ଆନ୍ଦୋଳନରେ ସାମିଲ ହେଲେ ଠିକା କର୍ମଚାରୀ

ଓଡ଼ିଶା ଅସ୍ଥାୟୀ ପୌର କର୍ମଚାରୀ ମହାସଂଘର ଧାରଣା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ପୌର ସଂସ୍ଥାରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦାବି ନେଇ ଓଡ଼ିଶା ଅସ୍ଥାୟୀ ପୌର କର୍ମଚାରୀ ମହାସଂଘର ବିଧାନସଭା ସମ୍ମୁଖରେ ଚାଲିଥିବା ଧାରଣା ୧୩ ଦିନରେ ପହଞ୍ଚିଛି।

ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ରାଜ୍ୟ ଠିକା କର୍ମଚାରୀ ମହାସଂଘ ଏଥିରେ ସାମିଲ ହୋଇଛି। ମହାସଂଘର ସଭାପତି ଅମର ନାୟକଙ୍କ ନେତୃତ୍ୱରେ ଶହ ଶହ ଠିକା କର୍ମଚାରୀ ଏକ ଶୋଭାଯାତ୍ରାରେ ବାହାରି ପୌର ଅସ୍ଥାୟୀ କର୍ମଚାରୀଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ରାଜ୍ୟ ଠିକା କର୍ମଚାରୀ ମହାସଂଘର ସଭାପତି ଅମର ନାୟକଙ୍କ ସୂଚନା ଅନୁଯାୟୀ, ଠିକା କର୍ମଚାରୀମାନେ ସ୍ଥାୟୀ କର୍ମଚାରୀଙ୍କ ଭଳି ନିୟମିତ କାର୍ଯ୍ୟ କରୁ ଆସୁଥିଲେ ହେଁ ସେମାନଙ୍କୁ ବ୍ୟାଙ୍କ ଜରିଆରେ ଦରମା ଓ ଇପିଏଫ୍‌ ପ୍ରଦାନ କରାଯାଉ ନାହିଁ। ଘରୋଇକରଣ ଯୋଗୁଁ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଆଶା ଦିନକୁ ଦିନ ମଉଳିବାରେ ଲାଗିଛି। ଘରୋଇ କରଣର ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଓ ଅନଶନ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଅସ୍ଥାୟୀ ପୌର କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଗାମୀ ଦିନରେ ପୌର କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଓ୍ଵର୍କଚାର୍ଜଡ କର୍ମଚାରୀମାନେ ଏଥିରେ ସାମିଲ ହେବେ ବୋଲି ରାଜ୍ୟ ଠିକା କର୍ମଚାରୀ ମହାସଂଘର ସଭାପତି ଅମର ନାୟକ ସୂଚନା ଦେଇଛନ୍ତି। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

ଉଲ୍ଲେଖ ଯେ, ସ୍ଥାୟୀ ନିଯୁକ୍ତି ଦାବି ନେଇ ଓଡ଼ିଶା ଅସ୍ଥାୟୀ ପୌର କର୍ମଚାରୀ ମହାସଂଘ ବିଧାନସଭା ସମ୍ମୁଖରେ ଧାରଣା ଦେଇଛି। ୧୯୯୯ ମସିହାରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପୌରସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ନିର୍ଦେଶନାମା ଜାରି ସତ୍ୱେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ସଂଘର ଦାବିକୁ ସରକାର ଅଣଦେଖା କରି ଚାଲିଛନ୍ତି। ଯଦି ସରକାର ଆମର ଦାବି ତୁରନ୍ତ ପୂରଣ ନ କରନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର