ଚାଷୀଙ୍କୁ ମୋହରା କରି କୋଟି କୋଟି ଟଙ୍କା ଚଳୁ, ଯାଜପୁର ଉଠା ଜଳସେଚନ ଡିଭିଜନରେ ଘୋଟାଲା

ଯାଜପୁର: ଯାଜପୁର ଉଠା ଜଳସେଚନ ଡିଭିଜନରେ ବ୍ୟାପକ ଘୋଟାଲା। ଚାଷୀଙ୍କୁ ମୋହରା କରି ୫ ବର୍ଷରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଛି। ଏ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। କେତେକ ଯନ୍ତ୍ରୀ- ଠିକାଦାରଙ୍କ ଅସାଧୁମେଣ୍ଟ ଦ୍ବାରା ଅନୁଦାନ ହରିଲୁଟ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।

ଜଣାପଡ଼ିଛି ଯେ, ବଡଚଣା ବ୍ଲକ୍‌ ଅରଖପୁର ପଞ୍ଚାୟତରେ ଉଠା ଜଳସେଚନର ଏକ ଉପଖଣ୍ଡ କାର୍ଯ୍ୟାଳୟ ବନ୍ଧା ପଦ୍ମନାଭପୁରରେ ଥିବା ସତ୍ତ୍ବେ ଏହି ପଞ୍ଚାୟତର ଏକାଧିକ ଏଲ୍ଆଇ ପଏଣ୍ଟ ଓ ଆର୍ଏଲ୍ ପଏଣ୍ଟ ଅଚଳ । କେଉଁଠି ପମ୍ପ୍‌ ହାଉସ୍‌ରେ ପାଣି ପମ୍ପ ନାହିଁ ତ କେଉଁଠି ପାଇପ୍‌ ନଷ୍ଟ ହୋଇଗଲାଣି। ଆଉ କେଉଁଠି ବିଦ୍ୟୁତ୍‌ ଖୁଣ୍ଟ ପୋତା ଯାଇଥିବା ବେଳେ ଟ୍ରାନ୍ସଫର୍ମର ନାହିଁ କି ପମ୍ପ୍‌ ହାଉସ୍‌କୁ ବିଦ୍ୟୁତ ସଂଯୋଗ ନାହିଁ । ସେହିଭଳି, ଶହଶହ ପ୍ରକଳ୍ପ ନିର୍ମାଣ ହୋଇ ଚାଷୀଙ୍କ କାମରେ ଲାଗିବା ପୂର୍ବରୁ ଅଚଳ ହୋଇଯାଇଛି। ଆହୁରି ମଧ୍ୟ ଅନୁସନ୍ଧାନରୁ ଜଣାପଡିଛି, ଅରଖପୁର ପଞ୍ଚାୟତର ଅରଖପୁର-୮ ପ୍ରକଳ୍ପଟି ଅଚଳ । ୧୪ଲକ୍ଷ ୯୧ହଜାର ୮୦୦ ଟଙ୍କା ବ୍ୟୟରେ ୨୦୧୭ ମସିହାର ଏହି ପ୍ରକଳ୍ପଟି ନିର୍ମାଣ କାର୍ଯ୍ୟ ସରିବା ପରେ ଅଚଳ ହୋଇପଡିଛି । ଟ୍ରାନ୍‌ସଫର୍ମରରୁ ପମ୍ପ୍‌ହାଉସକୁ ବିଦ୍ୟୁତ ସଂଯୋଗ ନାହିଁ। ପମ୍ପ୍‌ ହାଉସ୍‌ ବୋଲି ଯାହା କୁହାଯାଉଛି ସେଠାରେ ପାଣି ପମ୍ପ ମଧ୍ୟ ନାହିଁ। ବାଉଁଶ ଭର୍ତ୍ତି ହୋଇଛି । ସେହିପରି ଅରଖପୁର-୭ ପ୍ରକଳ୍ପ ୨୦୧୭ ମସିହାରେ ୧୪ ଲକ୍ଷ ୯୨୯ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବେଳେ ଏହା ମଧ୍ୟ ଅଚଳ। ଏଠାରେ ଟ୍ରାନ୍ସଫର୍ମରରୁ ପମ୍ପ୍‌ହାଉସକୁ ବିଦ୍ୟୁତ୍‌ ସଂଯୋଗ ନାହିଁ । ଗୌଡପାଟଣା ପ୍ରକଳ୍ପ ମଧ୍ୟ ଅଚଳ। ଟ୍ରାନସଫର୍ମରରୁ ପମ୍ପହାଉସକୁ ବିଦ୍ୟୁତ୍‌ ସଂଯୋଗ ନାହିଁ। ଶୁର୍ଖାଦେଇପୁର ଠାରେ ଥିବା ଆର୍ଏଲ ପଏଣ୍ଟର ଅର୍ଦ୍ଧନିର୍ମିତ ପମ୍ପ୍‌ହାଉସ ଉପରେ ଟ୍ରାନ୍‌ସଫର୍ମର ଭାଙ୍ଗି ରୁଜି ମୋଡି ହୋଇପଡିଛି । ଏହି ଗ୍ରାମର ବିଲ ମଝିରେ ଥିବା ଆଉ ଗୋଟିଏ ପ୍ରକଳ୍ପ ମଧ୍ୟ ଅଚଳ । ଅରଖପୁର ଘାଟ ଠାରେ ୨୦୧୯ ମସିହାରେ ୮ ଲକ୍ଷ ୮୮ ହଜାର ୧୩୮ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇ ଥିବା ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡିଛି । ଏହି ପଞ୍ଚାୟତରେ ସବ୍‌ଡିଭିଜନ କାର୍ଯ୍ୟାଳୟ ରହିଥିବା ସତ୍ତ୍ବେ ୨୦ ରୁ ଊର୍ଦ୍ଧ୍ବ ପ୍ରକଳ୍ପ ଅଚଳ ।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଏହି ସବ୍‌ଡିଭିଜନ କାର୍ଯ୍ୟାଳୟରେ ବହୁ ବର୍ଷ ତଳୁ ୧୦୦ ରୁ ଊର୍ଦ୍ଧ୍ବ ଖରାପ ଓ ଭଲ ବଡ ବଡ ପାଣି ପମ୍ପ୍‌ ଥିଲା । ଏହି ଅଫିସ୍‌ ଦାୟିତ୍ୱରେ କର୍ମଚାରୀ ପମ୍ପରୁ ତମ୍ବା ତାର ବାହାର କରି ବିକି ଦେଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି । ଏହି ଅଫିସ୍‌କୁ କାଁ ଭାଁ ସହକାରୀ ଯନ୍ତ୍ରୀ ଆସୁଥିବାବେଳେ ପ୍ରାୟ ସବୁଦିନ ବନ୍ଦ ରହୁଛି। ଦୀପ ତଳ ଅନ୍ଧାର ଭଳି ଏହି ସବ୍‌ଭିଜନ ଅଫିସ ଥିବା ପଞ୍ଚାୟତରେ ପ୍ରକଳ୍ପ ଗୁଡିକ ଅଚଳ ହୋଇ ପଡିଥିବା ବେଳେ ଅନ୍ୟ ପ୍ରକଳ୍ପର ଅବସ୍ଥା କେମିତି ତାହା ସହଜରେ ଅନୁମେୟ।

ଏ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ଶିବରାମ ପଣ୍ଡା କହିଛନ୍ତି ଯେ, ପ୍ରକଳ୍ପ ପରେ ‌ରକ୍ଷଣାବେକ୍ଷଣ ଦାୟିତ୍ବ ପୂର୍ବଭଳି ବିଭାଗ ନିକଟରେ ନାହିଁ। ଚାଷୀମାନେ ତାହାର ତଦାରଖ କରିବା କଥା। କୌଣସି ସମସ୍ୟା ସଂପର୍କରେ ତାଙ୍କ ଦୃଷ୍ଟିକୁ ଆସିଲେ ସମାଧାନ କରାଯିବ। ଅନ୍ୟପକ୍ଷରେ, ଜଳନିଧି ଯୋଜନା ଠାରୁ ଆରମ୍ଭ କରି ଶହଶହ ଉଠା ଜଳସେଚନର ପ୍ରକଳ୍ପ ଅଚଳ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କଲେ ବଡ଼ଧରଣର ଘୋଟାଲା ଉପରୁ ପରଦା ଉଠିବ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର