ସ୍ୱତ୍ୱଲିପିରେ ରହିଛି ଶ୍ରୀମନ୍ଦିରରେ ପଶିବେନି ଭିନ୍ନଧର୍ମୀ, କୁଷ୍ଠରୋଗୀ; ଗୋରା ଶାସକମାନେ ବି ନିୟମକୁ ମାନୁଥିଲେ

ପୁରୀ : ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବକୁ ନେଇ ବିଭିନ୍ନ ଧାର୍ମିକ ସଂଗଠନ, ସେବାୟତ, ଭକ୍ତଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସ୍ୱତ୍ୱଲିପିରେ ଭିନ୍ନ ଧର୍ମାବଲମ୍ବୀଙ୍କ ପ୍ରବେଶକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶକୁ ନେଇ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ମଧ୍ୟ ତାଙ୍କ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି। ଏ ନେଇ ଶଙ୍କରାଚାର୍ଯ୍ୟ ଧର୍ମଗୁରୁ ହିସାବରେ ତାଙ୍କ ପରାମର୍ଶ ନେବାକୁ କହିଛନ୍ତି। ତେବେ ଏସବୁ ଉଦ୍ଧ୍ଵର୍ରେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିପାରିବେ ନାହିଁ ବହୁ କାଳରୁ କଟକଣା ରହିଛି। ଶ୍ରୀମନ୍ଦିର ସ୍ୱତ୍ଵଲିପି(ଆର୍‌ଓଆର) ଦ୍ଵିତୀୟ ଭାଗର-୪୭ ପୃଷ୍ଠାରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ରହିଥିବା କଟକଣା ସଂପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

୧୯୫୨ ମସିହା ଆର୍‌ଓଆର୍‌ ମୁତାବକ, ଶ୍ରୀମନ୍ଦିର ଭିତରକୁ ଭିନ୍ନ ଧର୍ମାବଲମ୍ବୀଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏହା ସହିତ ମନ୍ଦିର ଭିତରକୁ କୁଷ୍ଠରୋଗୀଙ୍କ ପ୍ରବେଶକୁ ମଧ୍ୟ ବାରଣ ରହିଛି। ଜୋତା, କ୍ୟାମେରା, ଚମଡା ଓ ଅନ୍ୟ ଦ୍ରବ୍ୟ ଉପରେ ମଧ୍ୟ କଟକଣା ରହିଛି। ଶ୍ରୀମନ୍ଦିରରେ ଶହ ଶହ ବର୍ଷ ଧରି ଚାଲି ଆସିଥିବା ପରମ୍ପରାକୁ ରେକର୍ଡ ଅଫ୍‌ ରାଇଟ୍‌ (ଆର୍‌ଓଆର)ରେ ଲିପିିବଦ୍ଧ କରାଯାଇଛି। ଅଣହିନ୍ଦୁ ପ୍ରବେଶକୁ ନେଇ ଜଗନ୍ନାଥ ସଂସ୍କୃତି ଉପରେ ଗଷେଣା କରୁଥିବା ଡକ୍ଟର ଭାସ୍କର ମିଶ୍ର ଅତି ରୋଚକ ତଥ୍ୟ ଦେଇଛନ୍ତି।

ଶ୍ରୀମନ୍ଦିରରେ କେବଳ ହିନ୍ଦୁମାନେ ପ୍ରବେଶ କରନ୍ତି, ଏ କଥା ଶହ ଶହ ବର୍ଷ ହେବ ପ୍ରଚଳିତ ହୋଇଆସୁଛି। ଶ୍ରୀମନ୍ଦିର ଯେତେବେଳେ ବ୍ରିଟିସ ଶାସନର କର୍ତୃତ୍ଵରେ ଥିଲା ସେ ସମୟରେ ମଧ୍ୟ ଗୋରା ସାହେବ ତଥା ଏସ୍‌ପି, ଜିଲ୍ଲାପାଳ ଓ ଗୋରା କର୍ମଚାରୀ ଶ୍ରୀମନ୍ଦିର ନିୟମ ଓ ଜଗନ୍ନାଥ ସଂସ୍କୃତିକୁ ଯଥେଷ୍ଟ ସମ୍ମାନ କରୁଥିଲେ। ସେମାନେ ଶ୍ରୀମନ୍ଦିର ପରମ୍ପରା ଓ ନିୟମରେ ହସ୍ତକ୍ଷେପ କରୁନଥିଲେ। ଗୋରା ସାହେବ କେବେବି ମନ୍ଦିର ଭିତରକୁ ପ୍ରବେଶ କରୁନଥିଲେ, ଏ ନେଇ କେବେ ଉଦ୍ୟମ ମଧ୍ୟ କରିନଥିଲେ।

କେହି ବ୍ରିଟିସ୍‌ ପଦାଧିକାରୀ ଆସିଲେ ସେମାନେ ଏମ୍‌ଆର ମଠ ଚକଡାରେ ଶ୍ରୀମନ୍ଦିର ଦର୍ଶନ କରୁଥିଲେ। ରଥଯାତ୍ରା ଓ ଗୁରୁତ୍ଵପୂର୍ଣ୍ଣ ସମୟରେ ସେମାନେ ସିଂହଦ୍ଵାର ସମ୍ମୁଖରେ ଘୋଡା ଉପରେ ବସି ରଥଯାତ୍ରା ପରିଚାଳନା କରୁଥିଲେ। ମନ୍ଦିର ପରିଚାଳନା ପାଇଁ ବ୍ରିଟିସ୍‌ ପଦାଧିକାରୀ ସବୁବେଳେ ହିନ୍ଦୁ ଧର୍ମାବଲମ୍ବୀ ବଙ୍ଗଳା ମ୍ୟାନେଜର କିମ୍ବା ଓଡ଼ିଆ ମ୍ୟାନେଜରମାନଙ୍କୁ ନିଯୁକ୍ତି ଦେଉଥିଲେ। ବ୍ରିଟିସ ଶାସନ ସମୟରେ ଏ ବ୍ୟବସ୍ଥା ନେଇ ବହୁ ତଥ୍ୟ ପ୍ରମାଣ ରହିଛି। ଗୋରା ଜିଲ୍ଲାପାଳ, ଏସ୍‌ପି ସବୁବେଳେ ସିଂହଦ୍ଵାର ସମ୍ମୁଖରେ ରହି ସବୁ କାର୍ଯ୍ୟ ସଂପାଦନ କରୁଥିବାର ତଥ୍ୟ ରହିଛି। କେବଳ ଜଗନ୍ନାଥ ମନ୍ଦିର ନୁହେଁ, ଦକ୍ଷିଣ ଭାରତର ବହୁ ମନ୍ଦିରରେ କେବଳ ହିନ୍ଦୁମାନଙ୍କ ପ୍ରବେଶ ଉପରେ ଅନୁମତି ରହିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର