ମୋଗଲ ଶାସକଙ୍କଠାରୁ ବି ନବୀନ ସରକାର ଭୟଙ୍କର: ନବୀନଙ୍କୁ ଟାର୍ଗେଟ କଲେ ବୈଷ୍ଣବ

ସମ୍ବଲପୁର: ଭାଷା ଆଇନକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥର ସିଧାସଳଖ ଟାର୍ଗେଟ କରିଛନ୍ତି ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା। ଓଡ଼ିଶାରେ ଶାସନ କରୁଥିବା ନବୀନ ସରକାର ମୋଗଲ ଶାସକଙ୍କଠାରୁ ବି ଭୟଙ୍କର ବୋଲି ସେ କହିଛନ୍ତି। ଓଡ଼ିଶାରେ ଶାସନ କରୁଛନ୍ତି, କିନ୍ତୁ ଓଡ଼ିଆ ଭାଷାକୁ ସମ୍ମାନ ଦେଉ ନାହାନ୍ତି। ଓଡ଼ିଆ ଭାଷାକୁ ସରକାରୀ କାମରେ ବ୍ୟବହାର ନକରି ଏହାକୁ ମାରିବାକୁ ବସିଛନ୍ତି। ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ଶାସନ କାଳରେ ଓଡ଼ିଆ ଭାଷାର ବ୍ୟବହାରକୁ ଶୂନରୁ ୬୭ ପ୍ରତିଶତ ପର୍ଯ୍ୟନ୍ତ ଆଣିଥିଲେ। ମାତ୍ର ଗତ ୧୭ ବର୍ଷ ମଧ୍ୟରେ ବର୍ତମାନର ସରକାର ଏହାକୁ ୭ ପ୍ରତିଶତକୁ ଖସାଇ ଆଣିଛନ୍ତିି। ଯିଏ ଓଡ଼ିଆ ଭାଷା ଜାଣି ନାହାନ୍ତି, ଓଡ଼ିଶାରେ ତାଙ୍କର ଶାସନ କରିବାର ଅଧିକାର ନାହିଁ। ଯେଉଁ ସରକାର ଲୋକଙ୍କ ମତକୁ ବେଖାତିର କରି ଭାଷା ଆଇନକୁ ଭଂଗ କରୁଛନ୍ତି, ଓଡ଼ିଆ ପରିବର୍ତ୍ତେ ଇଂରାଜୀରେ ଶାସନ ଚଳେଇଛନ୍ତିି, ଆମେ ସେଇ ସରକାରଙ୍କ ଆଇନକୁୁ ଅମାନ୍ୟ କରିବୁ ବୋଲି ଶ୍ରୀ ପରିଡ଼ା ମଂଗଳବାର ସାକେତ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭାଷା ବ୍ୟବହାର ନହେଲେ ମରିଯାଏ। ରାଜ୍ୟର ପ୍ରମୁଖ ପଦରେ ରହିଥିବା କେତେକ ଅଣଓଡ଼ିଆ ଅଫିସର ଓଡ଼ିଆ ଭାଷା ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ଇଂରାଜୀ ଭାଷା ପ୍ରେମରେ ପଡ଼ିଥିବା କେତେକ ଓଡ଼ିଆ ଅଫିସର ମଧ୍ୟ ଏହି ଅଣଓଡ଼ିଆ ଅଫିସରଙ୍କ ସହିତ ମିଶିଛନ୍ତି। ୧୯୫୪ ମସିହାର ଭାଷାକୁ ଆଇନ କାର୍ଯ୍ୟକାରୀ କରି ଶାସନ, ନ୍ୟାୟ ବ୍ୟବସ୍ଥା, ବିଧାନସଭା ତଥା ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଭାଷା ସୁରକ୍ଷା ସମ୍ମିଳନୀ ଗତ ୫ ବର୍ଷ ଧରି ଆନ୍ଦୋଳନ କରି ଆସୁଛି। ଭାଷା ସୁରକ୍ଷା ପାଇଁ ଉଚ୍ଚ କ୍ଷମତାସଂପନ୍ନ ଭାଷା ଆୟୋଗ ଗଠନ ଓ ଭାଷା ଆଇନ ଖିଲାଫକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ପ୍ରଥମରୁ ସରକାରଙ୍କୁ ପରାମର୍ଶ ଦେଇଥିଲା। ମାତ୍ର ରାଜ୍ୟ ସରକାର ଜଣେ ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଭାଷା ଡିଭିଜନ ଗଠନ କରିଦେଲେ। ୬ ମାସରେ ଥରେ ଲେଖାଏଁ ଏହାର କାର୍ଯ୍ୟ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଗଲା। ଏହା ଗତ ୧୬ ଅଗଷ୍ଟ ୨୦୧୬ରୁ କାର୍ଯ୍ୟକାରୀ କରାଗଲା। ଇତିମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା କୌଣସି ମନ୍ତ୍ରୀ କିମ୍ବା ଅଧିକାରୀ ଓଡ଼ିଆରେ ଦସ୍ତଖତଟିଏ ମଧ୍ୟ କଲେ ନାହଁ। ଇଂରାଜୀ ନାମଫଲକ ମଧ୍ୟ ବଦଳି ନାହିିଁ। ତେଣୁ ଭାଷା ଆୟୋଗ ଗଠନ କରି ଏହାର ଅଧ୍ୟକ୍ଷଙ୍କୁ ଅନ୍ୟ ରାଜ୍ୟ ଭଳି ଜଣେ କ୍ୟାବିନେଟ ପାହ୍ୟାର ମର୍ଯ୍ୟାଦା ଦେବା ଏବଂ ଦଣ୍ଡବିଧାନ ପାଇଁ ପର୍ଯ୍ୟାପ୍ତ କ୍ଷମତା ଦେବାକୁ ଭାଷା ସୁରକ୍ଷା ସମ୍ମିଳନୀ ଦାବି କରୁଛି। ମୁଖ୍ୟମନ୍ତ୍ରୀଙ୍କୁ ୪ ମାସ ତଳେ ସାକ୍ଷାତ କରି ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ଆସନ୍ତା ୧୬ ଅକ୍ଟୋବରରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ସ୍ଥିର ହୋଇଛି ବୋଲି ଶ୍ରୀ ପରିଡ଼ା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସିପିଆଇ ନେତା ଅଶୋକ କୁମାର ବିଶି, ପିସିସି ସଂପାଦକ ଜୟଶଙ୍କର ମିଶ୍ର, ଡାକ୍ତର ରମାବଲ୍ଲଭ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ। ଆଇନ ଅମାନ୍ୟ ଆନ୍ଦୋଳନକୁ ସଫଳ କରିବା ପାଇଁ ସେ ଭାଷାପ୍ରେମୀ ଜନସାଧାରଣ, ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଲେଖକ, କବି, ଶିକ୍ଷକ, ଛାତ୍ରଛାତ୍ରୀ, ଯୁବବର୍ଗ ଏବଂ ବିଭିନ୍ନ ରାଜ୍ୟନୈତିକ ଦଳକୁ ନିବେଦନ କରିଛନ୍ତି। ବିଜେଡିରେ ଥାଇ ନିଜ ଦଳର ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହୁଛନ୍ତି ବୋଲି ପ୍ରଶ୍ନ ହେବାରୁ ସେ ପ୍ରଥମେ ଓଡ଼ିଆ ପରେ କୌଣସି ରାଜନୈତିକ ଦଳର କର୍ମୀ ବୋଲି ବୈଷ୍ଣବ କହିଥିଲେ।

ବୈଷ୍ଣବଙ୍କ ମନ୍ତବ୍ୟକୁ ବିଜେଡିର ବିରୋଧ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେଡିର ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ାଙ୍କ ମନ୍ତବ୍ୟକୁ ବିରୋଧ କରିଛି ବିଜେଡି। ବୈଷ୍ଣବଙ୍କୁ ଜଣେ ସୁବିଧାବାଦୀ ନେତା ବୋଲି ଦର୍ଶାଇ ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି, ଶ୍ରୀ ପରିଡ଼ା ବହୁ ଦଳ ପରିବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗ୍ରହରେ ସେ ରାଜ୍ୟସଭା ସାଂସଦ ହେବାର ସୁଯୋଗ ପାଇଥିଲେ। ବୈଷ୍ଣବ ବାବୁ ବର୍ତ୍ତମାନ ଯାହା କହୁଛନ୍ତି ସେତେବେଳେ କ’ଣ ଜାଣି ନ ଥିଲେ। ଏବେ କାହିଁକି ପାଟି ଖୋଲୁଛନ୍ତି ? ସେ ନିଜେ ନିଜ କଥା କହୁଛନ୍ତି ନା ଅନ୍ୟ କେହି ତାଙ୍କ ମୁହଁରେ କଥା କୁହାଉଛନ୍ତି, ତାହା ସ୍ପଷ୍ଟ ହେବା ଦରକାର। ସେ ପାହାଡ଼କୁ ଟେକା ମାରୁଛନ୍ତି, ଯାହାର ପରିଣାମ ସେ ନିଜେ ହିଁ କ୍ଷତାକ୍ତ ହେବେ। ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣିଛନ୍ତି ଓ ଓଡ଼ିଆରେ ବାର୍ତ୍ତାଳାପ କରନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର