୨୫ରୁ ଠିକା କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ

ଭୁବନେଶ୍ୱର : ଆସନ୍ତା ୨୫ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ନିଗମ ଓ ସମବାୟ ସଂସ୍ଥାରେ କାର୍ଯ୍ୟରତ ଠିକା କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛନ୍ତି। ଯଦି ଏଥିରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ୨୭ତାରିଖରେ ନବୀନ ନିବାସ ଘେରାଉ କରାଯିବ ବୋଲି ଓଡ଼ିଶା କର୍ମଚାରୀ ମହାମଞ୍ଚ ଚେତାବନୀ ଦେଇଛି।

ଆଜି ଅଶୋକ ନଗରସ୍ଥିତ ଅନୁଷ୍ଠାନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିନଳୀରେ ମହାମଞ୍ଚର ଆବାହକ ପ୍ରଭାତ ମହାନ୍ତି ଓ ମଧୁ ମଲ୍ଲିକ କହିଲେ, ନିଯୁକ୍ତି ପରୀକ୍ଷା ଜରିଆରେ ଉଚ୍ଚଶିକ୍ଷିତ ଯୁବବର୍ଗଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ନିଯୁକ୍ତି ଦିଆଯାଇଛି। ଏହାଦ୍ୱାରା ଠିକାରେ ନିଯୁକ୍ତ ହେଉଥିବା କର୍ମଚାରୀମାନେ ସର୍ଭିସ ପ୍ରୋଭାଇଡର୍‌ ସଂସ୍ଥାମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ସପ୍ତମ ବେତନ କମିସନ୍‌ ସୁପାରିସ ପରେ ବିସିଡି ଗ୍ରୁପର କର୍ମଚାରୀଙ୍କୁ ଠିକା ବ୍ୟବସ୍ଥା ଲଦି ଦେବାର କୌଣସି ଯଥାର୍ଥତା ନାହିଁ। ଗତ ମାର୍ଚ ମାସରେ ଅର୍ଥ ସଚିବ ମହାମଞ୍ଚର ପ୍ରତିନିଧିଙ୍କ ଆଲୋଚନା ହୋଇଥିଲେ ହେଁ ସରକାର ଚୁପ ବସିଛନ୍ତି।

ଏହାର ପ୍ରତିବାଦରେ ମହାମଞ୍ଚ ପକ୍ଷରୁ ଚଳିତମାସ ୧ତାରିଖରୁ ୮ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ କଳାବ୍ୟାଜ୍‌ ପରିଧାନ କରିଥିଲେ। ଏଥିରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ୨୫ତାରିଖରୁ ଗଣଧାରଣା ଦେବା ପାଇଁ ନିଷ୍ପତ୍ତି ହୋଇଥିବା ମହାମଞ୍ଚ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଜୟ ପଟ୍ଟନାୟକ, ବିଜୟ କୁମାର ମଲ୍ଲ, ମିହିର ନାରାୟଣ ଜେନା, ତାପସ ମିଶ୍ର, ସତ୍ୟବ୍ରତ ବାରିକ, ପ୍ରକଶା ଚନ୍ଦ୍ର ବେଦାନ୍ତ, ସଚିତ୍ର କୁମାର ଦାସ, ହେମନ୍ତ ବସ୍ତିଆ, ସମରେନ୍ଦ୍ର ପ୍ରଧାନ, ଦେବ ସାହୁ, ପ୍ରତାପ କୁମାର ନାଥ, ରାଜୀବ କୁମାର ହାତୀ, ରଶ୍ମିରଂଜନ ପାଢ଼ୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର