ଫିଟିପାରୁନି ଧର୍ମପଦ ପୁରସ୍କାରର ଭାଗ୍ୟ : କେଁ ପାଇଁ ଦାୟୀ କିଏ?

ଭୁବନେଶ୍ବର : ଶିଳ୍ପୀକୂଳର ଉପଯୁକ୍ତ ଦାୟାଦଙ୍କ ପାଇଁ ସମ୍ମାନ ଓ ସ୍ବୀକୃତିର ସ୍ମାରକୀ ଥିଲା ‘ଧର୍ମପଦ ପୁରସ୍କାର’। ଅଥଚ ଧର୍ମପଦଙ୍କ ମୃତ୍ୟୁ ଭଳି ଏହି ପୁରସ୍କାରର ରହସ୍ୟ ଭେଦ କରିବା କାଠିକର ହୋଇପଡ଼ିଛି। ଏଣେ କାଠଗଡ଼ାରେ ଥିବା ମାମଲା ତୁଟି ପାରୁନାହିଁ। ଫଳରେ ପୁରସ୍କୃତ ପାଇଁ ମନୋନୀତ ହୋଇଥିବା ଶିଳ୍ପୀମାନେ ଜଣକ ପରେ ଜଣେ ଆରପାରିକୁ ଚାଲି ଯାଉଛନ୍ତି। ତେବେ ଏହା ପଛରେ ଦାୟୀ କିଏ? ଏବେ ଏହା କେବଳ ଏକ ପ୍ରଶ୍ନବାଚୀ।

ସମ୍ମାନରେ ଅନିୟମିତତା ନେଇ ବରିଷ୍ଠ ଚିତ୍ରଶିଳ୍ପୀ ପଦ୍ମନାଭ ବେହେରା କୋର୍ଟରେ ପିଟିସନ ଦାୟର କରିବା ପରେ ସବୁ ବାଟ ବନ୍ଦ ହୋଇଯାଇଥିଲା। ଯାହା ଏଯାଏଁ ତୁଟି ପାରିନାହିଁ। ମାତ୍ର ଏହା ଭିତରେ ବି ଆହୁରି କେଁ ପଶିଲା। ଫଳରେ ମାମଲା ଅଧିକ ଅଡ଼ୁଆ ହୋଇଗଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମରେ ୧୯୯୭ରୁ ଏହି ପୁରସ୍କାରର ଧାରା ଆରମ୍ଭ ହୋଇଥିଲା। ୨୦୦୨ ମସିହା ଯାଏଁ ଅଜିତ କେଶରୀ ରାୟଙ୍କ ପର୍ଯ୍ୟନ୍ତ ଏକାଡେମିର ସାଧାରଣ ପରିଷଦର ସଭ୍ୟମାନେ ଏହି ପୁରସ୍କାର ଉଚିତ ଶିଳ୍ପୀଙ୍କୁ ପ୍ରଦାନ କରିଥିଲେ। ଏହା ପରେ ନିୟମରେ ସାମାନ୍ୟ ପରିବର୍ତନ କରାଯାଇ ୨୦୦୬ ମସିହା ପର୍ଯ୍ୟନ୍ତ ପୁରସ୍କାର ଦିଆଗଲା। ମାତ୍ର ୨୦୦୮ ମସିହାରୁ ଆରମ୍ଭ ହୋଇଥିଲା ଅସଲ ବିବାଦ। ତତ୍କାଳୀନ ସମୟରେ ଦିନନାଥ ପାଠୀଙ୍କୁ ପୁରସ୍କାର ନଦେବା ପାଇଁ ଚକ୍ରାନ୍ତ ହୋଇଥିଲା। ଯାହାର ପ୍ରତିବାଦ ସ୍ବରୂପ ଦିନନାଥ ପାଠୀ କୋର୍ଟର ଆଶ୍ରୟ ନେଲେ। ଶ୍ରୀ ପାଠୀ ଯେଉଁ ଦୁଇ ବ୍ୟକ୍ତିଙ୍କ ନାମରେ ଏହି କେସ୍‌ କରିଥିଲେ, ସେମାନଙ୍କୁ ପରବର୍ତୀ ବର୍ଷମାନଙ୍କରେ ଶିଳ୍ପୀ ସମ୍ବର୍ଧନା ପାଇଁ ସ୍ଥିର କରାଗଲା। ୨୦୦୮ ପୁରସ୍କାର ବିଚାରାଧୀନ ଥିବା ବେଳେ ତାହାର ସ୍ଥିତାବସ୍ଥା ନ ଜାଣି କିପରି ଏକାଡେମି ପକ୍ଷରୁ ଏହି ପଦକ୍ଷେପ ନିଆଗଲା ବୋଲି ପ୍ରଶ୍ନ କରିଛି ଓଡ଼ିଶା ଯୁବ ଶିଳ୍ପୀ ସ˚ଘ। ଖାଲି ସେତିକି ନୁହେଁ, ଧର୍ମପଦ ପୁରସ୍କାର ଚୟନ ପାଇଁ ରାଜ୍ୟ ସରକାର ୨୦୧୫ ମସିହା ମାର୍ଚ ୨୪ ତାରିଖରେ ଏକ ୭ ଜଣିଆ କମିଟି ଗଠନ କରିଥିଲେ। ଅଥଚ ଏହି କମିଟିର ଯଥେଷ୍ଟ ପୂର୍ବରୁ ଅର୍ଥାତ୍‌ ୨୦୧୫ ଫେବ୍ରୁଆରି ୨୩ରେ ୭ଜଣ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର ଦେବା ପାଇଁ ସ୍ଥିର ହୋଇସାରିଥିଲା। ଏହା ସରକାରଙ୍କ ଅନୁମୋଦନ ଲାଭ କରିଥିଲା କି ନାହିଁ, ତାହା ଏବେ ମଧୢ ପ୍ରଶ୍ନବାଚୀ। ଏହି ତାଲିକାରେ ଗୋକୁଳ ବିହାରୀ ପଟ୍ଟନାୟକ, ଅସୀମ ବସୁ, ଦୁର୍ଗା ଦାସ, ହରିଶ ସିହ୍ନାବାବୁ, ଜଗଦୀଶ କାନୁନ୍‌ଗୋ, ଯତୀନ ଦାସ, ଦିନନାଥ ପାଠୀଙ୍କ ନାମ ଥିଲା। ଅଥଚ ପରେ ଏଥିରୁ ହରିଶ ସିହ୍ନା ବାବୁ ଓ ଜଗଦୀଶ କାନୁନ୍‌ଗୋଙ୍କୁ ବାଦ ଦିଆଗଲା। ଏଥିପାଇଁ ଦାୟୀ କିଏ?

ବିଡ଼ମ୍ବନା ଏହି ଯେ, ରାଜ୍ୟ ସରକାର ୨୦୧୫ ମସିହା ଫେବ୍ରୁଆରି ୨୫ ତାରିଖରେ ଏକାଡେମିକୁ ନିର୍ଦେଶ ଦେଇଥିଲେ ଯେ ଜିଲ୍ଲାପାଳ ରାଜ୍ୟର ଶିଳ୍ପୀମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରି ଜିଲ୍ଲା ସ˚ସ୍କୃତି ଅଧିକାରୀଙ୍କ ଜରିଆରେ ସେଗୁଡ଼ିକୁ କମିଟିରେ ଉପସ୍ଥାପନ କରିବେ। ଏନେଇ ଚିଠି କରାଯାଇଥିବା ରେକର୍ଡ ମଧୢ ରହିଛି। ଅଥଚ ଏହାର ଦୁଇ ଦିନ ପୂର୍ବରୁ କିପରି ୭ଜଣଙ୍କ ନାମ ଧର୍ମପଦ ପୁରସ୍କାର ପାଇଁ ଘୋଷଣା ହେଲା, ତାହା କେବଳ ଏକାଡେମି ହିଁ ଉତ୍ତର ରଖିପାରିବ। ଅବଶ୍ୟ ପରେ ୨୦୧୫ ମସିହା ୨୭ ଏପ୍ରିଲ୍‌ରେ ଧର୍ମପଦ ପୁରସ୍କାର ପାଇଁ ନାମ ଓ ବାୟୋଡାଟା ୭ ଦିନରେ ପଠାଇବା ପାଇଁ ଏକାଡେମି ପକ୍ଷରୁ ଚିଠି ଲେଖାଗଲା। ମାତ୍ର ୨୦୧୫ ଫେବ୍ରୁଆରିରେ ୨୦୦୯ ମସିହାରୁ ୨୦୧୫ ପର୍ଯ୍ୟନ୍ତ ନାମ ଘୋଷଣା ହୋଇଯାଇଥିଲା। ଯାହା କି ଓଡ଼ିଶା ଲଳିତ କଳା ଏକାଡେମି କାର୍ଯ୍ୟକାରୀ ସମିତି ବୈଠକରେ ସ୍ଥିର ହୋଇସାରିଥିଲା। ସେ ଯାହା ବି ହେଉ, ଇତି ମଧୢରେ ୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ମାମଲା ଫଇସଲା ହୋଇନପାରିବା ପଛରେ କି କାରଣ ରହୁଛି, ତାହା ସ୍ପଷ୍ଟ ହେଉନାହିଁ। ବାସ୍ତବରେ ଏକାଡେମି ପକ୍ଷରୁ ଆବଶ୍ୟକ ମୁତାବକ ତଥ୍ୟ ରଖାଯାଉ ନାହିଁ ନା ଆଉ କିଛି ସମସ୍ୟା ଅଛି, ଏ ବାବଦରେ କେହି ମୁହଁ ଖୋଲୁନାହାନ୍ତି। ପଚାରିଲେ ଉତ୍ତର ମିଳୁଛି, ମାମଲା ଚାଲିଛି।

୨୦୧୫ ମସିହା ପର୍ଯ୍ୟନ୍ତ ୭ଜଣଙ୍କ ନାମ ଧର୍ମପଦ ପୁରସ୍କାର ଏବ˚ ୧୦ଜଣଙ୍କ ନାମ ଏକାଡେମି ପୁରସ୍କାର ପାଇଁ ଘୋଷଣା ହୋଇଥିଲା। ଅଥଚ ସେମାନଙ୍କ ମଧୢରୁ ୬ଜଣ ସ୍ବର୍ଗବାସରେ। ଏଥିସହ ସାରା ଜୀବନ କଳା ପାଇଁ ସମର୍ପିତ ପ୍ରତିଭାର ସମ୍ମାନ ଓ ସ୍ବୀକୃତି ମଧୢ ସେଇ ପ୍ରତିଭାମାନଙ୍କ ମୃତ ଶରୀର ସହ ଜଳି ପୋଡ଼ିଯାଇଛି। ଅନ୍ୟମାନଙ୍କ ଭାଗ୍ୟରେ କ’ଣ ଅଛି କେବଳ ସମୟ କହିବ।

ସମ୍ବନ୍ଧିତ ଖବର