଗ ଦେଇଥିଲେ। ଉଲ୍ଲେଖ ଯେ, ଉଦ୍‌ଘାଟନ ସମୟରେ ଗଣ୍ଡଗୋଳ ହେବା ଆଶଙ୍କାରେ ବିଜେପି କର୍ମକର୍ତ୍ତାମାନେ ପୁଲିସ୍‌ର ସହାୟତା ନେଇଥିଲେ। ପୁଲିସ୍‌ ଉପସ୍ଥିତିରେ ହିଁ ସେମାନେ ନୂଆଘରକୁ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ, ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ ସମୟରେ ମହାକାଳପଡା ଅଞ୍ଚଳର ଦୁଇ ଛାମୁଆଁ ନେତା ବିଷ୍ଣୁ ଦାସ ଓ ବିଜୟ ପ୍ରଧାନଙ୍କୁ ଦେଖିବାକୁ ମିଳିନାହିଁ। ଶ୍ରୀ ଦାସ ଗତଥର ଦଳର ସାଂସଦ ପ୍ରାର୍ଥୀ ଥିଲେ ଏବଂ ରାଜ୍ୟ ରାଜନୀତିରେ ସେ ବେଶ୍‌ ଜଣାଶୁଣା। ସେହିଭଳି, ଶ୍ରୀ ପ୍ରଧାନ ଦୀର୍ଘଦଶନ୍ଧି ଧରି ରାଜନୀତି କରିବା ପରେ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ତେବେ, ତାଙ୍କୁ ଡକାଯାଇନାହିଁ ଏବଂ ନୂତନ କାର୍ଯ୍ୟାଳୟ ଉଦଘାଟନ ସମ୍ପର୍କରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି ଶ୍ରୀ ଦାସ। ଶ୍ରୀ ପ୍ରଧାନ ଜାଣିଥିଲେ ବୋଲି କହୁଥିଲେ ମଧ୍ୟ ତାଙ୍କୁ ଡକାଯାଇନଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଏହି ଘଟଣାକୁ ନେଇ ବିଜେପିର ଅନ୍ତର୍ଦ୍ୱନ୍ଦ୍ୱ ପଦାରେ ପଡିଛି। ବିଜେପି ନେତା ଭୁବନ ମୋହନ ଜେନା କହିଛନ୍ତି ଯେ , ଦଳକୁ ମଜଭୁତ୍‌ କରିବା ପାଇଁ ଆବଶ୍ୟକ ପଡ଼ିଲେ ପ୍ରତି ପଞ୍ଚାୟତ ସ୍ତରରେ ମଧ୍ୟ କାଯ୍ୟର୍ାଳୟ ଖୋଲାଯିବ । ଅନ୍ୟପକ୍ଷରେ, ବିଜୟଙ୍କ ସମର୍ଥକ ପ୍ରଶାନ୍ତ ସାହାଣୀ କହିଛନ୍ତି ଯେ, ନୂତନ କାର୍ଯ୍ୟାଳୟ ଖୋଲିଥିବା ବ୍ୟକ୍ତିମାନେ କେବେ ମହାକାଳପଡ଼ା ବାସୀଙ୍କର ସୁଖ ଦୁଃଖରେ ଭାଗ ନେଇ ନାହାନ୍ତି।

ସମ୍ବନ୍ଧିତ ଖବର