ମାଲକାନଗିରି : ନୂଆବର୍ଷର ପ୍ରଥମ କମ୍ବିଂ ଅପରେସନ ହେଲା, କିନ୍ତୁ ଚକ୍ମା ଦେଇ ଖସିଗଲେ ନକ୍ସଲ। କେବଳ ଘଟଣାସ୍ଥଳରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ପୁଲିସ। ବୁଧବାର ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ପୁଲିସ ଏହି ଅପରେସନ କରିଥିଲା। ନକ୍ସଲଙ୍କ ସହ ମୁହାଁମୁହିଁ ହେବାରୁ ଉଭୟପଟୁ ଗୁଳି ବର୍ଷଣ ହୋଇଥିଲା। ତେବେ ଏଥିରେ କେହି ମୃତାହାତ ହୋଇନଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବଣ୍ଡାଘାଟିରେ ଆଡ଼ା ଜମାଇଛନ୍ତି ନକ୍ସଲ। ଏମିତି ପକ୍କା ଗୁଇନ୍ଦା ସୂଚନା ମାଲକାନଗିରି ପୁଲିସକୁ ମିଳିଥିଲା। ଏହାପରେ ଏସ୍ପି ଋଷିକେଶ ଖିଲାରିଙ୍କ ନେତୃତ୍ବରେ ଏସ୍ଓଜି ଓ ଡିଭିଏଫ୍ ଯବାନ ମିଳିତ ଭାବେ କମ୍ବିଂ ଅପରେସନରେ ବାହାରିଥିଲେ। ନକ୍ସଲ କ୍ୟାମ୍ପ କରିଥିବା ଡାବଗୁଡା ଆଖପାଖ ଘଞ୍ଚ ଜଙ୍ଗଲକୁ ଚାରିପଟୁ ଘେରି ଯାଇଥିଲେ। ଯବାନମାନେ କ୍ୟାମ୍ପ ନିକଟରେ ପହଞ୍ଚିବା ବେଳକୁ ସେଣ୍ଟ୍ରି ଦାୟିତ୍ବରେ ଥିବା ନକ୍ସଲ ଏ ନେଇ ଜାଣିପାରିଥିଲେ। ବିଳମ୍ବ ନକରି ସେ କ୍ୟାମ୍ପକୁ ପୁଲିସର ଉପସ୍ଥିତି ସଂପର୍କରେ ସୂଚନା ଦେଇଦେଲା। ତେବେ ଖସି ଯିବାର ବାଟ ପ୍ରାୟ ବନ୍ଦ ହୋଇଯାଇଥିବାରୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ ନକ୍ସଲ। ଏମିତି ସ୍ଥିତିର ସମ୍ମୁଖୀନ ହେବା ନେଇ ପୂର୍ବରୁ ପ୍ରସ୍ତୁତ ରହିଥିବା ଯବାନମାନେ ବି କଡ଼ା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଉଭୟପଟୁ ଗୁଳି ବିନିମୟ ଚାଲିଥିଲା। ଶେଷରେ ପୁଲିସ ଗୁଳିର ସାମ୍ନା କରି ନ ପାରି ଅନ୍ଧାରର ସୁଯୋଗ ନେଇ ନକ୍ସଲମାନେ ଖସି ଯିବାରେ ସକ୍ଷମ ହୋଇଥିଲେ। ଆଜି ସକାଳେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୁଲିସକୁ ବହୁ ମାଓ ସାମଗ୍ରୀ ମିଳିଥିଲା। ସାମଗ୍ରୀକୁ ଜବତ କରି ଆଜି ଅପରାହ୍ନରେ ଏସ୍ପି ଓ ତାଙ୍କ ଟିମ୍ ମାଲକାନଗିରିରେ ପହଞ୍ଚିଥିଲେ। ତେବେ କେଉଁ ସ୍ଥାନରେ ଏନକାଉଣ୍ଟର ହୋଇଥିଲା ଏବଂ କେତେ ନକ୍ସଲ ଥିଲେ ତଥା କେତେ ମାଓ ସାମଗ୍ରୀ ମିଳିଛି ତାହା ପୁଲିସ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇ ନଥିଲା। ତଥାପି ପୁଲିସକୁ ବର୍ଷ ଆରମ୍ଭରୁ ନକ୍ସଲଙ୍କୁ ଘଉଡ଼ାଇବାରେ ବଡ଼ ସଫଳତା ମିଳିଥିବା ଜଣାଯାଇଛି। କିଛି ନକ୍ସଲ ଆହତ ହୋଇଥିବା କୁହାଯାଉଥିଲେ ବି କେହି ସ୍ପଷ୍ଟ କରିପାରୁ ନାହାନ୍ତି। ବଡ଼ ଧରଣର ଅପରେସନ ସତ୍ତ୍ବେ ଉଭୟ ପଟୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।