ନିଜ ଅଧିକାର ଲାଗି ଶ୍ରମିକମାନେ ଏକାଠି ହେବା ଜରୁରି

ଅଣସଂଗଠିତ ଶ୍ରମିକ ମଞ୍ଚର ସମାବେଶ

ମାର୍ଚ ସୁଦ୍ଧା ଅଣସଂଗଠିତ ଶ୍ରମିକଙ୍କ ପଞ୍ଜୀକରଣ ସରିବ

ଭୁବନେଶ୍ୱର : ଅଣସଂଗଠିତ କ୍ଷେତ୍ରରେ ୯୩ ଭାଗରୁ ଅଧିକ ଶ୍ରମିକ ରହିଛନ୍ତି। ସଂଗଠିତ କ୍ଷେତ୍ରରେ ଦିନକୁ ଦିନ ନିଯୁକ୍ତି ସଂକୁଚିତ ହେବାରେ ଲାଗିଥିବା ବେଳେ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ଶୋଷଣ ବଢ଼ି ଚାଲିଛି। ନିଜର ସାମାଜିକ ସୁରକ୍ଷା ଦାବି ହାସଲ ପାଇଁ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏକ ହୋଇ ଲଢ଼େଇ କରନ୍ତୁ। ଅଣସଂଗଠିତ ଶ୍ରମିକ ମଞ୍ଚ, ସିସିଡବ୍ଲ୍ୟୁଡି, ଆକ୍ସନଏଡ୍‌, ସେହେଡା, ୟୁରୋପିଆନ କମିସନ୍‌ ଓ ପତଙ୍ଗ ପକ୍ଷରୁ ଲୋହିଆ ଏକାଡେମିଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାବେଶରେ ଶ୍ରମିକ ନେତାମାନେ ଏପରି ଆହ୍ଵାନ ଦେଇଛନ୍ତି।

ସମାବେଶରେ ମୁଖ୍ୟଅତିଥି ଭାବେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ଯୋଗ ଦେଇ କହିଲେ, ଦେଶରେ ମୋଦି ସରକାର ଆସିଲା ପରେ ଶ୍ରମିକଙ୍କ ଦୁର୍ଦଶା ବଢ଼ିଯାଇଛି। ରାଜ୍ୟ ସରକାର ଅଣସଂଗଠିତ ଶ୍ରମିକଙ୍କ କଲ୍ୟାଣ ପାଇଁ ବ୍ୟବସ୍ଥା କରିଛନ୍ତି। ଆସନ୍ତା ମାର୍ଚ ମାସ ସୁଦ୍ଧା ଅଣସଂଗଠିତ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଶେଷ କରାଯାଇ ସେମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରାଯିବ।

ସମ୍ମାନିତ ଅତିଥି ଶ୍ରମିକ ନେତା ସୌରୀବନ୍ଧୁ କର କହିଲେ, ରାଜ୍ୟ ସରକାରଙ୍କର ଅଣସଂଗଠିତ ଶ୍ରମିକଙ୍କ ପ୍ରତି ବାସ୍ତବରେ ଆନ୍ତରିକତା ନାହିଁ। ଅଣସଂଗଠିତ ଶ୍ରମିକଙ୍କ ପାଇଁ ଲୋକ ଦେଖାଣିଆ ଏକ ବୋର୍ଡ ଗଠନ କରି ବସି ଯାଇଛନ୍ତି। ଦିନେ ହେଲେ ଏହି ବୋର୍ଡର ବୈଠକ କରାଯାଇନାହିଁ। ଶ୍ରମିକମାନେ ନିଜ ଅଧିକାର ପ୍ରତି ସଚେତନ ହୋଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ।

ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ, ସାରା ଦେଶରେ ଅଣସଂଗଠିତ ଶ୍ରମିକଙ୍କ ସଂଖ୍ୟା ଅଧିକ। ସରକାର ଶ୍ରମିକଙ୍କ ଉନ୍ନତି ପାଇଁ ଅନେକ ଆଇନ, ଯୋଜନା କରିଛନ୍ତି। କିନ୍ତୁ ଏସବୁର ଠିକ ରୂପାୟନ ହୋଇ ନପାରିବା ନେଇ ସରକାରଙ୍କୁ ସଂପୂର୍ଣ୍ଣ ଦୋଷ ଦିଆଯାଇପାରିବ ନାହିଁ। ଏଥିନେଇ ଶ୍ରମିକମାନେ ମଧ୍ୟ ଅନେକ ପରିମାଣରେ ଦାୟୀ। ଉଦାହରଣ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ସରକାର ଶ୍ରମିକମାନେ ନିଶ୍ଚିତ କାମ ପାଇବା ନେଇ ନରେଗା ଯୋଜନା କଲେ। କିନ୍ତୁ ବିନା କାମରେ ଟଙ୍କା ପାଇବା ଲୋଭରେ ଶ୍ରମିକମାନେ ନିଜ ଜବ୍‌ କାର୍ଡ ଠିକାଦାର, ନେତାଙ୍କୁ ବିକ୍ରି କରୁଛନ୍ତି। ଅନେକ ସମୟରେ ଶ୍ରମିକମାନେ ନିଜକୁ ଶୋଷଣ ପାଇଁ ସୁାଯୋଗ ଦେଉଛନ୍ତି। ଏପରି ଘଟଣାରୁ ବିରତ ରହି ଶ୍ରମିକମାନେ ଦୃଢ ଭାବେ ନିଜ ଅଧିକାର ପାଇଁ ଲଢ଼େଇ କରିବାର ଆବଶ୍ୟକତା ରହିଛି। ଶ୍ରମିକର ସ୍ୱାସ୍ଥ୍ୟ ହେଲା ତା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଶ୍ରମିକମାନେ ନିଶା ସେବନ ଆଦିରୁ ଦୂରେଇ ରହିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏଥିସହିତ ଶ୍ରୀ ପଟ୍ଟନାୟକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ସାର୍ବଜନୀନ କରିବା ନେଇ ଆହ୍ଵାନ ଦେଇଥିଲେ।

ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା କହିଲେ, ବିମୁଦ୍ରାକରଣ ଓ ଜିଏସ୍‌ଟି ଲାଗୁ ପରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହା ଦ୍ୱାରା ଅଣସଂଗଠିତ ଶ୍ରମିକମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ଦେଶର ଜିଡିପିରେ ସବୁଠୁ ଅଧିକ ଅବଦାନଥିବା ଶ୍ରମିକଙ୍କ କଲ୍ୟାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପଣ୍ଡା ଦାବି କରିଥିଲେ। ସମ୍ମାନିତ ଅତିଥି ମେୟର ଅନ୍ତନ ନାରାୟଣ ଜେନା ଶ୍ରମିକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ଆକ୍ସନଏଡ୍‌ର ଦେବବ୍ରତ ପାତ୍ର, ପ୍ରଭାସ ସାମନ୍ତରାୟ, ଆନନ୍ଦିନୀ ପାଢ଼ୀ, ସଚିଦାନନ୍ଦ ମିଶ୍ର, ସଦାଶିବ ସ୍ୱାଇଁ, ଲିନା କାନ୍ଦୁଲେନା, ଆହ୍ଲାଦିନୀ ଦିଲା ପ୍ରମୁଖ ଶ୍ରମିକଙ୍କ ସମସ୍ୟା ନେଇ ଦାବି ଉପସ୍ଥାପନ କରିଥିଲେ। ଅଣସଂଗଠିତ ଶ୍ରମିକ ମଞ୍ଚର ସଭାପତି ଜ୍ୟୋତ୍ସ୍ନାରାଣୀ ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅଭୟ କୁମାର ପତି ଅତିଥି ପରିଚୟ ଓ ସତ୍ୟରଞ୍ଜନ ସାହୁ ସମାବେଶର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଫୁଲରାଣୀ ପାତ୍ର ଧନ୍ୟବାଦ ଦେଇଥିଲେ। ଶେଷରେ ମଞ୍ଚର ପକ୍ଷରୁ ଏକ ସାତଜଣିଆ ପ୍ରତିନିଧିଦଳ ରାଜଭବନ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର